ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତବନ୍ଦ ବେଳେ ଆଜି ନୂଆଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ। ଗୋଟିଏ ମଞ୍ଚରେ ଏକାଠି ହୋଇ ମହାମେଣ୍ଟ ଗଠନ ପାଇଁ ସଙ୍କେତ ଦେଇଛନ୍ତି।

ଭାରତ ବନ୍ଦ ବେଳେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ। ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ସଭାରେ ବିରୋଧୀ ଦଳର ନେତା ଏକାଠି ହୋଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜଧାନୀ ଦିଲ୍ଲୀରେ ବିରୋଧୀ ଏକତାକୁ ଦେଖି ୨୦୧୯ରେ ହେବାକୁ ଥିବା ମହାମେଣ୍ଟର ନେତୃତ୍ୱ ରାହୁଲ ଗାନ୍ଧି ନେବେ ବୋଲି ଚର୍ଚ୍ଚା ହେଉଛି।

ମୋଦି ସରକାର ଏବଂ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏକାଠି ହେଉଛନ୍ତି ବିରୋଧୀ। ଏହାର ଏକ ଝଲକ୍ ଦେଖିବାକୁ ମିଳିଥିଲା କର୍ଣ୍ଣାଟକରେ। କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଗୋଟିଏ ମଞ୍ଚରେ ଏକାଠି ହୋଇଥିବାରୁ ମହାମେଣ୍ଟର ମୂଳଦୁଆ ପଡ଼ିଲା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମହାମେଣ୍ଟର ନେତୃତ୍ବ କିଏ ନେବେ ସେନେଇ କୌଣସି ସଙ୍କେତ ମିଳି ନଥିଲା। ସୋନିଆ ଗାନ୍ଧି ଉପାର ଅଧ୍ୟକ୍ଷା ଥିବାରୁ ସେ ହିଁ ମହାମେଣ୍ଟର ନେତୃତ୍ୱ ନେଇପାରନ୍ତି ବୋଲି କୁହାଗଲା। କିନ୍ତୁ ଆଜିର ରାଲି ସ୍ପଷ୍ଟ କରୁଛି ଯେ ସୋନିଆ ମହାମେଣ୍ଟର ନେତୃତ୍ୱ ନେବାକୁ ପ୍ରସ୍ତୁତ ନାହାନ୍ତି। ରାହୁଲଙ୍କ ହାତରେ ମହାମେଣ୍ଟର କମାଣ ଦେବାକୁ ସୋନିଆ ଚାହୁଁଥିବା ଆଜିର ପ୍ରତିବାଦସଭାରୁ ସଙ୍କେତ ମିଳୁଛି।

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଭାରତ ବନ୍ଦ ଡାକରା ଦେଇଥିଲା। ଏହି ଅବସରରେ ରାମଲୀଳା ମଇଦାନରେ ଆୟୋଜିତ ହୋଇଥିଲା ଗଣଧାରଣା। ଏହି ଧାରଣାରେ ସାମିଲ ହୋଇଥିଲେ କଂଗ୍ରେସର ବହୁ ତୁଙ୍ଗ ନେତାଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତା।

ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରୁ ପଦଯାତ୍ରାରେ ଆସି ଧାରଣାରେ ସାମିଲ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧି ବି ଧାରଣାସ୍ଥଳକୁ ଆସିଥିଲେ। କିନ୍ତୁ ସମସ୍ତେ ଯାହା ଚାହୁଁଥିଲେ ସେମିତି କିଛି ଘଟିଲା ନାହିଁ।

ସମସ୍ତଙ୍କର ଆଶା ଥିଲା କି ସୋନିଆ ଗାନ୍ଧି ଏହି ପ୍ରତିବାଦସଭାରେ କିଛି ଉଦବୋଧନ ଦେବେ। ହେଲେ ରାହୁଲଙ୍କ ସହ କଥା ହୋଇ ଧାରଣାସ୍ଥଳରୁ ଫେରି ଆସିଥିଲେ ସୋନିଆ। ଏହାପରେ ରାହୁଲ ଉଦବୋଧନ ଦେଇଥିଲେ। ସିଧା ମୋଦି ସରକାରଙ୍କ ଉପରେ ବର୍ଷିଥିଲେ।

ସୋନିଆ ଗାନ୍ଧି ଉଦବୋଧନ ନଦେବା ଏବଂ ରାହୁଲ ମିଳିତ ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ ମୋଦିଙ୍କୁ ସମାଲୋଚନା କରିବା କଥା ୨୦୧୯ ପାଇଁ ବଡ଼ ସଙ୍କେତ ଦେଉଛି। କୁହାଯାଉଛି କି ରାହୁଲ ହିଁ ୨୦୧୯ରେ ମହାମେଣ୍ଟର ନେତୃତ୍ବ ନେବେ। ଏହା ସୋନିଆ ଚାହୁଁଥିବା ଚର୍ଚ୍ଚା ହେଉଛି।

୨୦୧୭ ଡିସେମ୍ବର ମାସରେ ସୋନିଆ କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ପୁଅ ରାହୁଲଙ୍କୁ କଂଗ୍ରେସର ଅଧ୍ୟକ୍ଷ ଗାଦିରେ ବସାଇଥିଲେ। ହେଲେ ସୋନିଆ ଉପା ଅଧ୍ୟକ୍ଷା ପଦ ଛାଡ଼ି ନଥିଲେ। ଏଣୁ ସୋନିଆ ହିଁ ମହାମେଣ୍ଟର ନେତୃତ୍ୱ ନେବେ ବୋଲି କୁହାଯାଉଥିଲା। କିନ୍ତୁ ସୋନିଆଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ରାଜନୀତିରୁ ଓହରିବାକୁ ଚାହୁଁଛନ୍ତି। ୨୦୧୯ରେ ପୁଅ ରାହୁଲଙ୍କ ପାଇଁ ରାସ୍ତା ପରିସ୍କାର କରୁଥିବା ଜାତୀୟ ରାଜନୀତିରେ ଚର୍ଚ୍ଚା ବିଷୟ ପାଲଟିଛି।

Comment