ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ରେ ରାଜ୍ୟ ରାଜନୀତିରେ ହେବାକୁ ଯାଉଛି ନୂଆ ସମୀକରଣ! ପାରାଦୀପରେ ମୁହାଁମୁହିଁ ହୋଇ ପାରନ୍ତି ବାପା-ପୁଅ।

“ମୁଁ ସାଧାରଣ ଜୀବନରେ ଥିଲି ଏବଂ ଆଗକୁ ରହିବି। ମୁଁ ନିର୍ବାଚନ ଲଢ଼ିବି। ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳୀୟ ଟିକେଟର ଆବଶ୍ୟକତା ନାହିଁ”, ବିଜେଡିରୁ ବହିଷ୍କୃତ ହେବା ପରେ ଏହା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟା।

ଦାମଙ୍କ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ସେ ୨୦୧୯ରେ ନିର୍ବାଚନ ଲଢ଼ିବେ। ହେଲେ କେଉଁଠୁ? ଯଦି ପାରାଦୀପରୁ ନିର୍ବାଚନ ଲଢ଼ନ୍ତି ତାହାଲେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ବିରୋଧରେ କ’ଣ ନିର୍ବାଚନ ଲଢ଼ିବେ କି ବୋଲି ଏବେ ରାଜନୀତିକ ମହଲରେ ଆଲୋଚନା ଚାଲିଛି।

୨୦୧୭ ଡିସେମ୍ବର ୨୨ ତାରିଖ ସନ୍ଧ୍ୟା। ଟିଭି ପରଦାରେ ବ୍ରେକିଂ ନ୍ୟୁଜ ଆସିଲା ଯେ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଖବର ଶୁଣିବା ମାତ୍ରେ ରାଜନୀତି ଶିବିର ହଲଚଲ ହୋଇଗଲା। ଦାମଙ୍କୁ କାହିଁକି ନବୀନ ମନ୍ତ୍ରିମଣ୍ଡଳରୁ ହଠାତ୍ ବିଦା କଲେ ବୋଲି କାରଣ ଖୋଜାଗଲା। ଚର୍ଚ୍ଚା ହେଲା ଯେ ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବରେ ଦାମ ବ୍ରାହ୍ମଣମାନଙ୍କ ସମ୍ପର୍କରେ ନକରାତ୍ମକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ‘ଆଦିବାସୀମାନେ କେବେ ଭିକ ମାଗନ୍ତି ନାହିଁ। ବ୍ରାହ୍ମଣମାନେ ସବୁବେଳେ ଭିକ ମାଗନ୍ତି ବୋଲି ଇତିହାସ କହୁଛି’। ଏହି ଧାଡ଼ିଏ ମନ୍ତବ୍ୟ ପାଇଁ ଦାମ ପଡ଼ିଥିଲେ ହରଡ଼ଘଣାରେ। ସାରା ରାଜ୍ୟରେ ବ୍ରହ୍ମଣମାନେ ବିକ୍ଷୋଭ କରିଥିଲେ।

ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ଦାମଙ୍କୁ ବିଜେଡି ଉପ-ସଭାପତି ଏବଂ ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଗଲା।ଫଳରେ ଦାମ ବିଜେଡି ପାଇଁ ଅଲୋଡ଼ା ହୋଇଗଲେ। ଏହି ସମୟରେ ଅଚାନକ ବିଜେଡି ରାଜନୀତିରେ ଆବିର୍ଭାବ ହୋଇଥିଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ। ସମ୍ବିତଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ କରାଗଲା। ଏହାସହ ଜଗତସିଂହପୁର ଜିଲ୍ଲା ବିଜେଡିର ସୋସିଆଲ ମିଡିଆ ଗ୍ରୁପର ଦାୟିତ୍ୱ ମଧ୍ୟ ଦିଆଗଲା।

ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦାୟ ଏବଂ ତାଙ୍କ ପୁଅକୁ ବିଜେଡି ରାଜନୀତିରେ ସ୍ୱାଗତ କରିବା ଘଟଣା ସୂଚାଇ ଦେଲା ଯେ ଦାମଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ଚାହୁଁ ନାହାନ୍ତି। ପାରାଦୀପରେ ଦାମଙ୍କ ଜାଗାରେ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେବା ପାଇଁ ବିଜେଡି ଏକ ପ୍ରକାର ନିଷ୍ପତ୍ତି ନେଇଥିବା କୁହାଗଲା।

ଏହାପରେ ଡିସେମ୍ବର ୨୬ରେ ପୁରୀରେ ଅନୁଷ୍ଠିତ ହୋଇଥିଲା ବିଜେଡିର ପ୍ରତିଷ୍ଠା ଦିବସ। ହେଲେ ଏହି ସଭାକୁ ଦାମଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ସମ୍ବିତ ରାଉତରାୟଙ୍କୁ ପୁରୀ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ସମ୍ବିତ ନିଜ ସମର୍ଥକଙ୍କୁ ନେଇ ପୁରୀ ଯାଇଥିଲେ।

ମେ’ ୨୫ରେ ପାରାଦୀପରେ ଶେଷ ହୋଇଥିଲା ମହାନଦୀ ସୁରକ୍ଷା ଅଭିଯାନ। ଏହି ଉଦଯାପନୀ ସଭାରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ଦାମୋଦର ରାଉତଙ୍କୁ ଦେଖିବାକୁ ମିଳି ନଥିଲା। ଏହି ସଭାରେ ସମ୍ବିତଙ୍କୁ ଦେଖିବାକୁ ମିଳିଥିଲା। ଏସବୁ ଘଟଣା ସ୍ପଷ୍ଟ କରୁଛି ଯେ ଦାମଙ୍କୁ ବିଜେଡି ରାଜନୀତିରୁ ସାଇଡ୍ କରି ତାଙ୍କ ପୁଅ ସମ୍ବିତଙ୍କୁ ଫ୍ରଣ୍ଟଲାଇନ ରାଜନୀତିକୁ ଆଣିବା ପାଇଁ ବିଜେଡି ଚାହୁଁଛି। ବୁଧବାର ସନ୍ଧ୍ୟାରେ ହିଁ ଏହାର ଏକ ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ଡିସେମ୍ବର ମାସରୁ ମନ୍ତ୍ରିମଣ୍ଡଳ ଏବଂ ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିବା ଦାମଙ୍କୁ ଶେଷରେ ବିଜେଡି ସଭାପତି ନବୀନ ବହିଷ୍କୃତ କରିଛନ୍ତି। ଫଳରେ ବିଜେଡିର ଆଗଧାଡ଼ି ରାଜନୀତିକୁ ଆସିବା ପାଇଁ ସମ୍ବିତଙ୍କ ପାଇଁ ବାଟ ଫିଟିଥିବା ଚର୍ଚ୍ଚା ହେଉଛି।

୨୦୧୯ରେ ଜମିବ ଖେଳ

ଦାମଙ୍କ ବଦଳରେ ବିଜେଡି ପାରାଦୀପରୁ ସମ୍ବିତ ରାଉତରାୟଙ୍କୁ ଟିକେଟ ଦେବା ପାଇଁ ଗୋଟି ଚାଳନା କରୁଥିବା କୁହାଯାଉଛି। ଯଦି ସମ୍ବିତ ବିଜେଡି ଟିକେଟ ପାଆନ୍ତି ତାହାଲେ ବାପା-ପୁଅଙ୍କ ଭିତରେ ଖେଳ ଜମିବ ବୋଲି ଚର୍ଚ୍ଚା ହେଉଛି। ଦାମ ବହିଷ୍କୃତ ହେବା ପରେ ସ୍ପଷ୍ଟ କରିଛନ୍ତି ଯେ ସେ ସାର୍ବଜନୀକ ଜୀବନରେ ରହିବେ। ଆଗରୁ ଯେମିତି ଲୋକଙ୍କ ସହ ରହୁଥିଲେ ଆଗକୁ ମଧ୍ୟ ରହିବେ। ୨୦୧୯ରେ ନିର୍ବାଚନ ଲଢ଼ିବେ ବୋଲି ଦାମ କହିଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ଟିକେଟର ଆବଶ୍ୟକତା ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ଦାମ।

ବହିଷ୍କୃତ ହେବା ପରେ ଦାମ ଯେଉଁ ଦମ୍ଭ ଦେଖାଇଛନ୍ତି ସେଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ସେ ପାରାଦୀପ ନିର୍ବାଚନମଣ୍ଡଳୀରୁ ହିଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ। ଏପଟେ ବିଜେଡି ମ୍ୟାନେଜର ସମ୍ବିତଙ୍କୁ ଦଳୀୟ ଟିକେଟ ଦେବା ଲାଗି ଅଙ୍କ କଷୁଛନ୍ତି। ଦାମଙ୍କ ଗଡ଼ ପାରାଦୀପରେ ସମ୍ବିତଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ଉଦ୍ୟମ କରିବ। ହେଲେ ସମ୍ବିତଙ୍କୁ ପାରାଦୀପବାସୀ ଗ୍ରହଣ କରିବେ କି ନାହିଁ ତାର କିଛି ଗ୍ୟାରେଣ୍ଟି ନାହିଁ। ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ସମ୍ବିତ ଏଠାରେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ଯଦି ସମ୍ବିତ ବିଜେଡି ଟିକେଟ ପାଆନ୍ତି ତାହାଲେ ପାରାଦୀପରେ ଦାମ ଏବଂ ନବୀନଙ୍କ ଭିତରେ ଅସଲ ଲଢ଼େଇ ହେବ। ସମ୍ବିତ କେବଳ ନିର୍ବାଚନରେ ଗୋଟି ହେବେ।

ଶତ୍ରୁର ଶତ୍ରୁ ମିତ୍ର

ରାଜନୀତିରେ କେତେବେଳେ କ’ଣ ହେବ ତାହା କଳନା କରିବା କାଠିକର ପାଠ। ଯଦି ପାରାଦୀପରୁ ସମ୍ବିତ ବିଜେଡି ପାଆନ୍ତି ତାହାଲେ ତାଙ୍କୁ ଜିତାଇବା ହେବ ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ। ଏଣୁ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ସମ୍ବିତଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି।

ଜଗତସିଂହପୁର ରାଜନୀତିରେ ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ ଭାବେ ପରିଚିତ ଦାମ-ବିଷ୍ଣୁ। ଏହି ଦୁଇ ନେତାଙ୍କ ଭିତରେ ସମ୍ପର୍କ କ’ଣ ତାହା କାହାକୁ ଅଛପା ନାହିଁ। ଦଳିତ ପ୍ରସଙ୍ଗ ହେଉ କି ଜିଲ୍ଲା ରାଜନୀତିର ଯେ କୌଣସି ପ୍ରସଙ୍ଗ ହେଉ। ସବୁବେଳେ ଏହି ଦୁଇ ନେତା ପରସ୍ପର ବିରୋଧୀ ମନ୍ତବ୍ୟ ଦେଇଥାନ୍ତି। ଏବେ ଦାମଙ୍କ ବହିଷ୍କାର ପ୍ରସଙ୍ଗକୁ ବିଷ୍ଣୁ ସ୍ୱାଗତ କରିଛନ୍ତି। ଯଦି ୨୦୧୯ରେ ପାରାଦୀପରେ ବାପା-ପୁଅ ମୁହାଁମୁହିଁ ହୁଅନ୍ତି ତାହାଲେ ବିଷ୍ଣୁ ନବୀନଙ୍କ ସମ୍ମାନ ରକ୍ଷା କରିବା ପାଇଁ ଶତ୍ରୁର ପୁଅ ସମ୍ବିତଙ୍କ ସହ ମିତ୍ରତାର ହାତ ବଢ଼ାଇ ପାରନ୍ତି ବୋଲି ରାଜନୀତି ପର୍ଯ୍ୟବେକ୍ଷକ ଆକଳନ କରୁଛନ୍ତି।

ଏକାଠି ହେବେ କି ବିଜୁ ଅନୁଗତ?

ବିଜୁ ଜନତା ଦଳରେ ଯେଉଁ କେତେଜଣ ବିଜୁ ଅମଳର ନେତା ଥିଲେ ସେମାନଙ୍କ ଭିତରେ ଦାମ ଥିଲେ ଅନ୍ୟତମ। ଦାମଙ୍କ ପାଖରେ ଦୀର୍ଘ ୪୦ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି। ସେ ସବୁବେଳେ ବିଜୁ ଆଦର୍ଶ କଥା କହିଥାନ୍ତି। ଏବେ ଏହି ବିଜୁ ଅନୁଗତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା ପୂର୍ବରୁ ବିଜୁ ବାବୁଙ୍କ କଥା କହୁଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡି ସହ ସବୁ ସମ୍ପର୍କ ତୁଟାଇଛନ୍ତି।

ବିଜୁ ବାବୁଙ୍କ ପ୍ରମୁଖ ସହଯୋଗୀ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ମଧ୍ୟ ଦଳରୁ ବିଦା ହୋଇଛନ୍ତି। ବିଜୟ-ଦିଲ୍ଲୀପ ବିଜେପିରେ ଯୋଗ ଦେଇଥିଲେ ବି ସେମାନେ ଅଲୋଡ଼ା ହୋଇ ରହିଛନ୍ତି। ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ବଏହି ବିଜୁ ଲିଗାସୀ ନେତାମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇପାରନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ଚାଲିଛି।

ଦାମ ମନ୍ତ୍ରିମଣ୍ଡଳରୁ ବିଦା ହେବାର କିଛିଦିନ ପୂର୍ବରୁ ଏକ ଅପୂର୍ବ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ। ୨୦୧୭ ଡିସେମ୍ବର ୧୫ ତାରିଖରେ ଦାମ ବାବୁ ୭୬ ବର୍ଷରେ ପଦାର୍ପଣ କରିଥିଲେ। ଏଥିପାଇଁ ପାରାଦୀପରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ଉତ୍ସବରେ ଦାମ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ବର୍ଗର ଲୋକ ଫୁଲତାଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ହେଲେ ଏହି ଭିଡ଼ ଭିତରେ ଦେଖିବାକୁ ମିଳିଥିଲେ ବିଜେପି ନେତା ବିଜୟ ମହାପାତ୍ର। ବିଜୟ ଦାମଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆ କୋଳେଇ ନେଇଥିଲେ। ଏହି ଚିତ୍ର କଏଦ କରିଥିଲା ଗଣମାଧ୍ୟମର କ୍ୟାମେରା। ସେତେବେଳେ ଚର୍ଚ୍ଚା ହେଲା ଯେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀରକରଣ ବଦଳିବାକୁ ଯାଉଛି। ଏହାର କିଛିଦିନ ପରେ ଦାମ ମନ୍ତ୍ରୀପଦ ଏବଂ ବିଜେଡିର ବିଭିନ୍ନ ପଦ ପଦବୀ ହରାଇଥିଲେ।

ନିକଟରେ ଦାମ ଯେତେବେଳେ ବିଭିନ୍ନି ବିଭାଗର ଦୁର୍ନୀତି ପେଡ଼ି ଖୋଲୁଥିଲେ ସେତେବେଳେ ଦଳରେ ଜୋରଦାର ବିରୋଧ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ବିଜେଡି କର୍ମୀ ଓ ନେତା ନବୀନ ନିବାସ ଆସି ଦାମଙ୍କ ବିରୋଧରେ ନବୀନଙ୍କୁ ଫେରାଦ ହୋଇଥିଲେ। ଚର୍ଚ୍ଚା ହେଲା ଯେ ଦାମଙ୍କୁ ଖୁବଶୀଘ୍ର ବିଜେଡିରୁ ବିଦା କରାଯିବ। ହେଲେ ଏହି ସମୟରେ ବିଜେଡି ଛାଡ଼ିଥିବା ବୈଜୟନ୍ତ ପଣ୍ଡା ଦାମଙ୍କୁ ସମର୍ଥ କରିଥିଲେ। ଦାମ ବହିଷ୍କୃତ ହେବା ପରେ ବୈଜୟନ୍ତ ଟୁଇଟ୍ କରି ବିଜେଡିକୁ ସମାଲୋଚନା କରୁଛନ୍ତି। ଏହି ଘଟଣା ସ୍ପଷ୍ଟ କରୁଛି ଯେ ବିଜେଡି ଛାଡ଼ିଥିବା ବିଜୁ ଅନୁଗତମାନେ ୨୦୧୯ ପୂର୍ବରୁ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇପାରନ୍ତି।

ବିଜୁ ବିଚାର ମଞ୍ଚ ହୋଇପାରେ ରାଜନୀତିକ ଦଳ!

ବିଜେଡିରେ ପ୍ୟାରୀ ଯୁଗ ଚାଲିଥିବା ବେଳେ ବିଜୁ ଅନୁଗତ ହତାଦର ବୋଲି ଦାମ ସେତେବେଳେ ଅଭିଯୋଗ କରୁଥିଲେ। ସେ ପ୍ୟାରୀଙ୍କୁ ବିଭିନ୍ନ ସମୟରେ ଆକ୍ଷେପ ମଧ୍ୟ କରୁଥିଲେ। ବିଜେଡିରେ ପ୍ୟାରୀଙ୍କ କର୍ତ୍ତୃତ୍ବକୁ ଗ୍ରହଣ ନକରିବାରୁ ୨୦୦୭-୨୦୦୮ରେ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିତାଡ଼ିତ ହେବାକୁ ପଡ଼ିଥିଲା। ଫଳରେ ସେ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ। ହେଲେ ୨୦୦୯ ପରେ ଏହି ମଞ୍ଚର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ। ଏବେ ଦାମ ବିଜେଡିରୁ ବହିଷ୍କୃତ ହୋଇଥିବାରୁ ଏବଂ ବିଜୁ ଅନୁଗତ ପୁଣି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଥିବାରୁ ପୁଣି ବିଜୁ ବିଚାର ମଞ୍ଚ ଫ୍ରଣ୍ଟଲାଇନକୁ ଆସିପାରେ ବୋଲି କୁହାଯାଉଛି। ୨୦୧୯ ପୂର୍ବରୁ ବିଜୁ ବିଚାର ମଞ୍ଚକୁ ରାଜନୀତିକ ଦଳ ରୂପ ଦେଇ ବିଜୁ ଅନୁଗତ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment