ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସୁରତରେ ରହୁଥିବା ଓଡ଼ିଆଙ୍କୁ ହାତରେ ରଖିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ଉଦ୍ୟମ ଆରମ୍ଭ ହୋଇଯାଇଛି ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଜେପି ବିଜେଡି କୌଣସି ପ୍ରକାର ସାହାଯ୍ୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି

ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବା ବେଳେ ଗୁଜରାଟର ସୁରତରେ ରହୁଥିବା ଓଡ଼ିଆଙ୍କୁ ହାତରେ ରଖିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ସେଠାରେ ବାସ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀଙ୍କୁ ନିଜ ଆଡକୁ ଟାଣିବା ପାଇଁ କଂଗ୍ରେସର କୌଣସି ଉଦ୍ୟମ ଆଖିରେ ପଡୁନଥିବା ବେଳେ ବିଜେପି ଓ ଶାସକ ବିଜେଡି କିନ୍ତୁ କୌଣସି ପ୍ରକାର ସାହାଯ୍ୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି।

ସୁରତରେ ରହୁଥିବା ଓଡ଼ିଆ ଶ୍ରମିକମାନେ ଓଡ଼ିଶାର ଭୋଟର। ସେମାନେ ସୁରତରେ ରହୁଥିଲେ ହେଁ ସେମାନଙ୍କ ବନ୍ଧୁ ପରିଜନ ଓଡ଼ିଶାରେ ରହନ୍ତି। ସ୍ୱାଭାବିକ ଭାବରେ ଭୋଟ ବେଳେ ସୁରତ ଫେରନ୍ତାଙ୍କ ନିଷ୍ପତ୍ତିକୁ ସମସ୍ତେ ମାନି ନେଇଥାନ୍ତି।

ଗୋଟିଏ ଆକଳନ ଅନୁସାରେ ସୁରତରେ ପ୍ରାୟ ୧୨ ଲକ୍ଷ ଓଡ଼ିଆ ଶ୍ରମିକ କାମ କରୁଛନ୍ତି। ଲୁଗାକଳ, ରତ୍ନପଥର ଓ ଅନ୍ୟାନ୍ୟ ଶିଳ୍ପରେ ଯେଉଁ ଶ୍ରମିକ କାମ କରନ୍ତି ସେମାନେ ମୁଖ୍ୟତଃ ଓଡ଼ିଆ। ଏହି ବାର ଲକ୍ଷ ଭିତରୁ କେବଳ ଗଞ୍ଜାମର ଭୋଟର ହେଉଛନ୍ତି ସାତ ଲକ୍ଷ।

ଗଞ୍ଜାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ହୋଇଥିବା କାରଣରୁ ସୁରତରେ କାର୍ଯ୍ୟରତ ଶ୍ରମିକ ଓ ତାଙ୍କ ପରିବାରର ଭୋଟ ବିଜେଡ଼ିକୁ ହିଁ ପ୍ରାୟ ଯାଇଥାଏ। ଗଞ୍ଜାମରୁ ସୁରତ ଯାଇଥିବା ଶ୍ରମିକମାନେ ମୁଖ୍ୟତଃ ପୋଲସରା, ଖଲ୍ଲିକୋଟ, କବିସୂର୍ଯ୍ୟ ନଗର, ସୋରଡା, ଆସ୍କା ଓ ହିଂଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀର। କିନ୍ତୁ ଜିଲ୍ଲାର ସମସ୍ତ ୧୩ ବିଧାନସଭା କ୍ଷେତ୍ରରେ ଏମାନଙ୍କ ଦବଦବା ଥାଏ। ଯଦି ଅତୀତ ଅଭିଜ୍ଞତା କିଛି ଶିକ୍ଷା ଦେଉଛି ତାହା ହେଲା ଭୋଟଗ୍ରହଣ ପୂର୍ବରୁ ଏମାନଙ୍କୁ ସୁରତରୁ ଆଣିବା ପାଇଁ ରାଜନୈତିକ ଦଳମାନେ ସବୁ ବ୍ୟବସ୍ଥା କରିଥାନ୍ତି। ସେମାନଙ୍କ ଯିବା ଆସିବା ଖର୍ଚ୍ଚକୁ ବହନ କରିବାଠାରୁ ଆରମ୍ଭ କରି ଅନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ।

କିନ୍ତୁ ଏଥର ନିର୍ବାଚନର ବହୁ ଆଗରୁ ସେମାନଙ୍କୁ ମନେଇବା ପାଇଁ ବିଜେପି ଓ ବିଜେଡି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦୁଇ ସପ୍ତାହ ତଳେ ଗୋପାଳପୁର ବିଧାୟକ ଓ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁରତ ଯାଇଥିଲେ।

ତେବେ ଏହି ଭୋଟ ଚକ୍କରରେ ବିଜେପି ମଧ୍ୟ କିଛି ପଛରେ ପଡ଼ିନାହିଁ। ସୁରତ ଓଡ଼ିଆଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ରଣନୀତି ପ୍ରସ୍ତୁତ କରାଯାଇଥିବା କଥା ଶୁଣାଯାଉଛି। ଏହି ରଣନୀତିର ଲକ୍ଷ୍ୟ ହେଉଛି ବିଜେଡି ଯେମିତି ସବୁତକ ଭୋଟ ନେଇ ନଯାଏ। ଦୁଇ ଦିନ ତଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀ ସୁରତରେ ଆୟୋଜିତ ଏକ ବିରାଟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଓଡ଼ିଶାର କଳା ସଂସ୍କୃତି ଆଦିକୁ ନେଇ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comment