ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଓଡ଼ିଶାରେ ବିଜୁ ବାବୁଙ୍କ ସହ ଲଢ଼ୁଥିଲା। ଏବେ ନବୀନ ବାବୁଙ୍କ ସହ ଲଢ଼ୁଛି। ୨୦୧୯ରେ ମଧ୍ୟ ସିଧାସଳଖ ଲଢ଼େଇ ହେବ। ବିଜେପିର ଚାନ୍ସ ନାହିଁ। କାରଣ ଓଡ଼ିଶାରେ ବିଜେପିର କିଛି ଖାତା ଖତିଆନ୍ ନାହିଁ। ବିଜେଡିକୁ ଟକ୍କର ଦେଇ କଂଗ୍ରେସ ପୁଣି ୧ ନମ୍ବର ଦଳ ହେବ ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି ଏଆଇସିସି ସମ୍ପାଦକ ତଥା ଗୁଜରାଟ ସହ-ପ୍ରଭାରୀ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

୨୦୧୯ ପାଇଁ କଂଗ୍ରେସ କେତେ ପ୍ରସ୍ତୁତ?

କଂଗ୍ରେସ ସବୁବେଳେ ପ୍ରସ୍ତୁତ ହୋଇ ରହିଛି। ଯେତେବେଳେ ବି ନିର୍ବାଚନ ହେବ ଆମେ ଲଢ଼େଇ କରିବୁ। କାରଣ କଂଗ୍ରେସର ନେତା ନିର୍ବାଚନ ଲଢ଼ନ୍ତି ନାହିଁ, କର୍ମୀମାନେ ନିର୍ବାଚନ ଲଢ଼ନ୍ତି।

କଂଗ୍ରେସ ଏବେ ଷ୍ଟ୍ରାଟେଜି ମୁଡ୍‌ରେ। ଆଗୁଆ ପ୍ରାର୍ଥୀ ଘୋଷଣା କଲେ ଲାଭ କ’ଣ ହେବ?

ନିର୍ବାଚନ ପୂର୍ବରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର। କଷ୍ଟକର ହେଲେ ବି ଆମ ଦଳ ପାଇଁ କିଛି ଭଲ ରହିବ। ଆଗୁଆ ପ୍ରାର୍ଥୀ ଦେଲେ ନିର୍ବାଚନମଣ୍ଡଳୀରେ ଥିବା ଦ୍ୱନ୍ଦ୍ୱ ଦୂର ହେବ। ଲୋକେ ଜାଣିପାରିବେ ଯେ କିଏ ଟିକେଟ ପାଇବ ଏବଂ ନପାଇବ? ଫଳରେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିବା ପାଇଁ ନିଜସ୍ୱ ରଣନୀତି ତିଆରି କରିପାରିବେ। ଲୋକମାନେ ଆଶଙ୍କାରେ ରହିବେନି।

ଆଗୁଆ ପ୍ରାର୍ଥୀ ଘୋଷଣା କଲେ ବିଦ୍ରୋହ ହେବାର ବହୁତ ସମ୍ଭାବନା?

କଂଗ୍ରେସ ହେଉଛି ବଡ଼ ଏବଂ ସବୁଠୁ ପୁରୁଣା ଦଳ। ଏହି ଦଳରେ ଅନେକ ସଦସ୍ୟ ଅଛନ୍ତି। ଏଣୁ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଅନେକ ଆଶାୟୀ ମଧ୍ୟ ରହିଛନ୍ତି। ଲୋକେ ମଧ୍ୟ ଆଶଙ୍କାରେ ଥିବେ ଯେ କଂଗ୍ରେସରୁ କିଏ ଟିକେଟ ନେବେ। ଏଣୁ ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଲେ ଦଳରେ ବିଦ୍ରୋହ ହେବାର ଆଶଙ୍କା ନାହିଁ। ନିର୍ବାଚନମଣ୍ଡଳୀରେ ନେତା ନେତାଙ୍କ ଭିତରେ ଯାହା ମନୋମାଳିନ୍ୟ ରହିଛି ତାହା ଆଗରୁ ସମାଧାନ ହୋଇଯିବା ଦରକାର। ନିର୍ବାଚନ ବେଳେ ବିଦ୍ରୋହକୁ ଏଡ଼ାଇବା ପାଇଁ ଆମ ଦଳ ଏହି ନୂଆ ଫର୍ମୁଲା ଆପଣାଇଛି।

କଂଗ୍ରେସ ବିଜେଡି-ବିଜେପିକୁ କେମିତି ଟକ୍କର ଦେବ?

୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ଶାସନ ଚାଲିଥିଲା। କଂଗ୍ରେସ ଏକାକୀ ଦୁଇ ଦଳ ସହ ଲଢ଼ିଥିଲା। ୨୦୦୯ ପରେ ମେଣ୍ଟ ଭାଙ୍ଗିଛି। ସମସ୍ତେ ଅଲଗା ଅଲଗା ଲଢ଼ୁଛନ୍ତି। କିନ୍ତୁ ଏଥର କଂଗ୍ରେସ ଫାଇଦାରେ ରହିବ। କାରଣ କେନ୍ଦ୍ରରେ ଥିବା ବିଜେପି ସରକାର ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଥିବାରୁ କଂଗ୍ରେସ ଏହାକୁ ପ୍ରସଙ୍ଗ କରିବ। ଉପା ସରକାର ଅମଳରେ ଓଡ଼ିଶାକୁ ଯେଉଁ ଅନୁଦାନ ଆସୁଥିଲା ତାହାକୁ ବନ୍ଦ କରି ଦେଇଛନ୍ତି ଏନଡିଏ ସରକାର। ବେକାର ଯୁବକ ଯୁବତୀ, ଚାଷୀମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇନି। ପେଟ୍ରୋଲ, ଡିଜେଲ ମୂଲ୍ୟ ଆକାଶଛୁଆଁ ହୋଇଛି।

ଏହାସହ ବିଜେପି-ବିଜେଡି ଭିତରେ ଏକ ଅଘୋଷିତ ମେଣ୍ଟ ହୋଇଥିବା ସ୍ପଷ୍ଟ ହୋଇଛି। ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତରେ ଶିଥିଳତାରୁ ଏହା ଜଣାପଡ଼ୁଛି ଯେ ବିଜେପି-ବିଜେଡି ଭିତରେ କ’ଣ ଚାଲିଛି? ଏଣୁ ଉଭୟ ଦଳ ନିର୍ବାଚନ ଲଢ଼ିଲେ ବି କଂଗ୍ରେସ ହିଁ ବିକଳ୍ପ ହୋଇ ଛିଡ଼ା ହେବ।

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦୂର ହେଲାଣି?

କଂଗ୍ରେସରେ ଆଦୌ କନ୍ଦଳ ନଥିଲା। ନେତା ନେତାଙ୍କ ଭିତରେ ମତାନ୍ତର ଥାଇପାରେ, ହେଲେ କେବେ ମନାନ୍ତର ନଥିଲା। ମତାନ୍ତର ଥିଲେ ବି କଂଗ୍ରେସ ନେତା ଏକାଠି ହୋଇ ନିର୍ବାଚନ ଲଢ଼ିଛନ୍ତି ଏବଂ ସଫଳତା ମଧ୍ୟ ପାଇଛନ୍ତି।

ଇନ୍ଦିରା ଗାନ୍ଧି, ନେହେରୁଙ୍କ ଅମଳରେ ନେତାଙ୍କ ଭିତରେ ମତାନ୍ତର ଥିବା ଚର୍ଚ୍ଚା ହେଉଥିଲା ଓଡ଼ିଶାରେ ଜାନକୀବଲ୍ଳଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳଙ୍କ ଅମଳରେ ମଧ୍ୟ କିଛି ନେତାଙ୍କ ମଧ୍ୟରେ ମତାନ୍ତର ଥିବା କୁହାଯାଉଥିଲା। ତା’ମାନେ ନୁହଁ ଯେ ଏଥିପାଇଁ କଂଗ୍ରେସ କ୍ଷମତାକୁ ଆସିନି। କଂଗ୍ରେସ ସବୁ ପରିସ୍ଥିତିକୁ ସାମ୍ନା କରି ଜାଣିଛି। ଠିକଣା ବେଳରେ ଠିକ୍ ଜବାବ ଦେବ ଆମ ଦଳ।

ନିରଞ୍ଜନ ପଟ୍ଟନାୟକ ବିଶାଳ ପିସିସି ଟିମ୍‍ ଗଠନ କରିଛନ୍ତି। ଏତେ ବଡ଼ ଟିମର ଆବଶ୍ୟକତା ଥିଲା କି?

ପିସିସି ସଭାପତି ଏବଂ ଏଆଇସିସି ଟିମ୍‍ ବିଚାର କରି ଏହି ଟିମ୍‍ ଗଠନ କରିଛନ୍ତି। ତେବେ ଏହି ବିଶାଳ ଟିମରେ କୌଣସି ଅସୁବିଧା ନାହିଁ। ନିର୍ବାଚନ ପରିଚାଳନା ପାଇଁ ବହୁତ ଲୋକଙ୍କର ଆବଶ୍ୟକତା ରହିଥାଏ। ମାଇକ୍ରୋ ମ୍ୟାନେଜମେଣ୍ଟ ପାଇଁ ଅଧିକ ଲୋକ ନିହାତି ଦରକାର।

୨୦୧୯ରେ ଓଡ଼ିଶାରେ କଂଗ୍ରେସର ଲଢେ଼ଇ କାହା ସହିତ ହେବ?

କଂଗ୍ରେସର ଲଢେ଼ଇ ବିଜେଡି ସହିତ ସିଧାସଳଖ ହେବ। କାରଣ ଓଡ଼ିଶାରେ ବିଜେପିର କିଛି ଅସ୍ତିତ୍ୱ ନାହିଁ। ଆମେ ଅତୀତରେ ବିଜୁ ବାବୁଙ୍କ ସହ ଲଢ଼ିଥିଲୁ। ଏବେ ବିଜେଡି ସହ ଲଢ଼ୁଛୁ ଏବଂ ୨୦୧୯ରେ ମଧ୍ୟ ଲଢ଼ିବୁ। ବିଜେପିର କିଛି ପକେଟ ଭୋଟ ଥାଇପାରେ, ହେଲେ ତୃଣମୂଳ ସ୍ତରରେ କିଛି ଖାତା ଖତିଆନ ନାହିଁ। ବିଜୁ ବାବୁଙ୍କୁ ପରାଜିତ କରି ଆମେ କ୍ଷମତାକୁ ଆସିଛୁ ଏବଂ ବିଜେଡିକୁ ହରାଇ ମଧ୍ୟ ଆମେ ପୁଣି ୧ ନମ୍ବର ସ୍ଥାନରେ ରହିବୁ।

କଂଗ୍ରେସ ଟିକେଟ ପାଇଁ ଏତେ ମାପଦଣ୍ଡ କାହିଁକି?

ବାରମ୍ବାର ହାରୁଛୁ ବୋଲି ମାପଦଣ୍ଡ କରାଯାଇଛି। ନହେଲେ ପୁଣି ହାରିଯିବାର ଭୟ ରହିଛି। ଏଥର ଜିତିବା ପ୍ରାର୍ଥୀଙ୍କୁ ହିଁ ଟିକେଟ ଦିଆଯିବ। କଂଗ୍ରେସ ସବୁବେଳେ ନୂଆ ମୁହଁକୁ ଗୁରୁତ୍ୱ ଦେଇ ଆସିଛି। ଏଥର ମଧ୍ୟ ନୂଆ ମୁହଁକୁ ଅଗ୍ରାଧିକାର ଦିଆଯିବ।

ରାଜ୍ୟସଭା ଉପସଭାପତି ନିର୍ବାଚନ ବେଳେ ବିଜେଡିର ସମର୍ଥନ କାହିଁକି ଲୋଡ଼ିଲାନି କଂଗ୍ରେସ?

ବିଜେଡିର ଜନ୍ମ ହେଉଛି ବିଜେପିରୁ। ତତ୍କାଳୀନ ବିଜେପି ନେତା ପ୍ରମୋଦ ମହାଜନ ଓଡ଼ିଶା ଆସି ବିଜେଡି ଗଠନରେ ସାମିଲ ହୋଇଥିଲେ। ବିଜେଡି ହିଁ ବିଜେପି ସହ ମେଣ୍ଟ କରିଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ। ଏଣୁ ବିଜେଡିର ସହଯୋଗ ମାଗିଥିଲେ କିଛି ଲାଭ ହୋଇନଥାନ୍ତା। ବିଜେପି ସହିତ ବିଜେଡି ଅଘୋଷିତ ମେଣ୍ଟ କରିଛି। ଏଣୁ ଆମେ କାହିଁକି ବିଜେଡିର ସମର୍ଥନ ଲୋଡ଼ିଥାନ୍ତୁ?

କାରଣ ବିଜେଡି ଜମି ଅଧିଗ୍ରହଣ ବିଲ୍‍, ବିମୁଦ୍ରାକରଣ, ଜିଏସଟି ବିଲକୁ ସମର୍ଥନ କରି ପରୋକ୍ଷରେ ବିଜେପିକୁ ସମର୍ଥନ କରିଥିଲା ଏଣୁ ରାଜ୍ୟସଭା ଉପ-ସଭାପତି ନିର୍ବାଚନରେ ଆମେ ସମର୍ଥନ ମାଗିଥିଲେ କ’ଣ ଲାଭ ମିଳିଥାନ୍ତା?

ରାହୁଲ ଗାନ୍ଧିଙ୍କ ପାଇଁ ଓଡ଼ିଶା କଂଗ୍ରେସର ବିପର୍ଯ୍ୟୟ ହେଉଥିବା ଅଭିଯୋଗ ହୁଏ। ସତ କି?

ସେମିତି କିଛି ଅଭିଯୋଗ ନାହିଁ। ଏହା କେବଳ ଅପପ୍ରଚାର। ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ସବୁବେଳେ ଓଡ଼ିଶାକୁ ଭଲପାଇ ଆସିଛନ୍ତି। ଓଡ଼ିଶର ସଙ୍ଗଠନ କଥା ସବୁବେଳେ ବୁଝିଥାନ୍ତି। ଯଦି ଓଡ଼ିଶା କଂଗ୍ରେସକୁ ରାହୁଲ ଗାନ୍ଧି ଅଣଦେଖା କରୁଥାନ୍ତେ ତାହାଲେ ଆଜି ମୁଁ ଗୁଜରାଟର ସହ-ପ୍ରଭାରୀ ହୋଇ ନଥାନ୍ତି। ଏମିତି ବହୁତ ଯୁବକ ଅଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ପ୍ରଭାବ ବିସ୍ତାର କରିଛନ୍ତି।

ମୋଦିଙ୍କ ଗଡ଼ ଗୁଜରାଟରେ ଆପଣ ସହ-ପ୍ରଭାରୀ। ସେଠି କଂଗ୍ରେସର ସ୍ଥିତି କ’ଣ?

ଗୁଜରାଟରେ ବିଜେପି ସରକାର ଥିବାରୁ ଏବଂ ମୋଦି ମୁଖ୍ୟମନ୍ତ୍ରୀ ଥିବାରୁ କୁହାଯାଉଛି ଗୁଜରାଟ ହେଉଛି ମୋଦିଙ୍କ ଗଡ଼। ହେଲେ ସେ ଗଡ଼ ଏବେ ଭୁଶୁଡ଼ୁଛି। ଗୁଜରାଟବାସୀ ବିଜେପି ଉପରେ ଅସନ୍ତୁଷ୍ଟ। ୨୦୧୭ ବିଧାନସଭା ନିର୍ବାଚନରେ ଆମେ ଜୋରଦାର ଲଢେ଼ଇ କରିଥିଲୁ। ଗୁଜରାଟର ଗ୍ରାମାଞ୍ଚଳରେ କଂଗ୍ରେସ ଭଲ ଭୋଟ ପାଇଥିଲା। ମୋଦି ବାରମ୍ବାର କହୁଛନ୍ତି ଗୁଜରାଟ ମଡେଲ। କିନ୍ତୁ କିଛି ମଡେଲ ନାହିଁ। ଗୁଜରାଟର ଚାରିଟି ସହରରେ ଉନ୍ନୟନମୂଳକ କାମ କରି ମୋଦି ଡିଣ୍ଡିମ ପିଟୁଛନ୍ତି।

କଂଗ୍ରେସରେ ଏତେ ଯୁବକ ଥାଉ ଥାଉ, ରାହୁଲ ଗାନ୍ଧି ଆପଣଙ୍କୁ କାହିଁକି ଗୁଜରାଟର ଦାୟିତ୍ୱ ଦେଲେ?

୨୦୦୮ରେ ରାହୁଲ ଗାନ୍ଧି ଏଆଇସିସି ଜେନେରାଲ ସେକ୍ରେଟାରୀ ହେବା ପରେ ସାରା ଦେଶରେ ସେ ଆରମ୍ଭ କଲେ ଟାଲେଣ୍ଟ ସର୍ଚ୍ଚ। ଏଥିରେ ସାରା ଦେଶର ବହୁ ଯୁବକ ସାମିଲ ହୋଇଥିଲେ। ଓଡ଼ିଶାରୁ ପ୍ରଦୀପ ମାଝି ଏବଂ ମୁଁ ଏଥିରେ ଭାଗ ନେଇଥିଲୁ। ପ୍ରଦୀପ ମାଝି ପରବର୍ତ୍ତୀ ସମୟରେ ସାଂସଦ ହୋଇଥିଲେ। ମୁଁ ସର୍ବ ଭାରତୀୟ ସ୍ତରରେ କାମ କରିବାର ସୁଯୋଗ ପାଇଲି। ବିଭିନ୍ନ ରାଜ୍ୟରେ ଯୁବ କଂଗ୍ରେସର ପ୍ରଭାରୀ ମଧ୍ୟ ଥିଲି । ସେତେବେଳେ ରାହୁଲ ଗାନ୍ଧି ନିଜେ ଇନଚାର୍ଜ ଥିଲେ। ରାହୁଲ ଗାନ୍ଧି ମୋ ପ୍ରଭାରୀ ଥିଲେ ଏବଂ ଜିତେନ୍ଦ୍ର ସିଂ ସହ ପ୍ରଭାରୀ ଥିଲେ। ଆମେ ଯାହା କରୁଥିଲୁ ସେତେବେଳେ ରାହୁଲ୍‍ ଗାନ୍ଧି ସେସବୁ ଅନୁଧ୍ୟାନ କରୁଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ମୁଁ କାମ କରିଛି। ଏସବୁକୁ ଆଧାର କରି ମତେ ଗୁଜରାଟ ଭଳି ରାଜ୍ୟର ସହ ପ୍ରଭାରୀ କରାଯାଇଛି ବୋଲି ମୁଁ ଭାବୁଛି।

୨୦୧୯ରେ ଆପଣ କେଉଁଠୁ ଲଢ଼ିବେ?

ଗୁଜରାଟ ଭଳି ଏକ ବଡ଼ ରାଜ୍ୟର ଦାୟିତ୍ୱ ମତେ ଦେଇଛନ୍ତି ରାହୁଲ ଗାନ୍ଧି। ଗୁଜରାଟ ପାଇଁ ମୁଁ ଏବେ କାମ କରୁଛି। ମୋ ନିଜ ନିର୍ବାଚନମଣ୍ଡଳୀ ନିମାପଡ଼ା ପାଇଁ ବେଶୀ ସମୟ ଦେଇ ପାରୁନି। ଦଳ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ମୁଁ ସୂଚାରୁରୂପେ ତୁଲାଇଛି। ନିମପଡ଼ାରେ ନିର୍ବାଚନ ଲଢ଼ିବି କି ନାହିଁ ତାହା ରାହୁଲ ଗାନ୍ଧି ହିଁ ନିଷ୍ପତ୍ତି ନେବେ।

ରିପୋର୍ଟ: ସରୋଜ ମହାପାତ୍ର

Comment