ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ପାଇଁ ପାଗ ଭିଡ଼ିଲା ବିଜେଡି। ସଙ୍ଗଠନ ସଜାଡ଼ିବା ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ।

  • ନୃସିଂହ ସାହୁ ହେଲେ ବିଜେଡି ସାଧାରଣ ସମ୍ପାଦକ
  • ପ୍ରଫୁଲ୍ଲ ମଲ୍ଲିକ ହେଲେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି
  • ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା
  • ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୋରାପୁଟ ଜିଲ୍ଲା ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ
  • ଜଗତ୍‌ସିଂହପୁର-ଅନୁଗୁଳ ଜିଲ୍ଲା ବିଜେଡିର ସହ-ପର୍ଯ୍ୟବେକ୍ଷକ ହେଲେ ପ୍ରତାପ ଜେନା
  • ପ୍ରଶାନ୍ତ ମୁଦୁଲି ହେଲେ ଜଗତ୍‌ସିଂହପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡ଼ିବା ପାଇଁ ବିଜେଡି ପ୍ରୟାସ ଆରମ୍ଭ କରିଛି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡି କିଛି ଛାମୁଆ ନେତାଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛି।

ଜଗତସିଂହପୁର ଜିଲ୍ଲାରେ ଦାମଙ୍କ ପ୍ରଭାବ ହ୍ରାସ କରିବା ପାଇଁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଦାମ ବହିଷ୍କାର ହେବା ପରେ ପ୍ରଶାନ୍ତଙ୍କୁ ଏହି ପଦବୀ ଦେଇ ନବୀନ ପୁରସ୍କୃତ କରିଥିବା କୁହାଯାଉଛି।

ଦାମଙ୍କୁ ଦଳରୁ ବହିଷ୍କାର କରିବା ପଛରେ ପ୍ରଶାନ୍ତଙ୍କ ହାତ ରହିଥିଲା। କାରଣ ଯେତେବେଳେ ଦାମ ଦଳ ବିରୋଧରେ ବିଷୋଦ୍‌ଗାର କରି ରାଜ୍ୟ ରାଜନୀତିରେ ହଟଚମଟ କରୁଥିଲେ ସେତେବେଳେ ପ୍ରଶାନ୍ତ ଏବଂ ବିଷ୍ଣୁ ଦାସଙ୍କ ନେତୃତ୍ୱରେ କର୍ମୀମାନେ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ।

ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ପ୍ରତାପ ଜଗତ୍‌ସିଂହପୁର ସହିତ ଅନୁଗୁଳ ଜିଲ୍ଲା ବିଜେଡିର ସହ-ପର୍ଯ୍ୟବେକ୍ଷକ ହୋଇଛନ୍ତି।

ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୟ ନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡିର ସହ-ପର୍ଯ୍ୟବେକ୍ଷକ କରାଯାଇଛି। ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କୁ ବିଜେଡି ସାଧାରଣ ସମ୍ପାଦକ କରାଯାଇଛି।

ଓଡ଼ିଶା ବିଧାନ ପରିଷଦ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ଥିଲେ ନୃସିଂହ। ତାଙ୍କ ନେତୃତ୍ୱରେ ଟିମ୍ ତେଲେଙ୍ଗାନା ଏବଂ କର୍ଣ୍ଣାଟକ ବିଧାନ ପରିଷଦର ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ପରେ ରାଜ୍ୟ ସରକାର ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ପାଦେ ଆଗେଇଛନ୍ତି।

ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ଜିଲ୍ଲାର ସଭାପତି କରାଯାଇଛି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

Comment