ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଓଡ଼ିଶା ଅମଲା ସଂଘର ଜିଲ୍ଲା ସମ୍ମିଳନୀ। ଅମଲାମାନଙ୍କ ସମସ୍ୟା ସମ୍ପର୍କରେ ହେଲା ଆଲୋଚନା।

କେନ୍ଦ୍ରାପଡ଼ା: ଆନ୍ଦୋଳନ ନୁହେଁ, ଆଲୋଚନା ମାଧ୍ୟମରେ ଦାବି ହାସଲ କରିବାକୁ ଓଡ଼ିଶା ଅମଲା ସଂଘ ଚାହେଁ। ଏହି ମତ ଆସିଛି କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ଅମଲା ସଂଘର ଜିଲ୍ଲା ସମ୍ମିଳନୀରୁ। ସରକାର ଓଡ଼ିଶା ଅମଲା ସଂଘର ବହୁ ଦାବି ଆଲୋଚନା ମାଧ୍ୟମରେ ପୂରଣ କରିଥିବାରୁ ଜିଲ୍ଲାମାନଙ୍କରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଦାବିକୁ ସରକାର ନିଶ୍ଚୟ ପୂରଣ କରିବେ ବୋଲି ସଂଘର ରାଜ୍ୟ ନେତାମାନେ ଆଶା ପ୍ରକଟ କରିଛନ୍ତି।

ଓଡ଼ିଶା ଅମଲା ସଂଘର ଏହି ଜିଲ୍ଲା ସମ୍ମିଳନୀରେ ଜିଲ୍ଲାମାନଙ୍କରେ ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଅମଲାମାନଙ୍କର ଗ୍ରେଡ ପେ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି। ରାଜ୍ୟରେ ୩ଟି ଶ୍ରେଣୀରେ ଅମଲାମାନେ କାର୍ଯ୍ୟ କରୁଛନ୍ତି। ପ୍ରଥମ ଶ୍ରେଣୀର ଅମଲା ହେଉଛନ୍ତି ରାଜ୍ୟ ସଚିବାଳୟର ଅମଲା। ଦ୍ୱିତୀୟରେ ରାଜ୍ୟର ଡାଇରେକ୍ଟୋରେଟ୍ ତଥା ବିଭାଗୀୟ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଅମଲା। ତୃତୀୟ ଶ୍ରେଣୀର ଅମଲା ହେଉଛନ୍ତି ରାଜ୍ୟର ଜିଲ୍ଲାମାନଙ୍କରେ କାର୍ଯ୍ୟରତ ଅମଲାମାନଙ୍କୁ ବୁଝାଏ।

ସରକାର ପ୍ରଥମେ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଓ ତା’ପରେ ଏହାକୁ ଇଣ୍ଟରମିଡିଏଟ କରାଯାଇଥିଲା। ଏବେ ଏହା ଗ୍ରାଜୁଏଟକୁ ବଢାଇଛନ୍ତି ସରକାର। ତେବେ ସରକାର ଅମଲାମାନଙ୍କର ବେତନରେ ତାରତମ୍ୟ କରିଛନ୍ତି। ପ୍ରଥମ ଦୁଇ ଶ୍ରେଣୀର ଗ୍ରାଜୁଏଟ୍ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଅମଲାମାନଙ୍କ ପାଇଁ ସରକାର ସେମାନଙ୍କର ଦରମାରେ ଗ୍ରେଡ ପେ ୪୨୦୦ ଟଙ୍କା ରଖିଛନ୍ତି। ହେଲେ ଜିଲ୍ଲାରେ କାର୍ଯ୍ୟ କରୁଥିବା ୩୨ଟି ବିଭାଗରେ ଏହି ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତାଧାରୀ ଅମଲାମାନଙ୍କୁ ୧୯୦୦ ଟଙ୍କା ଗ୍ରେଡ ପେ ଦେଉଛନ୍ତି।

ଫଳରେ ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୩୨ ହଜାର ୫୦୦ ଅମଲା ସରକାରଙ୍କର ଏପରି ବେତନ ତାରତମ୍ୟର ଶିକାର ହେଉଛନ୍ତି। ତେଣୁ ସରକାରଙ୍କ ସହିତ ଓଡ଼ିଶା ଅମଲା ସଂଘ ଆଲୋଚନା କରି ରାଜ୍ୟରେ କାର୍ଯ୍ୟରତ ଗ୍ରାଜୁଏଟ ଶିକ୍ଷାଧାରୀ ଅମଲାମାନଙ୍କ ପାଇଁ ଏହି ସୁବିଧା ପହଞ୍ଚାଇବାକୁ ସଂଘ ନିଷ୍ପତ୍ତି ନେଇଛି।

ଏହାଛଡ଼ା ଅମଲାମାନଙ୍କର କଣ୍ଟ୍ରାକଚୁଆଲ ନିଯୁକ୍ତି ବ୍ୟବସ୍ଥାକୁ ବନ୍ଦ କରିବା ସହିତ ଜୁନିୟର କ୍ଲର୍କ, ସିନିୟର କ୍ଲର୍କ ଓ ହେଡ କ୍ଲର୍କ ସ୍ଥାନରେ ଏହି ପଦବୀକୁ ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ ଓ ସେକ୍ସନ୍ ଅଫିସର ପଦବୀରେ ନାମିତ କରିବା ଓ ନୂତନ ଭାବରେ ଏଷ୍ଟାବ୍ଲିସେମଣ୍ଟ ଅଫିସର ଓ ସିନିୟର ଏଷ୍ଟାବ୍ଲିସେମଣ୍ଟ ଅଫିସର ପଦବୀ ସୃଷ୍ଟି କରିବାକୁ ସଂଘ ସରକାରଙ୍କ ସହିତ ଆଲୋଚନା ଆରମ୍ଭ କରିଛି।

ଏହାଛଡ଼ା ଆର୍‌ଏସିପି ଓ ଏମ୍‌ଏସିପି ମଧ୍ୟରେ ଥିବା ବୈଷମ୍ୟ ଦୂର କରିବା ଆଉ ସପ୍ତମ ବେତନ କମିଶନ ଅନୁସାରେ, ଘରଭଡ଼ା ଦିଆଯିବାକୁ ସରକାରଙ୍କ ନିକଟରେ ଦାବି ରଖିଛି ସଂଘ। ଓଡିଶା ଅମଲା ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଘୀୟ ଜିଲ୍ଲା ମୁଖ୍ୟମାନେ ଯୋଗ ଦେଇଥିବାବେଳେ ଓଡିଶା ଅଣଗେଜେଟେଡ୍ ସମନ୍ୱୟ ସମିତିର ସାଧାରଣ ସଂପାଦକ ବ୍ରଜ କିଶୋର ନନ୍ଦ, ସଭାପତି ଜ୍ୟୋତିରଞ୍ଜନ ପଟ୍ଟନାୟକ, ରାଜ୍ୟ ଅମଲା ସଂଘର ସଭାପତି ଶତୃଘ୍ନ ପାଣିଗ୍ରାହୀ ସାଧାରଣ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ କେନ୍ଦ୍ରାପଡ଼ା ଜିଲ୍ଲା ଅମଲା ସଂଘର ସଭାପତି ଅଞ୍ଜନ ଶତପଥି ଓ ସଂପାଦକ ବିଶ୍ୱ ପ୍ରକାଶ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

ଏହି ମହାସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଓ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ମାନସ ପରିଡ଼ା ଯୋଗ ଦେଇଥିଲେ। ରାଜ୍ୟସଭା ସାଂସଦ ପ୍ରତାପ ଦେବ ସଂଘର ସମସ୍ତ ସମସ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Comment