ସୋନପୁରରୁ ସଞ୍ଜୟ କୁମାର ସାହୁ

ପଶ୍ଚିମ ଓଡିଶାର ଲୋକପର୍ବରେ ରହିଛି କେତେ ନା କେତେ ପ୍ରଥା ଆଉ ପରମ୍ପରା। ସୋନପୁର ଗଡ଼ଜାତବାସୀ ନୂଆଁଖାଇ ଦିନ ଅନ୍ନ ବ୍ୟଞ୍ଜନ, ନାନାଦି ପିଠାପଣା ତିଆରି କରି ଖାଇଥାନ୍ତି ତାହାନୁହେଁ, ବରଂ ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସାଙ୍ଗକୁ ନାନାଦି ଭୋଗ ସମର୍ପଣ କରାଯାଏ।

ଆଉ ଏଥିପାଇଁ ମା’ ସମଲେଇ ମନ୍ଦିରରୁ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର ଯିବା ପରମ୍ପରା ଆଜି ବି ରହିଛି। ଏଥର ବି ସଦର ପୌର ପରିଷଦ ଓ ନୂଆଁଖାଇ ଭେଟ୍‌ଘାଟ୍ କମିଟି ପକ୍ଷରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର ପହଞ୍ଚିଛି।

ଯେଉଁଥିରେ ଦେବୀଙ୍କ ପାଇଁ ନବାନ୍ନ ଓ ଭୋଗ ତିଆରି ହୋଇ ସମର୍ପିତ ହୋଇଛି ନିର୍ଦ୍ଧାରିତ ଲଗ୍ନରେ। କାହିଁ କେତେ ଦିନରୁ ସୋନପୁର ଗଡ଼ଜାତରେ ପାହୁର ପରମ୍ପରା ଚାଲିଆସିଛି। ପ୍ରାୟ ୧୬୪୦ ମସିହାରୁ ଚୌହାନ ରାଜାଙ୍କ ଶାସନ ଅମଳରୁ ଆରମ୍ଭ ହୋଇଥିବା ଏହି ପାହୁର ପରମ୍ପରା ଆଜି ବି ଅତୁଟ ରହିଛି।

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସହିତ ଭଗବତୀ, ସମଲେଇ,ଖମ୍ବେଶ୍ୱରୀ, ବୁଢ଼ି ସମଲେଇ, ଶ୍ମଶାନ ଚଣ୍ଡୀ ଆଦି ଦେବୀଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ଖଞ୍ଜା ପାହୁର ପହଞ୍ଚିଛି।

ସଦର ପୌରପରିଷଦ ଓ ନୂଆଁଖାଇ ଭେଟ୍‌ଘାଟ୍ ସାଂସ୍କୃତିକ କମିଟି ପକ୍ଷରୁ ବର୍ଣ୍ଣାଢ୍ୟ ପାହୁର ଶୋଭାଯାତ୍ରା ଆୟୋଜିତ ହୋଇଛି। ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଗୁଆଘିଅ, ଗୁଡ଼, ପନିପରିବା, ପିଠାପଣା ତିଆରି ପାଇଁ ସାମଗ୍ରୀ, ପଞ୍ଚାମୃତ ସାଙ୍ଗକୁ ନୂଆଁ ଧାନ ଆଦିର ବ୍ୟବସ୍ଥା କରାଯାଇଥିଲା।

ଢ଼ୋଲ, ମହୁରୀ ଆଦି ବାଦ୍ୟରେ ଏକ ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ମା’ ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ପୀଠକୁ ଏହି ପାହୁର ପହଞ୍ଚିଥିଲା।

ପାହୁରରୁ ପ୍ରସ୍ତୁତ ନବାନ୍ନ ଓ ଭୋଗ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗିବା ପରେ ସୋନପୁର ଜିଲ୍ଲାବାସୀ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଜନସାଧାରଣ ନବାନ୍ନ ଗ୍ରହଣ କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କ ପୀଠରେ ନବାନ୍ନ ଲାଗିବା ପରେ ସୋନପୁର ଜିଲ୍ଲାବାସୀଙ୍କୁ ଆତସବାଜି ମାଧ୍ୟମରେ ଜଣେଇ ଦିଆଯାଇଥିଲା। ପୂର୍ବରୁ ରାଜ ଉଆସର ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଏହି ପାହୁର ଯାଉଥିବା ବେଳେ ଏବେ ସୋନପୁର ପୌର ପରିଷଦ ପକ୍ଷରୁ ମା’ ସମଲେଇଙ୍କ ପୀଠରୁ ଏହି ପାହୁର ଅଷ୍ଟଚଣ୍ଡୀଙ୍କ ପୀଠକୁ ଯାଉଛି।

ପରମ୍ପରା ଅନୁଯାୟୀ, ଏଥର ବି ଅଷ୍ଟଚଣ୍ଡୀଙ୍କ ପୀଠରେ ପାହୁର ସମର୍ପଣ ହେବା ପରେ ଜନସାଧାରଣ ନବାନ୍ନ ଗ୍ରହଣ କରିଛନ୍ତି। କୃଷି ଭିତ୍ତିକ ପର୍ବ ନୂଆଁଖାଇରେ ପାହୁର ପରି ଏକ ଅନନ୍ୟ ପରମ୍ପରା ସମାଜ ଭିତରେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛି।

Comment