ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାମ-ବିଷ୍ଣୁଙ୍କୁ ନେଇ ପୁଣି ଉଷ୍ମ ହେଲା ରାଜ୍ୟ ରାଜନୀତି।

  • ଦାମ ଦୁର୍ନୀତିରୁ ଆସିଛନ୍ତି: ବିଷ୍ଣୁ
  • ବିଷ୍ଣୁକୁ ମୁଁ ରାଜନୀତିକୁ ଆଣିଛି: ଦାମ
  • ‘ବିଷ୍ଣୁ ମୋ’ ସମାସ୍କନ୍ଧ ନୁହେଁ’

ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ବି ଝଡ଼ ଥମୁନି। ପୁଣି ଥରେ କଥା କଟାକଟି ହୋଇଛନ୍ତି ଦାମ-ବିଷ୍ଣୁ। ଦାମ ଦୁର୍ନୀତିରୁ କ୍ୟାରିଅର ଆରମ୍ଭ କରିଥିବା ବିଷ୍ଣୁ କହିଥିବା ବେଳେ ଏହାର ଜବାବ ଦେଇଛନ୍ତି ଦାମ। ବିଷ୍ଣୁଙ୍କୁ ରାଜନୀତିକୁ ଆଣି ଟିକେଟ ଦେବାର ବ୍ୟବସ୍ଥା କରିଥିଲି ବୋଲି କହିଛନ୍ତି ଦାମ।

ଜଗତ୍‌ସିଂହପୁର ରାଜନୀତିର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଦାମ-ବିଷ୍ଣୁ। ଏହି ଦୁଇ ନେତାଙ୍କୁ ନେଇ ସବୁବେଳେ ରାଜନୀତି ପାଣିପାଗ ଉଷ୍ମ ରହୁଥିଲା। ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ବି ଝଡ଼ ଥମିନି। ଦାମ-ବିଷ୍ଣୁ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି।

“୧୯୭୪ରେ କଟକ ଖପୁରିଆରେ ଦାମ ବାବୁ ଭେଟରିନାରୀ ଷ୍ଟୋର ଇନଚାର୍ଜ ଥିବା ବେଳେ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଦାମଙ୍କ ରାଜନୀତି କ୍ୟାରିଅର ଦୁର୍ନୀତିରୁ ଆରମ୍ଭ ହୋଇଥିଲା”, କହିଛନ୍ତି ବିଷ୍ଣୁ ଦାସ।

ବିଷ୍ଣୁଙ୍କର ଏହି ପଦେ କଥା ଦାମଙ୍କୁ ଝଟକା ଦେଇଛି। ଏହାର ଜବାବ ଦେବାକୁ ଯାଇ ବିଷ୍ଣୁଙ୍କ ଅତୀତର ଗୁମରକୁ ଗଣମାଧ୍ୟମରେ ଖୋଲିଛନ୍ତି ଦାମ।

ଦାମ କହିଛନ୍ତି, “୧୯୭୪ରେ ବିଷ୍ଣୁ କୋଉଠି ଥିଲେ। ସେ ମୋ’ ବିଷୟରେ କ’ଣ ଜାଣିଛନ୍ତି ଯେ କହିବେ? ୧୯୬୮ରୁ ମୁଁ ଭେଟେରିନାରୀ ପାସ୍ କରିଛି। ୬ ବର୍ଷ ଇନଫର୍ମସେନ ଅଫିସର ଥିଲି। ଏହି ସମୟରେ ମୋ ବିଭାଗର ଡାଇରେକ୍ଟରଙ୍କ ମାଧ୍ୟମରେ ବିଜୁ ପଟ୍ଟନାୟକ ମତେ ଡକାଇଥିଲେ। ତାପରେ ମୁଁ ରାଜନୀତିରେ ଯୋଗ ଦେଇଥିଲି।”

୧୯୭୭ରୁ ମୁଁ ବିଧାୟକ ହେଲିଣି। ୧୯୭୪ରେ ଦୁର୍ନୀତି କରୁଥିଲି ବୋଲି ସେ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଦାମ। ସେ କ’ଣ ଭିଜିଲାନ୍ସ ଡାଇରେକ୍ଟର ଥିଲେ କି?

ଦାମ ଆହୁରି କହିଛନ୍ତି ଯେ ଜଗତସିଂହପୁର ଆସନ ପାଇଁ ୧୯୮୫ରେ ପ୍ରାର୍ଥୀ ଖୋଜା ଚାଲିଥିଲା। ସେତେବେଳେ ବିଷ୍ଣୁଙ୍କୁ ଡାକି ଆଣି ବିଜୁ ବାବୁଙ୍କ ପାଖକୁ ନେଇଥିଲି। ୧୯୮୫ରେ ଟିକେଟ ପାଇଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ୧୯୯୦ରେ ଜିତିଥିଲେ।

‘ବିଷ୍ଣୁ ମୋ ସମାସ୍କନ୍ଧ ନୁହେଁ, ତା’ ବିଷୟରେ ମତେ ପଚାରନ୍ତୁ ନାହିଁ’ – କହିଛନ୍ତି ଦାମ।

LEAVE A REPLY

Please enter your comment!
Please enter your name here