ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇ ବିବାଦରେ ଫସିଥିବା ବୈଜୟନ୍ତ ପଣ୍ଡାଙ୍କୁ ପୋଲିସ ନୋଟିସ ଦେଇଛି। ବୁଧବାର ଦିନ ୧୨ଟା ସୁଦ୍ଧା ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ହୋଇଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ଏହାସହ ହେଲିକପ୍ଟରରେ ଥିବା ଦୁଇ ଯାତ୍ରୀ ଅଭିଜିତ ଆୟର ମିତ୍ର ଏବଂ ଆରତୀ ଟିକୋ ସିଂହଙ୍କୁ ବି ପୋଲିସ ହାଜର ହେବା ପାଇଁ ନୋଟିସ ଦେଇଛି।

ସାର୍ଥକ ଷଡ଼ଙ୍ଗୀ କହିଛନ୍ତି, “ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏଠାରୁ ତଥ୍ୟ ମାଗିଥିଲା। ୧୫ ତାରିଖ ସକାଳ ସାଢ଼େ ୮ଟାରୁ ସାଢ଼େ ୧ଟା ଭିତରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅନୁମତି ମିଳିଥିବା ଜଣାପଡ଼ିଛି। ଏହି ଆଧାରରେ ଇମ୍ଫାର ହ୍ୟାଙ୍ଗର ବା ବିମାନ ପାର୍କିଂ ଅଞ୍ଚଳକୁ ସିଜ୍ କରାଯାଇଛି।”

ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡ଼ୁଥିଲା ତାହା ଜଣାପଡ଼ି ନାହିଁ। ଏହା ହେଲିକପ୍ଟରର ବ୍ଲାକ ବକ୍ସରୁ ଜଣାପଡ଼ି। ଡିଜିସିଏ ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୁରୀ ଏସ୍‌ପି।

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି, “ଅନୁମତି ନେଇ ବୈଜୟନ୍ତଙ୍କ ହେଲିକପ୍ଟର ୧୫ ତାରିଖରେ ସକାଳ ୮ଟା୪୬ରୁ ଉଡ଼ାଣ କରିଥିଲା। ଭୁବନେଶ୍ୱରରୁ ରାଜହଂସ, ପୁରୀ, କୋଣାର୍କ, ଗରଦପୁର, ଜଗନ୍ନାଥପୁର ଦେଇ ୧ଟା୨୬ରେ ଭୁବନେଶ୍ୱର ଫେରି ଆସିଥିଲା।”

ଯଦି ବୈଜୟନ୍ତଙ୍କ ହେଲିକପ୍ଟର ୧ଟା୨୬ରେ ଭୁବନେଶ୍ୱରରେ ଥିଲା ତାହାଲେ ସିଡିଏ କେଉଁ ଆଧାରରେ ସାଢ଼େ ୧ଟା କହୁଛି ବୋଲି ପ୍ରଶ୍ନବାଚୀ ଉଠିଛି। ଏସବୁର ରହସ୍ୟ ଉନ୍ମୋଚନ ପାଇଁ ପୁରୀ ପୋଲିସ ବୈଜୟନ୍ତଙ୍କୁ ନୋଟିସ ଦେଇଛି।

ଗତ ୧୫ ତାରିଖର ଘଟଣା। ଏହିଦିନ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଏକ ଧଳା ରଙ୍ଗର ହେଲିକପ୍ଟର ଉଡ଼ୁଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଅଞ୍ଚଳରେ ହେଲିପ୍ଟରକୁ ଅବତରଣ କରିବା ପାଇଁ ପାଇଲଟ୍ ଚେଷ୍ଟା କରୁଥିବା କୁହାଯାଇଥିଲା। ତେବେ ଏହି ହେଲିକପ୍ଟରଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଉଡ଼ୁଥିଲା ତାର କେହି ଟେର୍ ପାଇ ନଥିଲେ। ଏହାକୁ ନେଇ ଗତ ଦୁଇ ଦିନ ହେଲା ତନଘନା ଚାଲିଥିଲା।

ସୋମବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଇକୋ ସେନ୍‌ସିଟିଭି ଏରିଆରେ ହେଲିକପ୍ଟର ଉଡ଼ିବା ସମ୍ପର୍କରେ ପୁରୀ ମେରାଇନ ଥାନାରେ ଏତଲା ଦେଇଥିଲେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଏତଲା ଦେବାର ମାତ୍ର ୩ ଘଣ୍ଟା ଭିତରେ ପୋଲିସ ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ କରିଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ହେଲିକପ୍ଟର ଚଳାଉଥିଲେ ବୈଜୟନ୍ତ। ଏଥିରେ ଦୁଇ ଜଣ ଯାତ୍ରୀ ଥିଲେ। ସେମାନେ ହେଲେ ଆରତୀ ଟିକୋ ସିଂହ ଏବଂ ଅଭିଜିତ ଆୟର ମିତ୍ର।

Comment