ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିଫଳତା ଏବଂ ଓଡ଼ିଶା ପ୍ରତି ଅବିଚାର ପ୍ରସଙ୍ଗକୁ କେନ୍ଦ୍ର କରି ବିଜେଡି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ। ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଏବଂ ବ୍ଳକ ସ୍ତରରେ ସମାବେଶ କରାଯାଇ କେନ୍ଦ୍ର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

ବିଜୁ ମହିଳା ଜନତା ଦଳର ଉପ-ସଭାନେତ୍ରୀ ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସଂପାଦକ ଡକ୍ଟର ଅରୁଣ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଜୁ ପଟ୍ଟନାୟକ ମହିଳାମାନଙ୍କ ପାଇଁ ରାଜନୀତିରେ ୩୩ ଭାଗ ସ୍ଥାନ ସଂରକ୍ଷଣ କରିଥିବା ବେଳେ ତାଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବୃଦ୍ଧି କରି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ମହିଳାମାନଙ୍କୁ ରାଜନୈତିକ, ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଉନ୍ନତ କରିବା ସହ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱୟଂ ସାହାୟିକା ଗୋଷ୍ଠୀ ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଚାହୁଁଥିବା ବେଳେ କେନ୍ଦ୍ର ଏଥିରେ ବାଧକ ସାଜିଛି। ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ।

Comment