ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରା ଘୋଟାଲା, ଓମ୍‌ଫେଡ୍ ଦୁର୍ନୀତି ପରେ ଏବେ ଦାମ ସମବାୟ ଦୁର୍ନୀତି କଥା ଉଠାଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ଜଣକ ପରେ ଜଣେ ମନ୍ତ୍ରୀଙ୍କୁ ନିଶାନା କରୁଛନ୍ତି। ଗତ ଦୁଇ ଦିନ ହେଲା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଥିବା ଦାମ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଣ ମାରିଛନ୍ତି। ସମବାୟ ଋଣ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବା ଦାମ ଅଭିଯୋଗ ଆଣିବା ପରେ ରାଜନୀତି ଶିବିର ହଲ୍‌ଚଲ୍ ହୋଇଯାଇଛି।

“ସମବାୟ ଋଣ ପ୍ରଦାନରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅଣଚାଷ ସମୟରେ ୬୦ ପ୍ରତିଶତ ଋଣ ଦିଆଯାଇଥିବା ବେଳେ ବାକି ୪୦ ପ୍ରତିଶତ କେବଳ କାଗଜ କଲମରେ ସୀମିତ ରହିଛି। ଯିଏ ଏହି ଦୁର୍ନୀତିରେ ଜଡ଼ିତ ଥିଲେ ତାଙ୍କ ବିରୋଧରେ ତଦନ୍ତ କରିବାକୁ ମୁଁ ସେତେବେଳେ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲି। କିନ୍ତୁ ଗଡ଼ଫାଦରଙ୍କ ପାଇଁ କିଛି ହେଲାନି। ରେଜିଷ୍ଟ୍ରାର ସେତେବେଳେ ମୋ’ କଥା ଶୁଣିଲେ ନାହିଁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଦାମ ଆହୁରି କହିଛନ୍ତି ଯେ ସମବାୟ ବିଭାଗର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତ ପଣ୍ଡା ସେତେବେଳେ ହାଇକୋର୍ଟରୁ ଆଗୁଆ ଏକ ନିର୍ଦ୍ଦେଶନାମା ନେଇ ଆସିଥିଲେ। ଫଳରେ ତାଙ୍କ ବିରୋଧରେ କିଛି କରାଗଲା ନାହିଁ। ହେଲେ ସେ ଦୋଷମୁକ୍ତ ହେଲେ ନାହିଁ। ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଥିଲେ ମଧ୍ୟ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା। ଏହା କେବଳ ସମ୍ଭବ ହୋଇଥିଲା ଗଡଫାଦରଙ୍କ ପାଇଁ।

“ମୁଁ ଯେତେବେଳେ ସମବାୟ ବିଭାଗର ମନ୍ତ୍ରୀ ଥିଲି ଏହି ଦୁର୍ନୀତି ବିଷୟରେ ଜାଣିବା ପରେ ରେଜିଷ୍ଟ୍ରାରଙ୍କ ଚିଠି ଲେଖିଥିଲି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲି। କିନ୍ତୁ ମୋ ଆଦେଶକୁ ରେଜିଷ୍ଟ୍ରାର ପାଳନ କଲେନାହିଁ”, କହିଛନ୍ତି ଡାକ୍ତର ରାଉତ।

ଖାଲି ସେତିକି ନୁହେଁ, ସମବାୟ ବିଭାଗରେ କମ୍ପ୍ୟୁଟର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ କହିଛନ୍ତି।

ଦାମ କହିଛନ୍ତି, “ରାଜ୍ୟର ସମସ୍ତ କୋ-ଅପରେଟିଭ୍ ସୋସାଇଟିରେ କମ୍ପ୍ୟୁଟର ଲଗାଇବା ପାଇଁ ରାଜ୍ୟ ସରକାର ୩୭ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ଟଙ୍କାରେ କମ୍ପ୍ୟୁଟର କିଣାଯାଇ ସବୁ ସୋସାଇଟିକୁ ପଠା ଯାଇଥିଲା। କିନ୍ତୁ ୭୦୦ ସୋସାଇଟିର ନିଜସ୍ବ କୋଠା ନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ନଥିଲା। ତେବେ ଏସବୁ କମ୍ପ୍ୟୁଟର କାହିଁକି କିଣାଗଲା। ଯଦି କିଣାଯାଇଥିଲା ସେଗୁଡ଼ିକ କୁଆଡ଼େ ଗଲା?”

ସମବାୟ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାମ ଦାବି କରିଛନ୍ତି।

ଏପଟେ ଦାମ ସମବାୟ ବିଭାଗ ନାଁରେ ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସେ କହିଛନ୍ତି, “ମୁଁ ବର୍ଷେ ହେଲା ସମବାୟ ବିଭାଗର ମନ୍ତ୍ରୀ ହୋଇଛି। ମୋ ପୂର୍ବରୁ ଦାମ ବାବୁ ତିନି ବର୍ଷ ହେଲା ଏହି ବିଭାଗର ମନ୍ତ୍ରୀ ଥିଲେ। ତେବେ ତାଙ୍କ ଅମଳରେ ନା ପୂର୍ବରୁ ଦୁର୍ନୀତି ହୋଇଥିଲା ତାହା ସେ ସ୍ପଷ୍ଟ କରିବା ଦରକାର। ଦୁର୍ନୀତି ହୋଇଛି ବୋଲି ପ୍ରମାଣ ଦେଲେ ବିଭାଗୀୟ ମନ୍ତ୍ରୀ ହିସାବରେ ମୁଁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବି।”

ଗତ ଦୁଇଦିନ ହେଲା ଦାମ ଚାରା ଘୋଟାଲା ଏବଂ ଓମ୍‌ଫେଡ୍ ମିଲ୍କ ପାଉଚ ପଲିଥିନ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅମଳରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ। ଏହାଛଡ଼ା ମନ୍ତ୍ରୀପଦ ଯିବା ପଛରେ ମହାରଥୀଙ୍କ ହାତ ରହିଥିବା କହିଥିଲେ ଦାମ।

Comment