ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫ଟି ଜନହିତକାରୀ କାର୍ଯ୍ୟକ୍ରମର ଉଦ୍‌ଘାଟନ
  • ସାରା ପଶ୍ଚିମାଞ୍ଚଳ ପାଇଁ ନୂଆଁଖାଇ ଭେଟି
  • ସରକାରୀ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଜନସଭା ଓ ଏକ ବଡ଼ ଶୋଭାଯାତ୍ରାକୁ ସମ୍ବୋଧନ
  • ଝାରସୁଗୁଡ଼ାକୁ ଆହୁରି ଉନ୍ନତମାନର ଓ ବିକାଶଶୀଳ କରିବାର ଲକ୍ଷ୍ୟ

ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶା ଆସି ୫ଟି ଜନହିତକାରୀ ଅର୍ଥନୈତିକ ମହତ୍ତ୍ୱ ରଖୁଥିବା କାର୍ଯ୍ୟକ୍ରମର ଲୋକାର୍ପଣ କରିବେ। ତାହା ସାରା ପଶ୍ଚିମାଞ୍ଚଳ ପାଇଁ ନୂଆଁଖାଇ ଭେଟି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଝାରସୁଗୁଡ଼ାରେ ନବନିର୍ମିତ ଏୟାରପୋର୍ଟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ଉଡ଼ାନ ଯୋଜନାରେ ରାଜଧାନୀ ଭୁବନେଶ୍ୱର-ରାୟପୁର ସହ ବିମାନ ସେବା ସଂଯୋଗ ହେବ। ଏହାଛଡ଼ା ୨ କୋଇଲା ଖଣି ସହ ଗୋଟିଏ ରେଳଲାଇନର ମଧ୍ୟ ଉଦ୍‌ଘାଟନ କରାଯିବ। ଏଭଳି ମୋଟ ୫ଟି ଜନକଲ୍ୟାଣ ଯୋଜନାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହା ଆମପାଇଁ ସବୁଠାରୁ ସୌଭାଗ୍ୟର କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ ଆହୁରି ମଧ୍ୟ କହିଛନ୍ତି, ସରକାରୀ କାର୍ଯ୍ୟକ୍ରମ ସରିବା ପରେ ପ୍ରଧାନମନ୍ତ୍ରୀ ଗୋଟିଏ ଜନସଭାକୁ ଉଦ୍‌ବୋଧନ କରିବେ। ଏହାସହ ଏକ ବଡ଼ ଶୋଭାଯାତ୍ରାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ।

ଝାରସୁଗୁଡ଼ାରୁ ସ୍ପାଇସ୍‌ଜେଟ ଓ ଇଣ୍ଡିଗୋ ଭଳି ଏୟାରଲାଇନ୍ସର ବିମାନ ଚଳାଚଳ କରିବ। ଝାରସୁଗୁଡ଼ା କୋଇଲା,ଇଲେକ୍ଟ୍ରିପ୍ଲାଣ୍ଟ୍‌, ଷ୍ଟିଲ୍‌ ଓ ଆଲୁମିନିୟମ ଶିଳ୍ପର ପେଣ୍ଠସ୍ଥଳୀ ହେବାକୁ ଯାଉଛି। ପ୍ରମୁଖ ଜାତୀୟ ବାଣିଜ୍ୟିକ ସହର ସହ ଝାରସୁଗୁଡ଼ା ଯୋଡ଼ି ହେଲେ ଆମ ଅଞ୍ଚଳର ଆହୁରି ଉନ୍ନତି ଓ ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment