ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସେପ୍ଟେମ୍ବର ୨୪ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ।

ଗତ ଦୁଇ ଦିନ ତଳେ ଶେଷ ହୋଇଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ। ଏହି କାର୍ଯ୍ୟକାରିଣୀରେ ଓଡ଼ିଶା-ପଶ୍ଚିମବଙ୍ଗ-ତେଲେଙ୍ଗାନା ଦଖଲ କରିବାର ନକ୍ସା ପ୍ରସ୍ତୁତ କରାଯାଇଛି। ଏହାକୁ ଆଧର କରି ବିଜେପି ଏବେ ୨୦୧୯ ପାଇଁ ସଜବାଜ ହେଉଛି। ଓଡ଼ିଶାରେ ବିଜେପି କର୍ମକର୍ତ୍ତାଙ୍କୁ ଜୋସ୍‌ ଦେବା ପାଇଁ ପୁଣିଥରେ ରାଷ୍ଟ୍ରିୟ ସଭାପତି ଅମିତ ଶାହ ଓଡ଼ିଶା ଆସୁଛନ୍ତି।

୨୪ ତାରିଖରୁ ୨୭ ତାରିଖ ଯାଏଁ ପୁରୀରେ ଆୟୋଜିତ ହେଉଛି ବିଜେପି ମହିଳା ମୋର୍ଚ୍ଚାର ଅଧିବେଶନ। ଏହି ଅଧିବେଶନରେ ଓଡ଼ିଶା ବିଜେପିର ମହିଳା ନେତ୍ରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ। ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ପାଇଁ ଏବଂ ସାଙ୍ଗଠନିକ ପାଠ ପଢ଼ାଇବା ପାଇଁ ଶାହ ପୁରୀ ଅସୁଛନ୍ତି।

ଶାହ ଆସିବାର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଆସୁଛନ୍ତି। ୨୨ ତାରିଖରେ ମୋଦି ଝାରସୁଗୁଡ଼ା ବିମାନ ବନ୍ଦର, ଏମ୍‌ସିଏଲ୍‌ର ନୂଆ ରେଳ ଲାଇନକୁ ଲୋକାର୍ପଣ କରିବେ। ଏହାସହ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବେ। ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଥିବା ବେଳେ ଶାହଙ୍କ ଗସ୍ତସୂଚୀ ସମ୍ପର୍କରେ ଜଣାପଡ଼ିବା ପରେ ରାଜନୀତିରେ ଉଷ୍ମତା ଭରି ଯାଇଛି।

ମୋଦି ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି ଓଡ଼ିଶା। ହେଲେ ଅମିତ ଶାହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବାରୁ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଶାହଙ୍କ ଟାର୍ଗେଟରେ ମହିଳା ଭୋଟ

ମାର୍ଚ୍ଚ ମାସରେ ଅମିତ ଶାହ ପଶ୍ଚିମ ଓଡ଼ିଶା ଗସ୍ତରେ ଆସିଥିଲେ। ଭବାନିପାଟଣା ଏବଂ ବଲାଙ୍ଗିରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ବଲାଙ୍ଗିରରେ ଆୟୋଜିତ ଯୁବ ସମାବେଶରେ ଶାହ ଉଦବୋଧନ ଦେଇ ଯୁବ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଯୁବ ଭୋଟରଙ୍କ ପରେ ଏବେ ଶାହଙ୍କ ନଜରରେ ଅଛନ୍ତି ମହିଳା ଭୋଟର। ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଶାହ ପୁରୀରେ ରଣନୀତି ପ୍ରସ୍ତୁତ କରିବେ।

ମହିଳା ଭୋଟରଙ୍କୁ ଆକର୍ଷିତ କରି ବିଜେପି ଓଡ଼ିଶାରେ ୨୦୧୯ ନିର୍ବାଚନ ପାର୍ ହେବାକୁ ଚାହୁଁଥିବା ଏବେ ସ୍ପଷ୍ଟ ହୋଇଛି।

ପୁରୀ ଅଧିବେଶନରେ ଶାହ ଓଡ଼ିଶାର ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ୨୦୧୯ ପାଇଁ ମିଶନ-୧୨୦ର ପାଠ ପଢ଼ାଇବେ। ଓଡ଼ିଶାର ବିଜେଡି ସରକାରକୁ ହଟାଇବା ପାଇଁ ଶାହ ମହିଳାଙ୍କୁ ନୂଆ ଅସ୍ତ୍ର କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

“ଓଡ଼ିଶା ସରକାର ମହିଳା ବିରୋଧୀ। ନାରୀମାନଙ୍କୁ ସମ୍ମାନ ଦେଉ ନାହାନ୍ତି ରାଜ୍ୟ ସରକାର। ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇବା ପାଇଁ ବିଜେପି ମହିଳା ମୋର୍ଚ୍ଚା ପୁରୀ ସମାବେଶରେ ସଙ୍କଳ୍ପ ନେବ। ଅମିତ ଶାହ ମହିଳା ମୋର୍ଚ୍ଚାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ”, କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା।

ଓଡ଼ିଶା ମା’ ମାନଙ୍କ ପାଇଁ ବିଜେଡି ଅନେକ ଯୋଜନା କରିଛି। ମହିଳାମାନଙ୍କ ଆସ୍ଥା ଜିତିଛନ୍ତି ନବୀନ ବାବୁ। ମୋଦି କି ଶାହ ଓଡ଼ିଶା ଆସିଲେ କିଛି ଫରକ ପଡ଼ିବନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ।

Comment