ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ସହିତ ବିଜେଡିର ଲିଙ୍କ! ଏହି ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି। ବିଜେଡି ବିଧାୟକଙ୍କ ପୃଷ୍ଠପୋଷକତାରେ ଟିଟୋ ଅପରାଧିକ ଓ ଅର୍ଥନୈତିକ ସାମ୍ରାଜ୍ୟ ବଢ଼ାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବିଜେଡି ସହିତ ଗ୍ୟାଙ୍ଗଷ୍ଟର ଟିଟୋର ଥିଲା ଲିଙ୍କ୍। ବିଜେଡି ନେତାଙ୍କ ସହଯୋଗରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରି ଗ୍ୟାଙ୍ଗଷ୍ଟର ତାହାର ଅର୍ଥନୈତିକ ସାମ୍ରାଜ୍ୟ ବଢ଼ାଇ କୋଟିକୋଟି ଟଙ୍କାର ଅଧିକାରୀ ହୋଇପାରିଛି। ଏହାଛଡା ଟିଟୋ ବିଜେଡିର ପୃଷ୍ଠପୋଷକତାରେ ଅପରାଧିକ ସାମ୍ରାଜ୍ୟ ମଧ୍ୟ ବଢ଼ାଇଥିଲା। ଏହାପଛରେ ଶସକ ଦଳର ନେତା ଓ ସରକାରୀ କଳର ହାତ ରହିଥିବା ଭାଗବତ ପ୍ରସାଦ ମହାନ୍ତି କହିଛନ୍ତି।

ଟିଟୋ ଶାସକ ଦଳର ଠିକାଦାରଙ୍କୁ କୋଟି କୋଟି ଟଙ୍କାର ଠିକାକାମ ଦେଇ ମୁନାଫା ନେଇଛି। ଏହି ଟଙ୍କା ସେ ନେତାଙ୍କୁ ମଧ୍ୟ ଦେଇଛି। ଫଳରେ ଦୀର୍ଘ ଦୁଇ ଦସନ୍ଧି ଧରି ଜିଲ୍ଲାର ଉନ୍ନୟନମୂଳକ ଯୋଜନା ଏକ ପ୍ରକାର ଠପ୍ ହୋଇଯାଇଥିଲା।

ଜିଲ୍ଲାର ବାଲିଘାଟକୁ ସାଗମାଛ ଦରରେ ନିଲାମ ନେଇଥିଲା ଟିଟୋ। ନିଲାମ ପରିମାଣଠାରୁ ଅଧିକ ବାଲି ଉଠାଣ କରି କୋଟିପତି ହୋଇଥିଲା ଟିଟୋ। ଟିଟୋର ଏହି ବେଆଇନ କାମ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଚାଲିଥିଲା। ପ୍ରଶାସନିକ ଅଧିକାରୀ ସବୁ ଜାଣି ଚୁପ୍ ରହିଥିଲେ ବୋଲି କହିଛନ୍ତି ଶ୍ରୀ ମହାନ୍ତି। ଟିଟୋ-ନେତାଙ୍କ ଭିତରେ ମଧୁଚନ୍ଦ୍ରିକା ପାଇଁ ସରକାର କୋଟକୋଟି ଟଙ୍କାର ରାଜସ୍ୱ ହରାଇଛନ୍ତ।ରାଜନେତାଙ୍କ ହାତ ରହିଥିବାରୁ ଟିଟୋ ହତ୍ୟା, ଡକାୟତି, ରାହାଜାନି ଭଳି ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ପୋଲିସ ଗିରଫ କରୁ ନଥିଲା।

ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଗତ ଏପ୍ରିଲ ୯ ତାରିଖରେ ଟିଟୋର ସାନଭାଇ ସୟେଦ ଆହେସାନ ଅଲ୍ଲି ନବୀନ ନିବାସରେ ବିଜେଡିରେ ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଏବଂ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ହାତ ରହିଥିଲା।

ବିଜେଡି ନେତାଙ୍କ ସହାୟତାରେ ଟିଟୋର ଜଣେ ଭାଇକୁ କେନ୍ଦ୍ରାପଡ଼ା ସହରରେ ଡିଲରସିପ୍‌ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନକଲି ରାସନ କାର୍ଡ ଏଠାରୁ ଜବତ କରାଯାଇଥିଲା।ସେହିପରି ଟିଟୋର ଭିଣୋଇ ମିର ମୁସ୍ତାକ ବକ୍ସକୁ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି କରାଯାଇଥିଲା। କିନ୍ତୁ ସେ ଚାଉଳ ଘୋଟାଲାରେ ସଂପୃକ୍ତ ହେବା ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

“ବଡ଼ଚଣା ବିଧାୟକଙ୍କ ସହିତ ଟିଟୋର ବ୍ୟବସାୟିକ ସମ୍ପର୍କ ରହିଥିଲା ବୋଲି ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକମାନଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅଭିଯୋଗ ହେଉଥିଲେ ହେଁ କେହି ପ୍ରତିବାଦ କରି ନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ନେତାମାନେ ଟିଟୋ ସହ ସମ୍ପର୍କ ରଖିଥିଲେ”,  କହିଛନ୍ତି ଭାଗବତ ପ୍ରସାଦ ମହାନ୍ତି।

ପେଟ୍ରୋଲ ପମ୍ପ କରିବା ପାଇଁ ଟିଟୋକୁ କେନ୍ଦ୍ରାପଡ଼ା ସହରର ମୁଖ୍ୟ ସ୍ଥାନରେ ଜାଗା ଯୋଗାଇ ଦେଇଥିବା ତତ୍କାଳୀନ ଜିଲ୍ଲାପାଳ ଦେବରାଜ ସେନାପତି ଇତିମଧ୍ୟରେ ବିଜେଡିରେ ଯୋଗ ଦେଇଥିବା ଭାଗବତ ଅଭିଯୋଗ କରିଛନ୍ତି।

ଏହାଛଡା ବରଗଡ ଜିଲ୍ଲାରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପାଇଁ କେନ୍ଦ୍ରାପଡ଼ା ଜିଲାରୁ ଯେତେ ଗାଡ଼ି ଯାଇଥିଲା ତାହା ଟିଟୋ ଯୋଗାଇଥିବା ଭାଗବତ କହିଛନ୍ତି। ବିଜେଡିର ଏହି କ୍ରିମିନାଲ ଲିଙ୍କର ତଦନ୍ତ କାହିଁକି ଏସ୍‌ଟିଏଫ୍ କରୁନାହିଁ ବୋଲି ଭାଗବତ ପ୍ରଶ୍ନ ଉଠାଇଛନ୍ତି। ଟିଟୋ-ବିଜେଡି ଲିଙ୍କର ସିବିଆଇ ତଦନ୍ତ ଦାବି କରିଛନ୍ତି ଭାଗବତ।

Comment