ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତର ଦାମୋଦର ରାଉତଙ୍କ ଅଭିଯୋଗକୁ ସମର୍ଥନ କରି ବୈଜୟନ୍ତ ପଣ୍ଡା ବିଜେଡିରେ କଙ୍ଗାରୁ କୋର୍ଟ ଭଳି କାମ ଚାଲିଥିବା କହିଛନ୍ତି।

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ଆଜି ପୁଣି ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଣିଥିବା ଅଭିଯୋଗକୁ ସମର୍ଥନ କରି ବୈଜୟନ୍ତ କହିଛନ୍ତି ଯେ ବିଜେଡିରେ ଯାହା ଚାଲିଛି କିଛି ଠିକ୍ ଚାଲିନି। ଦଳରେ କଙ୍ଗାରୁ କୋର୍ଟ ଚାଲିଥିବା ବୈଜୟନ୍ତ ଗଣମାଧ୍ୟମରେ କହିଛନ୍ତି।

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବ୍ଳକଗ୍ରାଣ୍ଟ ଶିକ୍ଷକମାନେ ୨୫ରୁ ଅଧିକ ଦିନ ହେଲା ଧାରଣାରେ ବସିଛନ୍ତି। ସରକାରଙ୍କ ସେମାନଙ୍କ ଦାବି ଶୁଣୁ ନାହାନ୍ତି। ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ବୈଜୟନ୍ତ ଆସିଥିଲେ ଧାରଣାସ୍ଥଳକୁ। ଶିକ୍ଷକମାନଙ୍କ ଦାବିକୁ ସମର୍ଥନ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ବୈଜୟନ୍ତଙ୍କୁ ବିଜେଡି ରାଜନୀତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଯେଉଁ ଅଭିଯୋଗ ଆଣିଛନ୍ତି ସେ ବିଷୟରେ ପ୍ରଶ୍ନ କରିବା ପରେ ବୈଜୟନ୍ତ ତାଙ୍କ ପ୍ରତିକ୍ରିୟା ଦେଇଥିଲେ।

“ଦାମ ବାବୁ ହେଉଛନ୍ତି ଜଣେ ବରିଷ୍ଠ ନେତା। ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଗମ୍ଭୀର ବିଷୟ। ଏହାର ତର୍ଜମା ଏବଂ ଯାଞ୍ଚ ହେବା ଦରକାର। ପ୍ରଥମ ଦୁଇ ତିନିଟି ଟର୍ମରେ ଏଭଳି ଅଭିଯୋଗ ଆସିଲେ ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। କିନ୍ତୁ ଏବେ କାର୍ଯ୍ୟାନୁଷ୍ଠାନ ହେଉନି”, କହିଛନ୍ତି ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ଆହୁରି କହିଛନ୍ତି ଯେ ଦାମ ବାବୁ ଟେର୍ କଥା କହିଛନ୍ତି ତାଙ୍କ କ୍ଷେତ୍ରରେ ଦଳ କ’ଣ କରିବ ସେ ସମ୍ପର୍କରେ ମୁଁ କହିପାରିବି ନାହିଁ। କିନ୍ତୁ ଏତିକି କହିବି ଯେ ବିଜେଡିରେ ବିଜୁ ସମର୍ଥକମାନେ ରହୁ ନାହାନ୍ତି।

ବୈଜୟନ୍ତ-ବିଜେଡି ବିବାଦ ବେଳେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ କର୍ମୀ ଏବଂ ନେତାମାନେ ଆସି ବୈଜୟନ୍ତଙ୍କ ବିରୋଧରେ ଫେରାଦ ହୋଇଥିଲେ। ପରେ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା। ଏବେ ଦାମ ବାବୁଙ୍କ କ୍ଷେତ୍ରରେ ସେଭଳି ଘଟଣା ଘଟିଛି। ଜଗତ୍‌ସିଂହପୁର ଜିଲ୍ଲାରୁ ନେତା ଓ କର୍ମୀ ନବୀନ ନିବାସକୁ ଆସି ନବୀନଙ୍କୁ ଦାମଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି, “ଲୋକଙ୍କ ମନରେ କିଛି ନାହିଁ। ତାଙ୍କୁ ଯାହା ଶିଖା ଯାଉଛି ସେ ସେହି କଥା ହିଁ କହୁଛନ୍ତି। ବାହାରକୁ ଆସିବା ପରେ ଲୋକମାନଙ୍କ ମନରେ ସେମିତି କିଛି ରହୁନି। ଏଭଳି କାମ ହେଉଛି କଙ୍ଗାରୁ କୋର୍ଟ ଭଳି। ଏହା ଗଣତନ୍ତ୍ର ଏବଂ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ।”

ଆଜି ଡାକ୍ତର ଦାମୋଦର ରାଉତ ବିଜେଡି ପରିଚାଳନା ଉପରେ ଆଙ୍ଗୁଠି ଉଠାଇଛନ୍ତି। ଏହାସହ ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ମନଭରି ବର୍ଷିଛନ୍ତି।

Comment