ଇଶ୍ୱର ପଟ୍ଟନାୟକ

  • ଜଳଭଣ୍ଡାରରେ ବୁଡି ରହିଛି ଇଲେକ୍ଟ୍ରି ଖୁଣ୍ଟ
  • ମାଓବାଦୀଙ୍କ ଭୟରେ କଲବଲ ଅଞ୍ଚଳବାସୀ
  • ଅଞ୍ଚଳବାସୀଙ୍କୁ ଭୟଭୀତ କରୁଛି ଅନ୍ଧାର

ମାଲକାନଗିରି: ବିଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ଏହି ସ୍ୱାଭିମାନ ଅଞ୍ଚଳ ଏବେ ଅନ୍ଧକାର ମଧ୍ୟରେ ରହିଛି। ଦୀର୍ଘ ୧୫ ଦିନ ହେଲାଣି ଅନ୍ଧାରରେ ରହୁଛନ୍ତି ଅନେକ ଗ୍ରାମବାସୀ।

ଗୋଟିଏ ପଟେ ଘେରିଛି ମାଓବାଦୀଙ୍କ ଭୟ ତ ଅନ୍ୟପଟେ କଲବଲ କରିଦେଲାଣି ରାତିର ଅନ୍ଧାରମୟ ଜୀବନ। ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବଢିବା ଫଳରେ ବିଦ୍ୟୁତ ଖୁଣ୍ଟଗୁଡିକ ବୁଡି ରହିଛି। ଫଳରେ ସଜାଡିବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ।

୧୫ ଦିନ ହେଲାଣି ଅନ୍ଧାରିଆ ଜୀବନ ବିତାଉଛନ୍ତି ସ୍ୱାଭିମାନବାସୀ। କିଛିଦିନ ତଳେ ଗୁରୁପ୍ରିୟା ସେତୁକୁ ଲୋକାର୍ପଣ କରିଲେ ଖୋଦ୍ ମୁଖ୍ୟମନ୍ତ୍ରୀ। ସ୍ୱାଭିମାନବାସୀଙ୍କୁ ଦେଖେଇଲେ କେତେ କ’ଣ ସ୍ୱପ୍ନ। ଲୋକେ ଆଶା କରିଥିଲେ ଅନ୍ତତଃ ମୌଳିକ ସୁବିଧାରୁ ତ ଆଉ ବଞ୍ଚିତ ହେବେନି।

ହେଲେ ଏବେ ଅନ୍ଧାରରେ ବିତାଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ଦିନ ହେଲାଣି ଅନ୍ଧାରକାରମୟ ସମଗ୍ର ସ୍ୱାଭିମାନ ଅଞ୍ଚଳ। ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବଢିଯିବା ଯୋଗୁଁ ବିଜୁଳି ଖୁଣ୍ଟଗୁଡିକ ଅଧାରୁ ଅଧିକ ଅଂଶ ପାଣିରେ ବୁଡି ରହିଛି।

ଡ୍ୟାମର ଉଚ୍ଚତାକୁ ଦୃଷ୍ଟିରେ ନରଖି ଖୁଣ୍ଟଗୁଡିକ କେମିତି ସ୍ଥାପନ କରାଗଲା ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ବାରମ୍ବାର ଗୁହାରୀ କରିବା ସତ୍ତ୍ୱେ ଏଥିପ୍ରତି କାହାରି ଧ୍ୟାନ ନାହିଁ। ଏପରିକି ଖୋଦ୍ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗୁହାରୀ କରିଛନ୍ତି ଅଞ୍ଚଳବାସୀ।

ଗୋଟିଏ ପଟେ ମାଓବାଦୀଙ୍କ ଭୟ ରହିଥିବା ବେଳେ ରାତିର କିଟିକିଟା ଅନ୍ଧାର ଜୀବନ ଅସ୍ତବ୍ୟସ୍ତ କରୁଥିବା କହିଛନ୍ତି ସ୍ୱାଭିମାନ ଅଞ୍ଚଳର ଲୋକେ। ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ।

ସ୍ୱାଭିମାନ ଅଞ୍ଚଳରେ ବିଦ୍ୟୁତ ସରବରାହ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଘରେ ବଲବ୍ ଲାଗିଛି, ଟିଭି ବି ରହିଛି ହେଲେ ବିଜୁଳି ନଥିବା ଫଳରେ ଏଗୁଡିକ ଅକାମି ହୋଇପଡିଛି। ଲୋକେ ମୋବାଇଲ ଚାର୍ଜ କରିବା, ପିଲାମାନେ ପାଠ ପଢିବା ଭଳି ସମସ୍ୟା ସୃଷ୍ଟି ହୋଇଛି।

ବିଶେଷ କରି ରୋଗୀ, ଗର୍ଭବତୀ ମହିଳା ସ୍ବାସ୍ଥ୍ୟ ସେବା ପାଇବାରେ ବଡ ସଙ୍କଟ ଦେଖାଯାଇଛି ବୋଲି କହିଛନ୍ତି ସେଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ। ଅପର ପକ୍ଷରେ ତୁରନ୍ତ ବିଦ୍ୟୁତ ସରବରାହକୁ ସ୍ୱଭାବିକ କରିବାକୁ ସାଉଥ୍-କୋ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାନାଥ ଶତପଥି।

Comment