ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ରୋଡ ସୋ। ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁମ୍ବାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ ଆୟୋଜନ କରିଛନ୍ତି ଓଡ଼ିଶା ସରକାର। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି ନବୀନ।

ନଭେମ୍ବରରେ ଓଡ଼ିଶା ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ କରୁଛନ୍ତି। ୧୧ରୁ ୧୫ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ୍। ଏହି କନକ୍ଲେଭରେ ଯୋଗଦେବା ପାଇଁ ନବୀନ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

“ଆଲୁମିନିୟମ୍ ଉତ୍ପାଦନରେ ଓଡ଼ିଶା ଦକ୍ଷିଣ ଏସିଆର ପ୍ରମୁଖ ରାଜ୍ୟ ହୋଇଛି। ଭାରତରେ ଯେତିକି ଆଲୁମିନୟମ ଉତ୍ପାଦନ ହେଉଛି ସେଥିରୁ ଓଡ଼ିଶାରେ ୫୪ ପ୍ରତିଶତ ଆଲୁମିନିୟମ ଉତ୍ପାଦନ ହେଉଛି। ଯଦି ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତି ତାହାଲେ ଆଗାମୀ ଦିନରେ ଓଡ଼ିଶା ‘ମାନୁଫାକ୍ଚରିଂ ହବ୍’ରେ ପରିଣତ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶିଳ୍ପପତିମାନଙ୍କ ସହ ଆଲୋଚନା କରିବା ବେଳେ ନବୀନ ୧୮ ବର୍ଷ ଭିତରେ ଓଡ଼ିଶାରେ ହୋଇଥିବା ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ। ୧୮ ବର୍ଷ ଭିତରେ ଓଡ଼ିଶାରେ ବିଦ୍ୟୁତ ଶକ୍ତି ଉତ୍ପାଦନରେ ଅଭିବୃଦ୍ଧି ଘଟିବା ସହ ରାସ୍ତାଘାଟର ଉନ୍ନତିକରଣ ହୋଇଥିବା ନବୀନ ଇନଭେଷ୍ଟର୍ସ ମିଟ୍‌ରେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଇନଭେଷ୍ଟ ଓଡ଼ିଶା’ ୱେବ୍‌ସାଇଟ୍ ଉନ୍ମୋଚନ କରିଥିଲେ। ଏହି ୱେବ୍‌ସାଇଟରୁ ନିବେଶକାରୀମାନେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣିପାରିବେ। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍ ପାଇଁ ନୂଆଦିଲ୍ଲୀରେ ରୋଡ ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନବୀନ ସାମିଲ ହୋଇଥିଲେ।

କିଛିମାସ ତଳେ ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କରିଥିଲେ।

Comment