ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଦାମ ତାଙ୍କ ଗରମ ସ୍ୱରକୁ ନରମ କରିଛନ୍ତି।

ତିନି ଦିନରେ ଚାରୋଟି ବିଭାଗର ଦୁର୍ନୀତି ପେଡ଼ି ଖୋଲି ବିଜେଡିକୁ ଅଡ଼ୁଆରେ ପକାଇଥିଲେ ଡାକ୍ତର ଦାମୋଦର ରାଉତ। କୃଷି, ପଶୁ ସମ୍ପଦ, ସମବାୟ ଏବଂ ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲି ହଟଚମଟ ସୃଷ୍ଟି କରିଥିବର ଦାମ ଏବେ କାହିଁକି ନରମିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଠାତ୍ ନବୀନଙ୍କୁ ଭଲ ଲୋକ ଏବଂ ଚିତ୍ରକର କହି ପ୍ରଶଂସା କରିବା ପଛର କାରଣ କ’ଣ ଥାଇପାରେ ବୋଲି ରାଜନୀତି କରିଡ଼ରରେ ଆଲୋଚନା ହେଉଛି।

ଅତୀତରେ ଦାମ ଦଳ ବିରୋଧରେ ଅନେକ କଥା କହିଛନ୍ତି। ନେତାଙ୍କ ବିରୋଧରେ ବିଷୋଦ୍‌ଗାର କରି ଦଳକୁ ବିଭିନ୍ନ ସମୟରେ ଅଡ଼ୁଆରେ ମଧ୍ୟ ପକାଇଛନ୍ତି। କିନ୍ତୁ ଏଥର ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ବିଭିନ୍ନ ବିଭାଗର ଦୁର୍ନୀତି ପେଡ଼ି ଖୋଲିବା ସହ ଗଡଫାଦରଙ୍କ କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠାଇଥିଲେ।

ବିଜେଡିରେ ‘ଗଡଫାଦର’ କିଏ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ବିଭିନ୍ନ ଦୁର୍ନୀତି ପାଇଁ ଗଡଫାଦରଙ୍କୁ ଦାୟୀ କରି ବିରୋଧୀ ଭୂମିକା ନିଭାଇଥିଲେ ଦାମ। ହେଲେ ଗଡଫାଦର ପ୍ରସଙ୍ଗ ଉଠାଇବା ଦାମଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ଦାମଙ୍କର ଏହି ମନ୍ତବ୍ୟ ଦଳ ବିରୋଧୀ କାମ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି। ଫଳରେ ଦାମଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବା ହେଉଛି।

ଦାମ ଦଳ ବିରୋଧୀ କାମ କରୁଥିବାରୁ ତାଙ୍କୁ ବହିଷ୍କାର କରିବା ପାଇଁ ଜଗତସିଂହପୁର ଜିଲ୍ଲାର ବିଜେଡି କର୍ମୀ ଏବଂ ନେତା ଦାବି କରିଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ଅଭିଯୋଗ କରିବା ପରେ ଦାମଙ୍କ ଅଡ଼ୁଆ ବଢ଼ିଛି। ନବୀନ ଏହି ଅଭିଯୋଗପତ୍ର ଗ୍ରହଣ କରି ବିଚାର କରୁଥିବା କହିବା ପରେ ଦାମ ବିଜେଡିରୁ ବିଦା ହେବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଦାମଙ୍କୁ ବିଜେଡିର ତୁଣ୍ଡ ବୋଲି କୁହାଯାଏ। ଗଣମାଧ୍ୟମରେ ପ୍ରତିଦିନ ଦାମଙ୍କ ମନ୍ତବ୍ୟ ହେଡ୍‌ଲାଇନ୍‌ସ ପାଲଟିଥାଏ। ଦାମ ଏମିତି ଜଣେ ନେତା, ଯିଏ ମୁହଁ ଖୋଲିଲେ ନ୍ୟୁଜ ଏବଂ ନଖୋଲିଲେ ବି ନ୍ୟୁଜ୍। ତେବେ ଦାମ ସବୁବେଳେ ତାଙ୍କ ଚର୍ଚ୍ଚିତ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଦାମଙ୍କ ମନ୍ତବ୍ୟ ଦଳ ପାଇଁ ଅତୀତରେ ଅଡ଼ୁଆ ସୃଷ୍ଟି କରିଥିଲେ ବି କେବେ ବି କର୍ମୀ ନବୀନଙ୍କୁ ଫେରାଦ ହୋଇ ନଥିଲେ। ହେଲେ ଏଥର ତାଙ୍କ ନିଜ ଜିଲ୍ଲାର କର୍ମୀ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ଫେରାଦ ହେବା ଘଟଣା ଏହି ବରିଷ୍ଠ ନେତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ନବୀନ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ନବୀନ ଗଣମାଧ୍ୟମକୁ କହିଥିଲେ ଯେ ଦାମ ବାବୁଙ୍କ ବିରୋଧରେ କର୍ମୀମାନେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗକୁ ଗ୍ରହଣ କରିଛି। ଏହା ଉପରେ ବିଚାର କରିବି।

ନବୀନ ଏଭଳି ମନ୍ତବ୍ୟ ଦେବା ପରେ ବି ଦାମ ଚୁପ୍ ନଥିଲେ। ବିଜେଡି ଜଣେ ଆଇଏଏସ୍‌ ଅଫିସର ଏବଂ ତିନି ଜଣ ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି କହିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରିବା ପ୍ରଶ୍ନର ଉତ୍ତର ଦେଇ ଦାମ କହିଥିଲେ ଯେ ‘ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ’।

ତେବେ ପରବର୍ତ୍ତୀ ସମୟରେ ଦାମଙ୍କ ଶିବିର ନବୀନଙ୍କ ମନ୍ତବ୍ୟକୁ ହାଲୁକା ଭାବେ ଗ୍ରହଣ କରି ନାହାନ୍ତି। ଦିଲ୍ଲୀରୁ ଫେରିବା ପରେ ନବୀନ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଦାମଙ୍କ ଶିବିର ଗୁରୁତର ସହ ବିଚାର କରୁଛନ୍ତି। ଏଣୁ ଦିଲ୍ଲୀରୁ ଆସିବା ପୂର୍ବରୁ ଦାମ ତାଙ୍କ ଗରମ ସ୍ୱରକୁ ଆଜି ନରମ କରି ନବୀନଙ୍କୁ ପ୍ରଶଂସା କରିଥିବା କୁହାଯାଉଛି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜଣେ ଭଲ ଲୋକ। ଜଣେ ଚିତ୍ରକର ଭାବେ ତାଙ୍କର ଅନ୍ତର୍ଜାତୀୟ ସ୍ତରରେ ସୁନାମ ରହିଛି। ତାଙ୍କ ବିରୋଧରେ ମୁଁ ଆଜିଯାଏଁ ପଦେ ବି କହିନି। ହେଲେ ତାଙ୍କ ଅଧସ୍ତନମାନେ କିଛି କରୁ ନାହାନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି।”

ଦାମ ଆହୁରି କହିଛନ୍ତି ଯେ ସେ ଦଳକୁ ବିରୋଧ କରୁ ନାହାନ୍ତି। ଦୁର୍ନୀତିକୁ ବିରୋଧ କରୁଛନ୍ତି। ଅଫିସରମାନେ ଭଲ କାମ କରୁ ନାହାନ୍ତି।

ବରିଷ୍ଠ ନେତା ଦାମୋଦର ରାଉତ ଏଭଳି ମନ୍ତବ୍ୟ ଦେଇ ନବୀନଙ୍କୁ ଖୁସ୍ କରିବାକୁ ଚାହିଁଛନ୍ତି। ବିଜେଡିରେ ଏକମାତ୍ର ନେତା ନବୀନ ବୋଲି ସେ ତାଙ୍କ ମନ୍ତବ୍ୟରେ ଆଜି କହିବାକୁ ଚାହିଁଛନ୍ତି। ହେଲେ ନବୀନ ଏହାକୁ ଗ୍ରହଣ କରିବେ ତ? ଦାମଙ୍କ ବିରୋଧରେ ତୃଣମୂଳ ସ୍ତରର କର୍ମୀ ଆଣିଥିବା ଅଭିଯୋଗର ବିଚାର ନବୀନ କେମିତି କରୁଛନ୍ତି ତାହା ଦିଲ୍ଲୀରୁ ଫେରିବା ପରେ ସ୍ପଷ୍ଟ ହେବ।

Comment