ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ
  • କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲା ବିଜେଡି
  • ୭ରୁ ଆନ୍ଦୋଳନ କରିବ ଦଳ
  • ୯ ତାରିଖ ଯାଏଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାର ତୈଳ ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୮ ଟଙ୍କା୨ ପଇସା ରହିଥିବା ବେଳେ ଡିଜେଲ ମୂଲ୍ୟ ୭୬ ଟଙ୍କା ୩୪ ପଇସାରେ ପହଞ୍ଚିଛି। ପେଟ୍ରୋଲ, ଡିଜେଲ ବଜାରରେ ନିଆଁ ଲାଗିଥିବାରୁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏଣୁ ବିଜେଡି ତୈଳ ଦର ବୃଦ୍ଧିର ପ୍ରତିବାଦ କରିବାକୁ ଅଣ୍ଟା ଭିଡ଼ିଛି।

ସେପ୍ଟେମ୍ବର ୭, ୮ ଓ ୯ ତାରିଖରେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ତୈଳ ଦର ବୃଦ୍ଧି ପ୍ରତିବାଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।

“ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ସବୁ ବର୍ଗର ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ସାଧାରଣ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଏବେ କର୍ପୋରେଟ୍ ଓ ପୁଞ୍ଜିବାଦୀମାନଙ୍କ ହାତ ବାରିସି ସାଜିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରି ବିଜେପି କର୍ପୋରେଟ୍ ଓ ପୁଞ୍ଜିବାଦୀମାନଙ୍କୁ ଖୁସ୍ କରିଛି। ଏହାର ଜବାବ ଦେଶବାସୀ ୨୦୧୯ରେ ଦେବେ”, କହିଛନ୍ତି ସଞ୍ଜୟ ଦାସବର୍ମା।

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ସେପ୍ଟେମ୍ବର ୭ରୁ ୯ ତାରିଖ ଯାଏଁ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରିବ। ତୈଳ ଦର ବୃଦ୍ଧି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଦାସବର୍ମା। ପେଟ୍ରୋଲ, ଡିଜେଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି ପାଉଥିବାରୁ ତୈଳ ଦର ବେଲଗାମ୍ ହୋଇଯାଇଥିବା ସେ କହିଛନ୍ତି।

ପାକିସ୍ତାନରେ ପେଟ୍ରୋଲ ଲିଟର ୫୦ ଟଙ୍କା ୬୭ ପଇସା ଥିବା ବେଳେ ଶ୍ରୀଲଙ୍କାରେ ୪୯ ଟଙ୍କା ୬୭ ପଇସା ରହିଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଡକ୍ଟର ଅରୁଣ ସାହୁ, ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment