ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବଢ଼ିଲା ଅଡ଼ୁଆ।

ଦଳ ବିରୋଧରେ ମୁହଁ ଖୋଲି ଅଡ଼ୁଆରେ ପଡ଼ିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଗତ ତିନି ଦିନ ଧରି ତିନି ବିଭାଗର ଗୁମର ଖୋଲିବା ପରେ ଆଜି ଦାମଙ୍କ ବିରୋଧରେ ଫେରାଦ ହୋଇଛନ୍ତି ନେତା। ଦାମଙ୍କୁ ବିଜେଡିରୁ ବିଦା କରିବା ପାଇଁ ଜଗତସିଂହପୁର ଜିଲ୍ଲାର ଦୁଇ ନେତା ନବୀନ ନିବାସ ଯାଇଥିଲେ। ଦାମ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ କରିଥିଲେ।

ନବୀନ ନିବାସରେ ପହଞ୍ଚିଲା ଦାମଙ୍କ ବିରୋଧରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଏହି ଦୁଇ ନେତା ଆଜି ନବୀନ ନିବାସ ଯାଇ ଦାମଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଦାମଙ୍କ ବିରୋଧରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ଏହି ଦୁଇ ନେତା।

ଅଭିଯୋଗରେ ଦର୍ଶାଯାଇଛି ଯେ ଦାମ ଦଳରେ ଥାଇ ସୀମା ଉଲ୍ଲଂଘନ କରୁଛନ୍ତି। ଦଳୀୟ ନେତାଙ୍କ ବିରୋଧରେ ଗଣମାଧ୍ୟମରେ ଅଭିଯୋଗ କରୁଛନ୍ତି। ଦଳର କଥାକୁ ପଦାରେ ପକାଇ ଦଳକୁ ହଟହଟା କରୁଛନ୍ତି। ଏଣୁ ଦାମଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଜଗତସିଂହପୁର ଜିଲ୍ଲାର ଦୁଇ ନେତା ଦାବି କରିଛନ୍ତି।

“ଦାମ ଅପରାଧୀଙ୍କ ଘଣ୍ଟ ଘୋଡ଼ାଉଛନ୍ତି। ଦଳିତଙ୍କ ବିରୋଧରେ ମନ୍ତବ୍ୟ ଦେଇ ସେ ଅଡ଼ୁଆରେ ପଡ଼ିଥିଲେ। ତାଙ୍କ ନାଁରେ ମାମଲା ରହିଛି। ସବୁବେଳେ ଦଳର କଥାକୁ ବାହାରେ ପ୍ରକାଶ କରୁଛନ୍ତି। ଏଣୁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଯଥାର୍ଥତା ରହିଛି”, କହିଛନ୍ତି ବିଷ୍ଣୁ ଦାସ।

ପ୍ରଶାନ୍ତ ମୁଦୁଲି କହିଛନ୍ତି, “ଦାମ ସବୁବେଳେ ଦଳୀୟ ନେତାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଫଳରେ ଦଳ ପାଇଁ ଅଡ଼ୁଆ ବଢ଼ୁଛି। ଏରସମାରେ ଆୟୋଜିତ କାର୍ଯ୍ୟକ୍ରମରେ ଦାମ ଦଳ ବିରୋଧରେ କହିଥିଲେ। ଗଣମାଧ୍ୟମରେ ମଧ୍ୟ ସେ ବିଭିନ୍ନ ସମୟରେ ଦଳ ବିରୋଧରେ ଚର୍ଚ୍ଚା କରୁଛନ୍ତି।”

ଏହି ଦୁଇ ନେତା ନବୀନ ନିବାସରେ ଫେରାଦ ହେବା ପରେ ଦାମ ଜବାବ ରଖିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀପଦ ଏବଂ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ମତେ ବାହାର କରାଯାଇଛି। ସେତେବେଳେ ମୁଁ ନବୀନଙ୍କ ପାଖକୁ ଯାଇନି। ଏବେ ଯଦି ମତେ ମହିଷ୍କାର କରିବାକୁ ଚାହୁଁଛନ୍ତି ତାହାଲେ କରନ୍ତୁ। ମୋର କିଛି କରିବାର ନାହିଁ।”

ବିଜେପି ଯିବା ଉପରେ ମତ ରଖିଛନ୍ତି ଦାମ। ସେ କହିଛନ୍ତି ଯେ ବିଜେପିକୁ ଯିବାର ପ୍ରଶ୍ନ ଉଠୁନି।

“ବିଜେଡିରୁ ବହିଷ୍କାର କରିବା ପରେ ଯଦି ବିଜେପି ମତେ ୧୦ କୋଟି ଟଙ୍କା ଯାଚେ ତାହାଲେ ବି ମୁଁ ବିଜେପିକୁ ଯିବିନି। ଲୋକ ଚାହିଁବା ଯାଏଁ ନିର୍ବାଚନ ଲଢ଼ିବି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ସେ ଆହୁରି କହିଛନ୍ତି ଯେ ବିଷ୍ଣୁ ଦାସ କ’ଣ ତାହା ନବୀନ ବାବୁ ଭଲଭାବେ ଜାଣିଛନ୍ତି। ତାଙ୍କ କଥାରେ ସେ ମତେ କ’ଣ ଦଳରୁ ବହିଷ୍କାର କରିଦେବେ କି? ପ୍ରଶାନ୍ତ ମୁଦୁଲି ବାଉଳା ହେଉଥିବାରୁ ସେ ଏମିତି ହେଉଛନ୍ତି।

ଗତ ଦୁଇ ଦିନ ତଳେ ଦାମ ଚାରା ଘୋଟାଲା ଏବଂ ଓମଫେଡ୍ ମିଲ୍କ ପାଉଚ ପଲିଥିନ କିଣାରେ ଦୁର୍ନୀତି ହେବା ନେଇ ଅଭିଯୋଗ କରିଥିଲେ। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଟାର୍ଗେଟ କରିଥିଲେ। ସମବାୟ ବିଭାଗର ଦୁର୍ନୀତି ପେଡ଼ି ମଧ୍ୟ ଖୋଲିଥିଲେ ଦାମ। ବିଜେଡିର ଗଡଫାଦରଙ୍କ କଥା କହିଥିଲେ ଦାମ। ଗଡଫାଦରଙ୍କ ପାଇଁ ଦୁର୍ନୀତି ହେଉଥିବା ଦାମ କହିଥିଲେ।

Comment