ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

୫୭ ବର୍ଷ ଧରି ବିଶାଖାପାଟଣାରେ ପାଳନ ହୋଇ ଆସୁଛି ବିଶ୍ୱକର୍ମା ପୂଜା।

ବିଶାଖାପାଟଣା ସହରର ସିନ୍ଧିଆ ନିକଟସ୍ଥ ‘ହିନ୍ଦୁସ୍ତାନ ସିପୟାଡ଼’ରେ କାର୍ଯ୍ୟରତ ଓ ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମହାରଣା ସେବା ସମିତି ପକ୍ଷରୁ ଗତକାଲି ବିଶ୍ୱକର୍ମା ପୂଜାର ଆୟୋଜନ କରାଯାଇଥିଲା।

ସିନ୍ଧିଆ ନିକଟସ୍ଥ ନିୟୁକଲୋନୀ ତୁଳସୀ ମଣ୍ଡପ ଠାରେ ଗତକାଲି ଆୟୋଜିତ ହୋଇଥିବା ବିଶ୍ୱକର୍ମା ପୂଜା ବହୁ ଧୁମଧାମ ଓ ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ବିଶାଖାପାଟଣାରେ ହିନ୍ଦୁସ୍ତାନ ସିପୟାଡ଼ ନିର୍ମାଣ ହେବାପରେ ପ୍ରଥମେ ଏହି ସଂସ୍ଥାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ମହାରଣା ପରିବାରକୁ ଏଠାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା।

ଏହାପରେ ଏଠାରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ମହାରଣାମାନଙ୍କ ମିଳିତ ଉଦ୍ୟମରେ ୧୯୬୦ ମସିହାରେ ‘ଓଡ଼ିଆ ମହାରଣା ସେବା ସମିତି’ ନାମରେ ଗୋଟିଏ ଅନୁଷ୍ଠାନ ଗଠନ କରାଯାଇଥିଲା। ହିନ୍ଦୁସ୍ତାନ ସିପୟାଡ଼ ତରଫରୁ ଓଡ଼ିଆଙ୍କ ପାଇଁ ଏହି ତୁଳସୀ ମଣ୍ଡପର ନିର୍ମାଣ କରାଯାଇଥିଲା।

ସେତେବେଳେ ଏହି ସଙ୍ଗଠନରେ ୧୦୦୦ରୁ ଅଧିକ ଓଡ଼ିଆ ମହାରଣା ପରିବାର ମିଶିଥିଲେ। ବର୍ତ୍ତମାନ କିଛି କର୍ମଚାରୀଙ୍କ ଚାକିରିରୁ ଅବସର ନେଇ ନିଜ ମାତୃଭୂମି ଓଡ଼ିଶାକୁ ଚାଲିଯିବାପରେ ଏମାନଙ୍କ ସଂଖ୍ୟା ୪୦୦କୁ ଖସି ଆସିଛି।

ଗତ ୫୭ ବର୍ଷ ଧରି ସଂଗଠନର ସଦସ୍ୟମାନଙ୍କ ନିଜସ୍ୱ ଅନୁଦାନରେ ବିଶାଖାପାଟଣାରେ ଓଡ଼ିଶାର ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇବା ପାଇଁ ଏହି ତୁଳସୀ ମଣ୍ଡପ ଠାରେ ବିଭିନ୍ନ ଓଡ଼ିଆ ପର୍ବପର୍ବାଣିର ଆୟୋଜନ କରାଯାଏ।

ହେଲେ ୨୦୦୭ ମସିହାରେ ଶରତ ଚନ୍ଦ୍ର ମହାରଣାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଏଠାରେ ବିଶ୍ୱକର୍ମା ପୂଜାର ଆୟୋଜନ ହୋଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ଏଠାରେ ମହାରଣାମାନେ ବିଶ୍ୱକର୍ମା ପୂଜାର ଆୟୋଜନ କରିଆସୁଛନ୍ତି।

କିନ୍ତୁ ଏଥରର ବିଶ୍ୱକର୍ମା ପୂଜାରେ ୪୦୦ ମହାରଣା ପରିବାରର ପୁରୁଷ, ମହିଳା ଓ ପିଲାମାନେ ମିଳିମିଶି ଏହି ପୂଜା ବହୁ ଆଡ଼ମ୍ବରର ସହ ପାଳନ କରିଥିଲେ। ପ୍ରହଲ୍ଲାଦ ଏବଂ ତାଙ୍କ ପତ୍ନୀ ଗାୟତ୍ରୀ ମହାରଣା ପୂଜାର କାର୍ଯ୍ୟକ୍ରମକୁ ତୁଲାଇଥିଲେ। ଏଠାରେ ଠାକୁରଙ୍କ ସକାଳ ପୂଜା ପରେ ହୋମ ହୋଇଥିଲା ଏବଂ ପରେ ଠାକୁରଙ୍କୁ ସାହି ଭ୍ରମଣରେ ନିଆଯାଇଥିଲା। ମଧ୍ୟାହ୍ନ ଓ ସନ୍ଧ୍ୟାରେ ଆଳତି ପରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ପ୍ରବାସୀ ମହାରଣାଙ୍କ ଏହି ବିଶ୍ୱକର୍ମା ପୂଜାରେ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟର ମହାରଣା ପରିବାରର ସଦସ୍ୟମାନେ ଯୋଗ ଦେବା ସହ ହିନ୍ଦୁସ୍ତାନ ସିପୟାଡ଼ର ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେଇଥିଲେ। ଓଡିଶା ବାହାରେ ରହି ନିଜ ମାତୃଭୁମି ଓ ମହାରଣାମାନଙ୍କ ସଂସ୍କୃତିକୁ ବଞ୍ଚାଇବା ପାଇଁ ନିଜ ଖର୍ଚ୍ଚ ଓ ଉଦ୍ୟମରେ ଗତ

୫୭ ବର୍ଷ ଧରି ଏହି ପ୍ରବାସୀ ଓଡ଼ିଆ ମହାରଣା ପରିବାରର ସଦସ୍ୟମାନେ କରୁଥିବା ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ମହଲରୁ ଅନେକ ପ୍ରଶଂସା ମିଳିଛି।

Comment