ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରୁ ବହିଷ୍କାର ହେବା ପରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ଯେ ୨୦୧୯ରେ ପାରାଦୀପ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଧାନସଭାକୁ ଆସିବେ।

ବିଜେଡିରେ ଆପଣ ଦୀର୍ଘ ଦିନ ଧରି ଥିଲେ। ହଠାତ୍ ଆପଣଙ୍କୁ କାହିଁକି ବହିଷ୍କାର କରାଗଲା?

ଯେତେବେଳେ ମୁଁ ମନ୍ତ୍ରୀ ହେଲି ସେତେବେଳେ ଗୋପନୀୟତା ରକ୍ଷା କରିବା କରିବା ପାଇଁ ଶପଥ ନେଇଥିଲି। ମନ୍ତ୍ରିମଣ୍ଡଳରୁ ଯିବା ପରେ ମୁଁ ଆଉ ସେ ବନ୍ଧନ ଭିତରେ ରହିଲିନି। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ ଯେଉଁ ଦୁର୍ନିୀତି ଭ୍ରଷ୍ଟାଚାର ଚାଲିଛି ତାର କିଛି ଦୃଷ୍ଟାନ୍ତ ମୁଁ ଦେଲି। ଏହି ପ୍ରସଙ୍ଘ ଇଧାନସଭାରେ ଉଠିଲା। ଏହି କାରଣ ପାଇଁ ମତେ ଦଳରୁ ବହିଷ୍କାର କରାଗଲା। ଏଥିରୁ ମୁଁ ବୁଝିଲେ ଯେ ଯିଏ ଦୁର୍ନୀତି, ଭ୍ରଷ୍ଟାଚାର କରିବେ ଏବଂ ସିବିଆଇ ସ୍କାନର୍‌ରେ ରହିବେ ତାଙ୍କୁ ନବୀନ ଭଲ ପାଇବେ। ଯେଉଁମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନଥିବ ସେମାନେ ତାଙ୍କ ଦଳରେ ରହିପାରିବେ ନାହିଁ।

ଆପଣ କୌଣସି ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି?

ଯେଉଁଠି ରାଜନୀତି ନାହିଁ, ସେଠି ଷଡ଼ଯନ୍ତ୍ର କୁଆଡ଼ୁ ଆସିବ? ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ। ସେ ଦଳରେ କେବେ ବୈଠକ ହୁଏନି। କାର୍ଯ୍ୟକାରିଣୀ ବୈଠକ ବି ହୁଏନି। ବିଜେଡିର କୋଟେରୀ ଗୋଷ୍ଠୀ ସବୁ କିଛି କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ କାମ ହେଉଛି।

ଆପଣ ନବୀନ ପଟ୍ଟନାୟକଙ୍କୁ ପ୍ରଶାଂସା କରୁଥିଲେ। ଏବେ କାହିଁକି ସମାଲୋଚନା କରୁଛନ୍ତି?

ମୁଁ ଏବେବି କହୁଛି ନବୀନ ପଟ୍ଟନାୟକ ଜଣେ ଭଲ ଲେଖକ। ତାଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ଅଛି। ସେ ଜଣେ ଆର୍ନ୍ତଜାତିକ ଖ୍ୟାତିସମ୍ପର୍ଣ୍ଣ ଚିତ୍ରଶିଳ୍ପୀ। ସେ ପୃଥିବୀର ଅନେକ ଦେଶ ବୁଲିଛନ୍ତି। କିନ୍ତୁ ସେ ୫୦ ଭିତରେ ରାଜନୀତିକୁ ଆସି ନଥିଲେ। ମୋର ଧାରଣା ଥିଲା ଯେ ସେ ଯେହେତୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ଏମିତି ସବୁ କାମ କରୁନଥିବେ। ଦଳରୁ ବହିଷ୍କାର କରିବା ପରେ ମୁଁ ଜାଣିଲି ଯେ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ନବୀନଙ୍କ ଇଙ୍ଗିତରେ ହିଁ ହେଉଛି।

ଆପଣଙ୍କ ପୁଅ ଏବଂ ଝିଅ ବିଜେଡିରେ ଅଛନ୍ତି। ସେମାନେ କ’ଣ ଓହରି ଯିବେ?

ସବୁ ପୁଅ ଝିଅଙ୍କ ଭବିଷ୍ୟତ କ’ଣ ରାଜନୀତି କରିବା? ତାଛଡ଼ା ସେମାନେ କାହିଁକି ଓହରି ଯିବେ? ସେମାନେ ଯଦି ନୀତି ଆଦର୍ଶରେ ରହିବେ, ଲୋକଙ୍କ ସେବା କରିବେ ଏବଂ ଲୋକମାନେ ଯଦି ତାଙ୍କୁ ଭଲ ପାଇବେ ତାହାଲେ ସେମାନେ ରାଜନୀତିରେ ରହିବେ।

ବୈଜୟନ୍ତ ପଣ୍ଡା ଆପଣଙ୍କୁ ଭେଟିଲେ। ଏହା ପଛରେ କିଛି ରାଜନୀତିକ ଉଦ୍ଦେଶ୍ୟ ରହିଛି କି?

ବୈଜୟନ୍ତ ପଣ୍ଡା ହେଉଛନ୍ତି ଜଣେ ନିତିବାନ, ସତ୍ୟନିଷ୍ଠ ଏବଂ ବିବେକବାନ ଲୋକ। ତାଙ୍କ ଭଳି ବହୁତ ଲୋକ ମତେ ଦେଖା କରିବାକୁ ଆସୁଛନ୍ତି ଏବଂ ଆଉ କିଛି ଲୋକ ଫୋନରେ କଥା ହୋଇ ସମବଦେନା ଜଣାଉଛନ୍ତି।

ଆପଣ କହିଥିଲେ ଦଳରେ କ’ଣ ଘଟୁଛି ତାହା ନବୀନ ବାବୁ ଜାଣୁ ନାହାନ୍ତି। ଏହା କେତେଦୂର ସତ?

ମୁଁ ଆଗରୁ ଯାହା କହିଥିଲି ଏବେ ମଧ୍ୟ ତାହା କହୁଛି। ଦଳରେ ସବୁ କଥା ନବୀନ ବାବୁଙ୍କ ଜ୍ଞାତସାରରେ ହିଁ ହେଉଛି।

ଆପଣଙ୍କର ଆଗାମୀ ପଦକ୍ଷେପ କ’ଣ? ଅନ୍ୟ କେଉଁ ଦଳକୁ ଯିବେ ନା ନୂଆ ଦଳ ଗଠନ କରିବେ?

ମୋର କିଛି ଦଳ ଗଠନ କରିବାର ନାହିଁ କି ଅନ୍ୟ କେଉଁ ଦଳକୁ ଯିବାର ନାହିଁ। ପାରାଦୀପବାସୀଙ୍କ ସହ କଥା ହୋଇ ଆଗାମୀ ପଦକ୍ଷେପ ନେବି। ପାରାଦୀପକୁ ସୃଷ୍ଟି କରିଥିଲେ ବିଜୁ ବାବୁ। ପାରାଦୀପର କଥା ବୁଝିବା ପାଇଁ ବିଜୁ ବାବୁ ମତେ ଚାକିରୀ ଛଡ଼ାଇ ଆଣିଥିଲେ।ମୁଁ ସେହି କାମ ହିଁ କରିବି।

ବିଜେଡିର ଭବିଷ୍ୟତ କ’ଣ ରହିବ?

ତାଙ୍କ ଦଳରେ କ’ଣ ହେବ ମୁଁ କହିପାରିବି ନାହିଁ। ମୁଁ ଜ୍ୟୋତିଷ ନୁହେଁ।

୨୦୧୯ରେ ଆପଣ ନିର୍ବାଚନ ଲଢ଼ିବେ?

ମୁଁ ପାରାଦୀପ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବି। ଲୋକ ମତେ ଭୋଟ ଦେବେ। ବିଧାନସଭାକୁ ଆସିବି। ନିର୍ବାଚନ ଲଢ଼ିବା ପାଇଁ ଟିକେଟର ଆବଶ୍ୟକତା ନାହିଁ। ଲୋକ ଯଦି ମତେ ଭଲ ପାଉଥିବେ ତାହାଲେ ଭୋଟ ଦେବେ।

ସାକ୍ଷାତକାର: ମୋନାଲିସା ମିଶ୍ର

Comment