ଓଡ଼ିଶାଲାଇଭ୍ ବ୍ୟୁରୋ

ଘୁଞ୍ଚିଲା ମାଟ୍ରିକ ପ୍ରି- ଟେଷ୍ଟ ପରୀକ୍ଷା। ସେପ୍ଟେମ୍ବର ୧୭ ବଦଳରେ ୨୪ ତାରିଖରୁ ଆରମ୍ଭ ହେବ ପରୀକ୍ଷା।

ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ପ୍ରି- ଟେଷ୍ଟ ପରୀକ୍ଷାର ତାରିଖ ଘୁଞ୍ଚିଛି। ଏବେ ତାହା ପରିବର୍ତ୍ତିତ ହୋଇ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବାନୁସାରେ, ଗତ ଏକ ମାସ ହେଲା ଲଗାଣ ବର୍ଷା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ହେଲେ କୁହାଯାଉଛି ଯେ, ବ୍ଳକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏପରି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

୪ହଜାର ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବାରୁ ତାହାର ସିଧାସଳଖ ପ୍ରଭାବ ପରୀକ୍ଷା ଉପରେ ପଡ଼ିଛି। ସ୍କୁଲର ଶିକ୍ଷକମାନଙ୍କ ବିନା ପରୀକ୍ଷା ପରିଚାଳନା କରିବା ଅସମ୍ଭବ। ଖାସ୍ ସେଥିପାଇଁ ଏପରି ନିଷ୍ପତ୍ତି ନିଆଗଲା।

ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ପ୍ରାୟ ୩୨ ଦିନ ହେଲା ଧାରଣାରେ ବସି ରହିଛନ୍ତି। ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର ମହାବିଦ୍ୟାଳୟର ଷାଠିଏ ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ସମସ୍ତ ସ୍କୁଲ ଓ କଲେଜରେ ପାଠପଢ଼ା ଉପରେ ପ୍ରଭାବ ପଡିଛି।

ସରକାର ହାତ ଟେକି ଦେଇଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ କୌଣସି ପରିସ୍ଥିତିରେ ସ୍କୁଲକୁ ଫେରିଯିବାକୁ ନାରାଜ। ମିଳିତ ମଞ୍ଚର ଆବାହକ ଗୋଲକ ନାୟକ କୁହନ୍ତି, ’ଏଥିପାଇଁ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହା ସତ୍ତ୍ୱେ ସରକାର ଆମର ଦାବି ଶୁଣିନାହାନ୍ତି। ଆମେ ଏବେ ପ୍ରତି ପଞ୍ଚାୟତରେ ପଦଯାତ୍ରା କରିବାସହ ଲିଫ୍‌ଲେଟ୍‌ ବାଣ୍ଟିବୁ।

ଏହାଛଡ଼ା ଏହି ପଦ ଯାତ୍ରାରେ ଆମେ ଛାତ୍ର, କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ମଧ୍ୟ ସାମିଲ କରାଇବୁ। ଏହାପରେ ଯଦି ଆମ ଦାବିକୁ ପୂରଣ ନ କରାଯାଏ, ତେବେ ସେପ୍ଟେମ୍ବର ୨୦ରେ ଭୁବନେଶ୍ୱରରେ ବିକ୍ଷୋପ ପ୍ରଦର୍ଶନ କରାଯିବ’।

Comment