ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସେପ୍ଟେମ୍ବର ପହିଲାରେ ଆଇପିପିବି ସେବାର ଉଦଘାଟନ
  • ଦୁଆରେ ପହଞ୍ଚିବ ବ୍ୟାଙ୍କିଙ୍ଗ ସେବା
  • ସାରା ଦେଶରେ ୧.୫୫ ଲକ୍ଷ ଡାକଘରେ କାର୍ଯ୍ୟକାରୀ ହେବ ଏହି ସେବା
  • ଓଡ଼ିଶାରେ ସେପ୍ଟେମ୍ବର ୧ରେ ଆଇପିପିବିର ୩୩ଟି ଶାଖା କାର୍ଯ୍ୟକାରୀ ହେବ

ଘର ପାଖରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ପାଇଁ ଅଭିନବ ଯୋଜନା ଆରମ୍ଭ କରୁଛି ଭାରତୀୟ ଡାକ ବିଭାଗ। ଦେଶର ସାଧାରଣ ଲୋକଙ୍କୁ ସହଜ ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଶୁଭାରମ୍ଭ ହେବାକୁ ଯାଉଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି)। ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଶୁଭାରମ୍ଭ କରିବେ।

୬୫୦ଟି ଶାଖାରେ ଏବଂ ୩୨୫୦ଟି ଆକ୍‌ସେସ୍ ପଏଣ୍ଟରେ ଆଇପିପିବି ସେବା ଉଦଘାଟନ କରିବେ। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଏହି ସେବା ସମସ୍ତ ୧.୫୫ ଲକ୍ଷ ଡାକଘର ମାଧ୍ୟମରେ ଯୋଗାଇ ଦେବା ଲକ୍ଷ୍ୟ ରହିଛି।

ସେପ୍ଟେମ୍ବର ୧ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇପିପିବି ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଆଇପିପିବି ଶାଖା ଉଦଘାଟନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମହା ଡାକପାଳ ସନ୍ତୋଷ କୁମାର କମିଳା କହିଛନ୍ତି।

“ବ୍ୟାଙ୍କିଙ୍ଗ ସେବାକୁ ସରଳ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଲୋକଙ୍କ ପାଖରେ ଏବଂ ବିଶେଷକରି ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଇଛି। ଯେଉଁ ହିତାଧିକାରୀମାନେ ଆଇପିପିବିରେ ଆକାଉଣ୍ଟ ଖୋଲିବାକୁ ଚାହିଁବେ ସେମାନେ ଜିରୋ ବାଲାନ୍ସରେ ଆକାଉଣ୍ଟ ଖୋଲିପାରିବେ। ଏଥିପାଇଁ କେବଳ ପ୍ରମାଣପତ୍ର ଭାବେ ଆଧାରକାର୍ଡକୁ ଗ୍ରହଣ କରାଯିବ। ଏହାସହ କ୍ୟୁଆର୍ କାର୍ଡ ସାହାଯ୍ୟରେ ଗ୍ରାହକମାନେ ସହଜରେ ଟଙ୍କା ନେଣଦେଣ କରିପାରିବେ”, କହିଛନ୍ତି ସନ୍ତୋଷ କୁମାର କମିଳା।

ଦେଶର ୧.୫୫ ଲକ୍ଷ ଡାକଘରେ ଆଇପିପିବି ସେବା କାର୍ଯ୍ୟକାରୀ ହେବ। ଗ୍ରାମାଞ୍ଚଳରେ ଥିବା ୧, ୩୦,୦୦୦ ଡାକଘର  ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ୩ ଲକ୍ଷ ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କ ଦ୍ୱାରା ଏହି ସେବା ଦେଶର ସମସ୍ତ ସହର, ଗ୍ରାମ ଏବଂ ଦୂରବର୍ତ୍ତି ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚାଇ ଦିଆଯିବ।

ଆଇପିପିବିର ନିୟମାବଳୀ ଅନୁଯାୟୀ ଋଣ, ଛୋଟ ନିବେଶ ଏବଂ ବୀମା ଆଦି ସୁବିଧା ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ।

ସେପ୍ଟେମ୍ବର ୧ରୁ ଓଡ଼ିଶାରେ ଆଇପିପିବିର ୩୩ଟି ଶାଖା ଏବଂ ୧୬୫ଟି ଆକସେସ୍ ପଏଣ୍ଟ କାର୍ଯ୍ୟକାରୀ ହେବ। ଡିସେମ୍ବର ୩୧ ସୁଦ୍ଧା ୮୦୫୦ ଡାକଘରେ ଏହି ସେବା ଉପଲବ୍ଧ ହେବ। ୧୩୬୭ ଜଣ ପୋଷ୍ଟମ୍ୟାନ ଏବଂ ୭୦୦୯ ଜଣ ଡାକ ବିତରକଙ୍କ ମାଧ୍ୟମରେ ଏହି ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦିଆଯିବ।

Comment