ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମିନ ଖାରଜ ହେବାପରେ ଆଜି ନିଜେ ଆତ୍ମସମର୍ପଣ କରିଛନ୍ତି ମହିମା ମିଶ୍ର।

କୁଜଙ୍ଗ ଜେଏମଏଫସି କୋର୍ଟରେ ଆଜି ଆତ୍ମସମର୍ପଣ କଲେ ମହିମା ମିଶ୍ର। ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରି ସାରିବାପରେ ସେ ଆତ୍ମସମର୍ପଣ କରିଛନ୍ତି। କିଛିଦିନ ତଳେ ତାଙ୍କୁ ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ କରାଯାଇଥିଲା।

୨୦୧୬ ଅକ୍ଟୋବର ମାସ ୨୬ ତାରଖରେ ପାରାଦୀପ ମଧୁବନ ସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ୍। ତା’ପରେ ମହିମାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲା।

ଜଗତସିଂହପୁର ପୋଲିସ୍ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ସେମାନଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡ଼ର୍ସ ଲିମିଟେଡ଼ର ଏମଡ଼ି ମହିମା ମିଶ୍ର ଓ ତାଙ୍କ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ ରହିଥିଲେ।

Comment