ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶରେ ଦାମଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଦାମଙ୍କ ବହିଷ୍କାରକୁ ନେଇ କିଏ କ’ଣ କହୁଛନ୍ତି ଜାଣନ୍ତୁ ଏହି ରିପୋର୍ଟରୁ…

ମୁଁ ନିର୍ବାଚନ ଲଢ଼ିବି: ଦାମ

“ବହିଷ୍କାର ସମ୍ପର୍କରେ ମୁଁ କୌଣସି ଲିଖିତ ସୂଚନା ପାଇନି। ଗଣମାଧ୍ୟମରୁ ଖବର ପାଇଲି। ମତେ ବିନା କାରଣରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ବିନା କାରଣରେ ଦଳର ଉପ-ସଭାପତି ଏବଂ ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦିଆଯାଇଥିଲା। ଏବେ ବିନା କାରଣରେ ଦଳରୁ ବହିଷ୍କାର କରାଯାଇଛି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଦାମ ଆହୁରି କହିଛନ୍ତି, “ମୁଁ ସାଧାରଣ ଜୀବନରେ ଥିଲି ଏବଂ ଆଗକୁ ରହିବି। ମୁଁ ନିର୍ବାଚନ ଲଢ଼ିବି। ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳୀୟ ଟିକେଟର ଆବଶ୍ୟକତା ନାହିଁ।”

ବାଟବଣା ହୋଇଯାଇଛି ବିଜେଡି: ବୈଜୟନ୍ତ

“ଦୀର୍ଘ ଦୁଇ ଦଶନ୍ଧି ଧରି ମୁଁ ଯେଉଁ ଦଳରେ ଥିଲି ଏବଂ ଯେଉଁ ଦଳକୁ ନେଇ ଗର୍ବ କରୁଥିଲି ସେ ଦଳ ଏବେ ବାଟବଣା ହୋଇଯାଇଛି। ଯେଉଁ ଦଳରେ ଦୁର୍ନୀତିଖୋର୍‌ମାନଙ୍କୁ ସାବାଡ କରାଯାଉଥିଲା ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ବହିଷ୍କାର କରାଯାଉଥିଲା ସେ ଦଳରେ ଏବେ ବିଚିତ୍ର ଘଟଣା କେମିତି ଘଟୁଛି?”, ଟୁଇଟ୍ କରି କହିଛନ୍ତି ବୈଜୟନ୍ତ ପଣ୍ଡା।

ମୁଁ କିଛି ଜାଣିନି, ମତେ କିଛି ପଚାରନି: ସମ୍ବିତ

ଦାମଙ୍କ ପୁଅ ସମ୍ବିତ ରାଉତରାୟ ଦାମଙ୍କ ବହିଷ୍କାର ପ୍ରସଙ୍ଗରେ କୌଣସି ମତ ଦେଇ ନାହାନ୍ତି। ଗଣମାଧ୍ୟମର ପ୍ରଶ୍ନକୁ ଚତୁରତାର ସହ ସେ ଏଡ଼ାଇ ଦେଇଛନ୍ତି।

ସେ କହିଛନ୍ତି, “ମୁଁ ଏ ବିଷୟରେ କିଛି ଜାଣିନି। ଦେଢ଼ ମାସ ହେଲା ମୋ’ ମାଆ ମେଡିକାଲରେ ଚିକିତ୍ସାଧୀନ। ମୁଁ ତାଙ୍କ ପାଖରେ ରହୁଛି। ଯିଏ ବହିଷ୍କାର କରିଛନ୍ତି ଏବଂ ଯିଏ ବହିଷ୍କୃତ ହୋଇଛନ୍ତି ତାଙ୍କୁ ପଚାରିଲେ ସେ କହିବେ କାରଣ କ’ଣ। ମୁଁ ମୋ ଜାଗାରେ ଠିକ୍ ଅଛି। ସମୟ ଚକ୍ର ବୁଲୁଛି। ରାଜନୀତିରେ କେତେବେଳେ କ’ଣ ହେବ ତାହା କହି ହେଉନି।”

ବହୁ ଆଗରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା: ବିଷ୍ଣୁ ଦାସ

ଦାମଙ୍କ ପାରମ୍ପରିକ ରାଜନୀତି ଶତ୍ରୁ ଭାବେ ଜଣାଶୁଣା ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ବହିଷ୍କାର ଆଦେଶକୁ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି, “ଦାମଙ୍କ ବିରୋଧରେ ବହୁ ଆଗରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା। ବିଳମ୍ବ ହୋଇଗଲା। ସେ ଦଳିତ ଏବଂ ବ୍ରାହ୍ମଣ ବିରୋଧୀ। ଏବେ ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା ସ୍ୱାଗତଯୋଗ୍ୟ।”

Comment