ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଉଠିଲା ଆଗୁଆ ନିର୍ବାଚନ ଚର୍ଚ୍ଚା। ଆଗୁଆ ନିର୍ବାଚନ ରେସ୍‌ରେ ସାମିଲ ହେଲା ବିଜେଡି।

ଦେଶରେ ଏକକ ଏବଂ ଆଗୁଆ ନିର୍ବାଚନ କରିବାକୁ ବିଜେପି ଜୋର୍‌ ଦେଇ ଆସୁଛି। ଏନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ହେଲେ ଆଗୁଆ ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନ କିଛି ସ୍ପଷ୍ଟ କରି ନଥିବା ବେଳେ ବିଜେଡି ଆଜି ଏହି ରେସ୍‌ରେ ସାମିଲ୍ ହୋଇଛି।

ଦେଶରେ ଯଦି ଆଗୁଆ ଏବଂ ଏକାସଙ୍ଗେ ନିର୍ବାଚନ ହୁଏ ତାହାଲେ ଏଥିରେ ବିଜେଡିକୁ ସାମିଲ କରିବାକୁ ସାଂସଦ ପିନାକୀ ମିଶ୍ର ଦାବି କରିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ପିନାକୀ ଦଳ ପକ୍ଷରୁ ଏହି ଦାବି ଉପସ୍ଥାପନ କରିଛନ୍ତି। ଦଳ କାହିଁକି ଆଗୁଆ ଏବଂ ଏକକ ନିର୍ବାଚନ ସପକ୍ଷରେ ରହିଛି ତାର କାରଣ ମଧ୍ୟ ଦର୍ଶାଇଛନ୍ତି ପିନାକୀ।

“୨୦୦୪ ମସିହାରୁ ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହୋଇ ଆସୁଛି। ଏବେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବା ପାଇଁ ଯୋଜନା କରୁଛନ୍ତି। ଯଦି ଆଗୁଆ ନିର୍ବାଚନ ହୁଏ ତାହାଲେ ସେତେବେଳେ ଓଡ଼ିଶାର ବିଧାନସଭା ନିର୍ବାଚନ କରିବାକୁ ଆମେ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛୁ। କମିଶନ ଆମ କଥାକୁ ଗୁରୁତ୍ୱ ଦେଇଛନ୍ତି। ଆଗୁଆ ଏବଂ ଏକାଠି ନିର୍ବାଚନ ହେଲେ ରାଜକୋଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବନି”, କହିଛନ୍ତି ପିନାକୀ ମିଶ୍ର।

ପିନାକୀ ମିଶ୍ର ଆହୁରି କହିଛନ୍ତି ଯେ ଆଗୁଆ ନିର୍ବାଚନ ହେଲେ ରାଜ୍ୟର ୧ ହଜାର କୋଟି ଟଙ୍କା ଖର୍ଚ୍ଚ ବଞ୍ଚିଯିବ। ଏହାସହ ଆଚରଣ ବିଧି ଲାଗୁ ହେବା ଦ୍ୱାରା ଅଧିକ ସମୟ ବରବାଦ ହୁଏ। ଉନ୍ନୟନମୂଳକ କାମ ଅଟକି ଯାଏ। ଏକାଠି ନିର୍ବାଚନ ହେଲେ ଅଧିକ ସମୟ ଆଚରଣ ବିଧି ଲାଗୁ ହେବନି।

କେନ୍ଦ୍ର ସରକାର ଦେଶରେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଥିବାରୁ ବିଜେଡି ସେହି ସମୟରେ ଓଡ଼ିଶାରେ ନିର୍ବାଚନ କରିବାକୁ ଚାହୁଁଥିବା ପିନାକୀ କହିଛନ୍ତି।

୨୦୧୯ ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିବା ପରେ ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଥିଲା। ହେଲେ ବିଜେଡି ଆଜି ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ପୁଣି ଉଠିଛି।

Comment