ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରୁ ବହିଷ୍କାର ହେବା ପରେ ବି ଦାମ-ବିଷ୍ଣୁ କଳି ଥମୁନି। ଦାମ ବିଷ୍ଣୁଙ୍କୁ ନଷ୍ଟ ଚରିତ୍ର କହିଥିବା ବେଳେ ବିଷ୍ଣୁ ଦାମଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି।

ଜଗତ୍‌ସିଂହପୁରର ଦୁଇ ପ୍ରଭାବଶାଳୀ ନେତା ଡାକ୍ତର ଦାମୋଦର ରାଉତ ଏବଂ ବିଷ୍ଣୁ ଦାସଙ୍କ ମଧ୍ୟରେ କଥା କଟାକଟି କେବଳ ରାଜନୀତିକ ସ୍ତରରେ ସୀମିତ ହୋଇ ରହିନାହିଁ। ସେମାନେ ଏବେ ବ୍ୟକ୍ତିଗତ ଏବଂ ଅତି ନିମ୍ନ ସ୍ତରକୁ ଓହ୍ଲାଇ ଆସିଛନ୍ତି। ଉଭୟ ଉଭୟଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବାକୁ ପଛାଉ ନାହାନ୍ତି।

ବିଜେଡିରେ ଥିବା ବେଳେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ବିଷ୍ଣୁ ଦାସଙ୍କ ଭିତରେ କଥା କଟାକଟି ଚାଲିଥିଲା। ବିଭିନ୍ନ ପ୍ରସଙ୍ଗରେ ଉଭୟ ଉଭୟଙ୍କୁ ଆକ୍ଷେପ କରିବାକୁ ପଛାଉ ନଥିଲେ। ଏବେ ଦାମ ଦଳ ବିରୋଧୀ କାମରେ ବହିଷ୍କୃତ ହେବା ପରେ ବି କଥା କଟାକଟି ଶେଷ ହେଉନି।

ଦାମ-ବିଷ୍ଣୁ ପରସ୍ପରର ଗୋଇ ଖୋଳି ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି। ଗତ ଦୁଇ ଦିନ ହେଲା କଥା କଟାକଟି ଚାଲିଥିବା ବେଳେ ଆଜି ବିଷ୍ଣୁ ଦାମଙ୍କ ଚରିତ୍ର ସଂହାର କରିଥିବା ବେଳେ ଦାମ ବିଷ୍ଣୁଙ୍କୁ ଛାଡ଼ି ନାହାନ୍ତି।

ବିଷ୍ଣୁ ନଷ୍ଟ ଚରିତ୍ର

ଦାମ ବାବୁ ଭେଟେରିନାରୀ ଷ୍ଟୋର ଦାୟିତ୍ୱରେ ଥିବା ବେଳେ ଦୁର୍ନୀତି କରିଥିବା ବିଷ୍ଣୁ ଆକ୍ଷେପ କରିଥିଲେ। ଏନେଇ ଦାମ ବିଷ୍ଣୁଙ୍କୁ ମଧ୍ୟ ଛାଡ଼ି ନଥିଲେ। ଗତକାଲିର ଆକ୍ଷେପ ପ୍ରତ୍ୟାକ୍ଷେପ ଆଜି ନିମ୍ନସ୍ତରକୁ ଚାଲି ଆସିଛି। ପରସ୍ପରର ଚରିତ୍ର ସଂହାର କରିବାକୁ ପଛାଇ ନାହାନ୍ତି ଏହି ଦୁଇ ବରିଷ୍ଠ ନେତା।

ଦାମ କହିଛନ୍ତି, “ବିଷ୍ଣୁ ହେଉଛନ୍ତି ଦୁର୍ନୀତିର ସୌଦାଗର। ସେ ବହୁ ଦୁର୍ନୀତିରେ ଜଡ଼ିତ। କେବଳ ଦୁର୍ନୀତିଗ୍ରସ୍ତ ନୁହନ୍ତି, ତାଙ୍କ ଚରିତ୍ର କ’ଣ ତାହା ଜଗତସିଂହପୁରବାସୀ ଜାଣିଛନ୍ତି। ବିଷ୍ଣୁ ଜଣେ ନଷ୍ଟ ଚରିତ୍ର। ବାର୍ଦ୍ଧକ୍ୟ ଭତ୍ତା କରିବା ପାଇଁ ବିଷ୍ଣୁ ପଇସା ନିଅନ୍ତି।”

ଦାମ ଆହୁରି କହିଛନ୍ତି ଯେ ଜଗତସିଂହପୁରକୁ ଛାଡ଼ିଦେଲେ ବିଷ୍ଣୁଙ୍କର ଆଉ କେଉଁଠି ଜନସମର୍ଥନ ନାହିଁ। ସେ ଜିଲ୍ଲାସଭାପତି କେବଳ ନାଁକୁ। ଜିଲ୍ଲାର କୌଣସି ସ୍ଥାନରେ ତାଙ୍କର ସଙ୍ଗଠନ ନାହିଁ। ପାରାଦୀପ, ଏରସମାରେ ସେ ଯଦି ଚାଲିକି ଯିବେ ବି ଲୋକେ ତାଙ୍କୁ ପଚାରିବେ ନାହିଁ। ବିଷ୍ଣୁ ମୁଁ ରାଜନୀତିକୁ ଆଣିଥିଲି ଏବଂ ଟିକେଟ ଦେବାର ବ୍ୟବସ୍ଥା କରିଥିଲି।

ନିଜ ଚରିତ୍ରକୁ ଦେଖନ୍ତୁ ଦାମ ବାବୁ

ଏପଟେ ଦାମଙ୍କ ବନ୍ତ୍ୟବର କଡ଼ା ଜବାବ ଦେଇଛନ୍ତି ବିଷ୍ଣୁ ଦାସ।

“ମୋ ଚରିତ୍ର ଉପରକୁ ଆଙ୍ଗୁଠି ଉଠାଇବା ପୂର୍ବରୁ ନିଜ ଚରିତ୍ରକୁ ଦେଖନ୍ତୁ ଦାମ ବାବୁ। ସେ କ’ଣ କରନ୍ତି ଏବଂ କେଉଁଭଳି ବ୍ୟକ୍ତି ତାହା ଓଡ଼ିଶାବାସୀ ଜାଣିଛନ୍ତି। ମୋ’ ଚରିତ୍ର କ’ଣ ତାହା ସମସ୍ତେ ଜାଣିଛନ୍ତି। ଦାମ ବାବୁଙ୍କର କିଛି କହିବାର ଆବଶ୍ୟକତା ନାହିଁ”, କହିଛନ୍ତି ବିଷ୍ଣୁ ଦାସ।

ବିଷ୍ଣୁ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସରେ ମୁଁ ଥିଲି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲି। ବିଜେଡି ଗଠନ ହେବା ବେଳେ ମୁଁ ହିଁ ଥିଲି। ଦାମ ବାବୁ ନଥିଲେ। ସେ ସେତେବେଳେ ବିଜେଡିକୁ ସମାଲୋଚନା କରିଥିଲେ।

ଦାମ ବାବୁଙ୍କ ଅମଳରେ ହିଁ ଚାରା ଘୋଟାଲା ଓ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିଲା। ସେ ଦୁର୍ନୀତିରୁ ହିଁ ରାଜନୀତିକୁ ଆସିଛନ୍ତି।

୧୨ ତାରିଖରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଦଳ ବିରୋଧୀ କାମ କରିବା ଅଭିଯୋଗରେ ଦାମଙ୍କୁ ବହିଷ୍କୃତ କରାଯାଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଥିଲେ। ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥାନ୍ତି ବୋଲି କହିଥିଲେ ନବୀନ।

ଏହାପରେ ଦାମ ନବୀନଙ୍କୁ ସିଧାସଳଖ ସମାଲୋଚନା କରିଥିଲେ। ନବୀନଙ୍କ ଇସାରାରେ ଦୁର୍ନୀତି ହେଉଛି ବୋଲି ଦାମ କହିଥିଲେ। ଏହାପରେ ମୁହାଁମୁହିଁ ହୋଇଥିଲେ ଦାମ-ବିଷ୍ଣୁ। ଦାମ-ବିଷ୍ଣୁଙ୍କ ଆରୋପ ପ୍ରତ୍ୟାରୋପକୁ ନେଇ ରାଜନୀତି ଉଠୁଛି ପଡ଼ୁଛି।

Comment