ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ବିଜେଡି ସିଧାସଳଖ ଛତିଶଗଡ଼କୁ ଦାୟୀ କରିଛି।
ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପାଇଁ ଛତିଶଗଡ଼ ଦାୟୀ। ଏହି ଅଭିଯୋଗ ଆଣିଛି ବିଜେଡି। ଛତିଶଗଡ଼ର ମନମୁଖି କାର୍ଯ୍ୟ ପାଇଁ ଓଡ଼ିଶା ମହାନଦୀରେ ବନ୍ୟା ପାଣିର ସୁଅ ଛୁଟୁଛି ବୋଲି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।
“ଖରାଦିନେ ମହାନଦୀରେ ପାଣି ନଥିବାରୁ ଓଡ଼ିଶାର ଚାଷୀମାନେ ବହୁ ଅସୁବିଧା ଭୋଗିଥିଲେ। କଲ୍ମା ବ୍ୟାରେଜରେ ପାଣି ଅଟକାଇ ରଖିଲା ଛତିଶଗଡ଼। ଯେତେ ଦାବି କଲେ ବି ଛତିଶଗଡ଼ ଶୁଣିଲାନି। ଏବେ ବର୍ଷା ଲାଗି ରହିବାରୁ କୌଣସି ପ୍ରାକ୍ ସୂଚନା ନଦେଇ ହରାକୁଦ ଡ୍ୟାମକୁ ପାଣି ଛାଡ଼ିଲା। ଫଳରେ ୧୧ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି”, କହିଛନ୍ତି ଦେବୀ ପ୍ରସାଦ ମିଶ୍ର।
ହୀରାକୁଦ ଡ୍ୟାମରେ ବନ୍ୟା ଜଳ ଉଚ୍ଛୁଳିବାରୁ ୨୫ଟି ଗେଟ ଖୋଲାଯାଇଛି। ଜଳ ଭଣ୍ଡାର ଭିତରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୧ ହଜାର ୯୪୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯ ହଜାର ୯୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଗୁରୁବାର ସକାଳ ସୁଦ୍ଧା ୮ ଲକ୍ଷ ପାଣି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିବାର ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଯଦିଓ ବଡ଼ ଧରଣର ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ, ହେଲେ ୮ ଲକ୍ଷ କ୍ୟସେକ୍ ପାଣି ମୁଣ୍ଡଳୀରେ ପହଞ୍ଚିଲେ ଅଧିକାଂଶ ଗାଁ ଜଳମଗ୍ନ ହେବାର ଆଶଙ୍କା କରିଛନ୍ତି ସରକାର। ଏଣୁ ୧୧ଟି ଜିଲ୍ଲାର ଜିଲ୍ଲାପାଳ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଛତିଶଗଡ଼ର ନମୁଖୀ କାର୍ଯ୍ୟକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ। ମହାନଦୀକୁ ନେଇ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ। କେତେ ଜଳ ଛାଡ଼ିଲେ ଓଡ଼ିଶା ପଇଁ ଅସୁବିଧା ହେବନି ସେନେଇ ଛତିଶଗଡ଼ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି।
ଖରାଦିନେ ଓଡ଼ିଶାର ମହାନଦୀ ଶୁଖିଲା ପଡ଼ିଥିଲା। କଲ୍ମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ଼ ବନ୍ଦ ରଖିବାରୁ ମହାନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାବାସୀ ଅସୁବିଧାରେ ପଡ଼ିଥିଲେ। ଚାଷୀ ଚାଷ କାମ ପାଇଁ ପାଣି ପାଇ ନଥିଲା। ଜଳସ୍ତର ହ୍ରାସ ପାଇଥିଲା। ଏହାକୁ ନେଇ ବିଜେଡି ମହାନଦୀ ବଞ୍ଚାଅ ଆନ୍ଦୋଳନ କରିଥିଲା। ହେଲେ ଏହାର ପ୍ରଭାବ ଛତିଶଗଡ଼ ଉପରେ ପଡ଼ି ନଥିଲା।
ଖରାଦିନେ ପାଣି ଅଟକାଇବା ଏବଂ ବର୍ଷାଦିନେ ପାଣି ଛାଡ଼ିବାକୁ ନେଇ ଏବେ ରାଜନୀତି ତେଜିଛି।








ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ବିଜେଡି ସିଧାସଳଖ ଛତିଶଗଡ଼କୁ ଦାୟୀ କରିଛି।









