ସୋନପୁରରୁ ସଞ୍ଜୟ କୁମାର ସାହୁ

ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଯାଇଛି ସୋନପୁର। ସେପ୍ଟେମ୍ବର ୧୪ରେ ନୂଆଁଖାଇ ପାଳନ ହେବ ବୋଲି ବଡ଼ ଜଗନ୍ନାଥଙ୍କ ମନ୍ଦିର ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର କରିଛନ୍ତି। ସେପ୍ଟେମ୍ବର ୧୪ ତାରିଖ ଶୁକ୍ରବାର ସକାଳ ୮ଟା ୩୧ ମିନିଟରୁ ୮ଟା ୪୫ ମିନିଟ ମଧ୍ୟରେ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଜନସାଧାରଣ ନିର୍ଦ୍ଧାରିତ ସମୟରେ ନବାନ୍ନ ସମର୍ପଣ ଓ ଗ୍ରହଣ କରିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ସ୍ଥିର କରିଛନ୍ତି।

ସଦର ପୌର ପରିଷଦ ଅଧ୍ୟକ୍ଷାଙ୍କ ଅନୁରୋଧକୁ ରକ୍ଷା କରି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରିବାକୁ ସର୍ବ ସମ୍ନତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପୂଜାରୀ କଳସସ୍ଥାପନ କଲାପରେ ପଣ୍ଡିତମାନଙ୍କ ଭିତରେ ଆଲୋଚନା ହୋଇଥିଲା।

ମା’ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ସହରର ଅଷ୍ଟ ଚଣ୍ଡୀଙ୍କ ପାଖରେ ନବାନ୍ନ ସମର୍ପଣ କରାଯିବ। ପରେ ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଜନସାଧାରଣ ନିଜ ଇଷ୍ଟଦେବଦେବୀଙ୍କ ପାଖରେ ନବାନ୍ନ ଲାଗି କରିବେ। ଲଗ୍ନର ଘଣ୍ଟାଏ ପୂର୍ବରୁ ମା’ ସମଲେଇ ମନ୍ଦିରରେ ଅଷ୍ଟଚଣ୍ଡୀଙ୍କ ପାଇଁ ପାହୁର ବାଢ଼ିବା ସହିତ ପାହୁର ଶୋଭାଯାତ୍ରା ସମ୍ପନ୍ନ କରିବାକୁ ପଣ୍ଡିତ ମହାସଭା ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଲଗ୍ନ ସ୍ଥିର ହେବା ପରେ ବଡ଼ ଜଗନ୍ନାଥଙ୍କ ପାଖରେ ଲଗ୍ନ ପତ୍ର ସମର୍ପଣ କରାଯାଇଛି।

ସୋନପୁରରେ ମା’ ସୁରେଶ୍ୱରୀଙ୍କୁ ନେଇ ଲଗ୍ନ ନିର୍ଣ୍ଣୟ କରାଯାଉଥିବା ବେଳେ ସମ୍ବଲପୁରରେ ମା’ ସମଲେଶ୍ୱେରୀ, ପାଟଣାଗଡ଼ରେ ପାଟମେଶ୍ୱରୀଙ୍କୁ ନେଇ ଏହି ଲଗ୍ନ ନିର୍ଣ୍ଣୟ କରାଯାଇଥାଏ।

Comment