ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ସାରା ପଶ୍ଚିମ ଓଡ଼ିଶା ଊତ୍ସବ ମୁଖର। ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରିସାରିବା ପରେ ନୂଆ ଖାଇଛନ୍ତି ଲୋକେ।

ଆଜି ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ ‘ନୂଆଁଖାଇ’। ଯାହାପାଇଁ ଉତ୍ସବ ମୁଖର ହୋଇପଡ଼ିଛି ସାରା ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ଓ ନାଚଗୀତର ତାଳେ ତାଳେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି ଏହି ‘ନୂଆଁଖାଇ’ରେ। ଭୋର ସାଢ଼େ ୪ଟାରୁ ମା’ ସମଲେଶ୍ୱରୀଙ୍କ ମନ୍ଦିର ଖୋଲାଯାଇଥିଲା।

ମା’ ନୂଆଶାଢ଼ି, ଅଳଙ୍କାର ଧାରଣ କରି ସାରିବାପରେ ଆରମ୍ଭ ହୋଇଥିଲା ରୀତିନୀତି। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଲଗ୍ନ ଅନୁସାରେ, ସକାଳ ୮ଟା ୧୦ରେ ବାଜିଥିଲା କାହାଳୀ। ତା’ପରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ଓ ନବାନ୍ନ ଲାଗି କରିସାରିବା ପରେ ସମସ୍ତେ ନିଜ ଘରେ ନୂଆ ଖାଇଥିଲେ।

ଏହି ପର୍ବରେ ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଏକାଠି ହୋଇଥାନ୍ତି। ଏହି ପର୍ବକୁ ସମସ୍ତେ ଉଲ୍ଲାସର ସହ ପାଳନ କରିଥାନ୍ତି। ନୂଆ ଚାଉଳରେ ପ୍ରସ୍ତୁତ ହୋଇଥିବା କ୍ଷୀରି, ପିଠା ଆଦି ନୈବେଦ୍ୟକୁ ମା’ଙ୍କ ନିକଟରେ ଲାଗି କରିସାରିବା ପରେ ସମସ୍ତେ ଏହାକୁ ପ୍ରସାଦ ରୂପେ ପାଇଥାନ୍ତି।

ଏହାଛଡ଼ା ପ୍ରତ୍ୟେକ ପରିବାରର ସଦସ୍ୟମାନେ ଘରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ପିଠା, ପଣା, ସୁସ୍ୱାଦୁ ବ୍ୟଞ୍ଜନ ଓ ମିଠା ଆଦିକୁ ଏକାଠି ବସି ଏହାର ମଜା ଉଠାଇଥାନ୍ତି। ଘରେ ଅତିଥିଙ୍କର ଭିଡ଼ ମଧ୍ୟ ଜମିଥାଏ।

Comment