ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୁରୀ ମେରାଇନ ଥାନା ପୋଲିସ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଦେଇଥିଲା। ବୁଧବାର ଦିନ ୧୨ଟା ସୁଦ୍ଧା ହାଜର ହେବାକୁ ନୋଟିସ ଦିଆଯାଇଥିଲା। ହେଲେ ବୈଜୟନ୍ତ ମେରାଇନ ଥାନାରେ ହାଜର ହୋଇ ନଥିଲେ। ବୈଜୟନ୍ତଙ୍କ ତରଫରୁ ପକ୍ଷ ରଖିବା ପାଇଁ ଥାନାରେ ହାଜର ହୋଇଥିଲେ ଇମ୍ଫା ଅଧିକାରୀ।

ନିର୍ଦ୍ଧାରିତ ସମୟ ୧୨ଟା ସୁଦ୍ଧା ପୁରୀ ମେରାଇନ ଥାନାରେ ହାଜର ହୋଇଥିଲେ ଇମ୍ଫାର ଆଭିଏସନ ମ୍ୟାନେଜର ହିଂମାଶୁ ମହାପାତ୍ର। ପ୍ରାୟ ୪ ଘଣ୍ଟା ଧରି ସେ ଥାନାରେ ରହି ପୋଲିସ ପ୍ରଶ୍ନର ଉତ୍ତର ରଖିଥିଲେ। ତାଙ୍କ ହେଲିକପ୍ଟର କୌଣସି ବେଆଇନ ଉଡ଼ାଣ କରିନାହିଁ ବୋଲି ପ୍ରମାଣ ଦେଇଥିଲେ। ହେଲେ ଏଥିରେ ସନ୍ତୁଷ୍ଟ ହୋଇନାହିଁ ପୋଲିସ। ବୈଜୟନ୍ତଙ୍କୁ ବ୍ୟକ୍ତିଗତ ଭାବେ ଆସନ୍ତା ୨୪ ତାରିଖରେ ହାଜର ହେବା ପାଇଁ ପୁରୀ ପୋଲିସ ନୋଟିସ ଦେଇଛି।

ଏପଟେ ବୈଜୟନ୍ତଙ୍କ ହେଲିକପ୍ଟରରେ ଥିବା ଦୁଇ ଜଣ ଜାତୀୟ ସ୍ତରର ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଏବଂ ଆରତୀ ସିଂହଙ୍କୁ ମଧ୍ୟ ପୋଲିସ ସମନ କରିଥିଲା। ଆଜି ଥାନାରେ ହାଜର ହେବାକୁ ନୋଟିସ କରିଥିଲା। କିନ୍ତୁ ସେମାନେ ବି ଆଜି ହାଜର ହୋଇ ନଥିଲେ। ଉଭୟଙ୍କୁ ୨୪ ତାରିଖରେ ହାଜର ହେବାକୁ ପୋଲିସ ପୁଣି ନୋଟିସ ଦେଇଛି।

“ଇମ୍ଫା କମ୍ପାନିର ଅଧିକାରୀ ଆଜି ଥାନାକୁ ଆସିଥିଲେ। ଚିଲିକା ଉପରେ ତାଙ୍କ ହେଲିକପ୍ଟର ବେଆଇନ ଉଡ଼ାଣ କରିନାହିଁ ବୋଲି ଆଣିଥିବା ପ୍ରମାଣ ଦେଖାଇଲେ। ହେଲେ ଆମେ ବୈଜୟନ୍ତ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନୋଟିସ ଦେଇଥିଲୁ। ସେ ଆସି ନଥିବାରୁ ୨୪ରେ ହାଜର ହେବାକୁ ପୁଣି ନୋଟିସ ଦିଆଯାଇଛି”, କହିଛନ୍ତି ପୁରୀ ସଦର ଏସ୍‌ଡିପିଓ ସୁଶିଲ ମିଶ୍ର।

ଆମ ହେଲିକପ୍ଟର ୧୫ ତାରିଖରେ କୌଣସି ବେଆଇନ ଉଡ଼ାଣ କରିନାହିଁ। ଯେଉଁ ସମୟରେ ଆମ ହେଲିକପ୍ଟର ଚିଲିକା ଉପରେ ଉଡ଼ିଥିଲା ବୋଲି ଅଭିଯୋଗ ହୋଇଛି ତାହା ମିଥ୍ୟା। ଆମେ ଏ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସକୁ ଦେଇଛୁ”, କହିଛନ୍ତି ଇମ୍ଫା ଆଭିଏସନ ମ୍ୟାନେଜର ହିଂମାଶୁ ମହାପାତ୍ର।

୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ବୈଜୟନ୍ତଙ୍କ ହେଲିକପ୍ଟର ଲୋ ଫ୍ଲାଇଙ୍ଗ ହୋଇଥିବା ସିଡିଏ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ବୈଜୟନ୍ତ ଏବଂ ହେଲିକପ୍ଟରରେ ଥିବା ଅନ୍ୟ ଦୁଇ ସହଯାତ୍ରୀଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଦେଇଥିଲା ପୋଲିସ।

Comment