ଓଡ଼ିଶାଲାଇଭ୍ ବ୍ୟୁରୋ

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ଡାକ୍ତରଖାନାକୁ ଏକ ସ୍ୱୟଂ ସଂପୂର୍ଣ୍ଣ ଡାକ୍ତରଖାନାରେ ପରିଣତ କରିବା ପାଇଁ ଏହି ଆନ୍ଦୋଳନ କରିଛନ୍ତି।

ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଜନସାଧାରଣ ଆଜି ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ ଭୋଇଙ୍କ ନେତୃତ୍ବରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥାନୀୟ ତ୍ରିବେଣୀ ଛକରୁ ଜନସାଧାରଣ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ଷ୍ଟାଫ ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ପଦ ପଦବୀ ପୂରଣ ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଦାବିରେ ଜନସାଧାରଣ ଏହି ଆନ୍ଦୋଳନ କରୁଛନ୍ତି। ଦାବି ପୂରଣ ପାଇଁ ରାଜନୈତିକ ଦଳମତ ନିର୍ବିଶେଷରେ ଶତାଧିକ ନାଗରିକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣାରେ ବସିଛନ୍ତି।

ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏଇ ଗଣଧାରଣା ଜାରି ରହିବ ବୋଲି ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ ଭୋଇ, ପୂର୍ବତନ କୃଷି ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ, କୋଶଳବାଦୀ ନେତା କିଶୋର ହୋତା ପ୍ରମୁଖ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ଉଭୟ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଳକର ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଜନସାଧାରଣ ଏଇ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏହାର ବିକାଶ ଦିଗରେ ନୀରବ ରହୁଥିବା ଆନ୍ଦୋଳନକାରୀ ଜନସାଧାରଣ ଅଭିଯୋଗ କରିଛନ୍ତି।

Comment