ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଦଳର କିଛି ଅସନ୍ତୁଷ୍ଟ କର୍ମୀ।

ବିଜୁ ଜନତା ଦଳରେ ତେଜୁଛି ବିଦ୍ରୋହ। ଏହାର ଆଭାସ ଆଜି ମିଳିଛି ବେଗୁନିଆରୁ। ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ ପ୍ଲାଷ୍ଟିକ ଚେୟାର ଏବଂ ପାଣି ପାଉଚ ଫିଙ୍ଗିବା ଘଟଣା ସ୍ପଷ୍ଟ କରୁଛି ଯେ ଦଳରେ କିଛି ଠିକ୍ ଚାଲିନି।

ଦଳୀୟ କର୍ମୀ ଏବଂ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ବିଗତ ଦିନରେ ଚର୍ଚ୍ଚାରେ ରହିଥିଲେ ବେଗୁନିଆ ବିଧାୟକ। ହେଲେ ଏହି ବିଧାୟକଙ୍କୁ ଆଜି ବିରୋଧ କରିଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଅସନ୍ତୁଷ୍ଟ କର୍ମୀ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରି ଦଳର ବିରୋଧୀ ଗୋଷ୍ଠୀ ଆଜି ସାରୁଅରୁ ବେଗୁନିଆ ପର୍ଯ୍ୟନ୍ତ ରାଲି ଆୟୋଜନ କରିଥିଲେ। କିନ୍ତୁ ଏହି ରାସ୍ତାରେ ପୋଲିସ ୧୪୪ ଧାରା ଲାଗୁ କରିବାରୁ ରାଲି ହୋଇପାରି ନଥିଲା। ଶେଷରେ କୁସପଲ୍ଲା ଖେଳପଡ଼ିଆରେ ଏକ ସଭା ଆୟୋଜନ କରିଥିଲେ ବିରୋଧୀ ଗୋଷ୍ଠୀ।

ସଭା ଚାଲିଥିବା ବେଳେ କୁସପଲ୍ଲା ଦେଇ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ଯାଉଥିଲେ। ଗାଡ଼ି ଅଟକାଇ ବିଧାୟକ ସଭାସ୍ଥଳକୁ ଆସିଥିଲେ। ହେଲେ ବିରୋଧୀ ଗୋଷ୍ଠୀ ବିଧାୟକଙ୍କୁ ଦେଖି ଖପ୍ପା ହୋଇଯାଇଥିଲେ। ବିଧାୟକଙ୍କ ଉପରକୁ ସଙ୍ଗେସଙ୍ଗେ ଚେୟାର ଏବଂ ପାଣି ପାଉଚ ଫିଙ୍ଗିଥିଲେ।

ଖବରପାଇ ପୋଲିସ ସଭାସ୍ଥଳରେ ପହଞ୍ଚି ବିଧାୟକଙ୍କୁ ଉଦ୍ଧାର କରିଥିଲା। ଏହାସହ କୁସପଲ୍ଲାରେ ୧ ପ୍ଲାଟୁନ୍ ପୋଲିସ ଫେର୍ସ ମଧ୍ୟ ମୁତୟନ କରାଯାଇଛି।

୨୦୧୬ରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧୀ ‘ବାହୁବଳି’ ବିଧାୟକର ଆଖ୍ୟା ଦେଇଥିଲେ। ସେତେବେଳେ ସେ ବୋଲଗଡ଼ ତହସିଲଦାର, ତରତୁଆ ନିକଟରେ ଜଣେ ବିଜେଡି କର୍ମୀଙ୍କୁ ହାତ ଉଠାଇବା ଏବଂ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଧମକ ଦେବା ଆଦି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥିଲେ ପ୍ରଶାନ୍ତ।

Comment