ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ଆଇନଜୀବୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର, ବିଶେଷଜ୍ଞ ନଥିବାରୁ ରୋଗୀ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି।
ଆଇନଜୀବୀ ସଂଘ ପକ୍ଷରୁ କୁହାଯାଇଛି ଯେ ନିଶ୍ଚେତକ ବିଶେଷଜ୍ଞ ନାହାନ୍ତି। ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ଵାରା କାମ ଚଳା ନୀତିରେ ସବୁକିଛି ଚାଲିଛି। ସ୍ତ୍ରୀ ରୋଗ, ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ପାଇଁ ସ୍ୱତନ୍ତ୍ର କେବିନ ବ୍ୟବସ୍ଥା କରାଯାଇପାରୁ ନାହିଁ। ସଦର ମହକୁମା ଡାକ୍ତରଖାନାରେ ଥିବା ୫ଟି କ୍ୟାବିନରେ ୨୦ଟି କ୍ୟାବିନ କରିବା ପାଇଁ ଦ।ବି କରିଛନ୍ତି ଆଇନଜୀବୀ।
ମେଡିକାଲରେ ଗୋଟିଏ ଆମ୍ବୁଲାନ୍ସ ରହିଥିଲେ ମଧ୍ୟ ଏହା ବ୍ୟବହାର କରାଯାଉ ନାହିଁ। ନବରଙ୍ଗପୁର ସହରରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ମଧ୍ୟ ଦାବି କରିଛନ୍ତି। ୧୦ କୋଟି ଟଙ୍କା ବ୍ୟୟରେ ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଏହା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।
ବେଡ୍ ସଂଖ୍ୟା ବୃଦ୍ଧି କରିବା ସହ ଇସିଜି, ଅଲ୍ଟ୍ରାସାଉଣ୍ଡ, ଏକ୍ସରେ ସବୁ ଥାଇ ମଧ୍ୟ ପରୀକ୍ଷା କରିବାକୁ ରୋଗୀଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା କରିବାକୁ ଆଇନଜୀବୀ ସଂଘ ଦାବି କରିଛି।
ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ହରି ନାରାୟଣ ବେହେରା, ସହ ସମ୍ପାଦକ ଦାମୋଦର ତ୍ରିପାଠୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ରଙ୍କ ସହ ଆଇନଜୀବୀ ସମରେଶ ଗନ୍ତାୟତ, ମୃତ୍ୟୁଞ୍ଜୟ ମହାରଣା, ରବିନ୍ଦ୍ର ପାଢ଼ୀ, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଶ୍ରୀନିବାସ ପାତ୍ର, ପ୍ରଫୁଲ୍ଲ ସିଂ, ସଂଜୀବ ଭକ୍ତ, ବିଦୁ ଶେଖର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।














