ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ବଦଳିଲା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ସିଟ୍।

ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭାରେ ଆଜି ଡାକ୍ତର ଦାମୋଦର ରାଉତଙ୍କ ସିଟ୍ ବଦଳିଛି। ସେ ଆଗରୁ ଡି-୩ ସିଟ୍‌ରେ ବସୁଥିଲେ। ଆଜିଠୁ ତାଙ୍କୁ ଏଫ୍-୧୦ ସିଟ୍‌ ଆଲଟ୍ କରାଯାଇଛି।

ବିଧାନସଭାର ପରମ୍ପରା ରହିଛି ଯେ ଯଦି କୌଣସି ବିଧାୟକ ଦଳରୁ ବହିଷ୍କୃତ ହୁଅନ୍ତି ତାହାଲେ ତାଙ୍କ ସିଟ୍ ବଦଳିଯିବ। ଏହି ପରମ୍ପରା ଆଧାରରେ ଦାମଙ୍କ ସିଟ୍ ବଦଳିଛି।

ପୂର୍ବରୁ ଦାମ ବସୁଥିବା ଡି-୩ ସିଟ୍‌ରେ ବାଙ୍ଗିରିପୋଷିର ବିଜେଡି ବିଧାୟକ ସୁଦାମ ମାର୍ଣ୍ଡି ବସିଛନ୍ତି। ଦାମଙ୍କୁ ଦିଆଯାଇଥିବା ଏଫ୍‌-୧୦ ସିଟ୍‌ରେ ପୂର୍ବରୁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ବସୁଥିଲେ। ତିର୍କୀଙ୍କୁ ଏଫ୍‌-୯ ସିଟ୍ ଆଲଟ କରାଯାଇଥିବା ବିଧାନସଭା ସୂତ୍ରରୁ ଜଣାପଡ଼ିଛି।

ବାଚସ୍ପତି ପ୍ରଦୀପ କୁମାର ଅମାତ କହିଛନ୍ତି, “ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୫ ତାରିଖରେ ଅବଗତ କରିଥିଲେ।”

ଚାରି ଦିନର ବିରତି ପରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି।

Comment