ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ପ୍ରେମ ମଣିଷକୁ ଅନ୍ଧ କରିଦିଏ। ଏହା ଜାଣି ମଧ୍ୟ ମଣିଷ ପୁଣି ସେହି ପ୍ରେମ କଣ୍ଟାର ଫାସରେ ପଡିବା ପାଇଁ ଜୀବନକୁ ବାଜି ଲଗାଏ। ଏମିତି ଏକ ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବଡିହି ଗାଁରେ। ବୁଧବାର ରାତିରେ ବଡିହି ଗାଁର ବସନ୍ତ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟାକରି ପଟ୍ଟାମୁଣ୍ଡାଇ ଅଞ୍ଚଳର ସଁକରୁପା ଗାଁ ନିକଟରେ ଥିବା ଏକ ଜଳାଶୟ ମଧ୍ୟରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ ପଛରେ ପ୍ରେମ କାହାଣୀ ରହିଥିବା କୁହାଯାଉଛି।

ବୁଧବାର ସନ୍ଧ୍ୟା ପ୍ରାୟ ୮ଟା। ବାବର ହାଟରୁ ସ୍ଥାନୀୟ ସଁକୁରୁପା ଗାଁର ଲୋକେ ଘରକୁ ଫେରୁଥିବା ବେଳେ ଦେଖିଲେ କି ଏକ ବାଇକ ରାସ୍ତା କଡ଼ରେ ପଡ଼ିଛି ଓ ବାଇକଟିର ଇଣ୍ଡିକେଟର ଜଳୁଛି। ପାଖରେ ଏକ ଚପଲ ପଡ଼ିଛି। ଲୋକମାନେ ସନ୍ଦେହ କଲେ ଯେ କେହି ଜଣେ ଦୁର୍ଘଟଣାର ଶିକାର ହୋଇ ପାଣି ନାଳକୁ ଖସି ପଡ଼ିଛି। ଲୋକମାନେ ନାଳ ଆଖପାଖରେ ଖୋଜାଖୋଜି କରି ପାଇଲେନି।

ଶେଷରେ ମଟର ସାଇକେଲଟିକୁ ଗଡ଼ାଇ ଗଡ଼ାଇ ନେଉଥିଲେ ଲୋକେ। ପାଖ ବଡିହି ଗାଁର ଲୋକେ ମଟର ସାଇକେଲଟିକୁ ଚିହ୍ନିପାରି ଖୋଳତାଡ଼ ଆରମ୍ଭ କଲେ। ସଁକୁରୁପା ଲୋକଙ୍କଠାରୁ ସମସ୍ତ ଖବର ଶୁଣିବା ପରେ ବଡିହି ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରିଥିଲେ।

ରାସ୍ତାଠାରୁ ପ୍ରାୟ ୩୮ ଫୁଟ ଦୂରରେ ଏକ ମୃତଦେହ ଠାବ କଲେ। ମୃତଦେହଟି ବଡିହି ଗାଁର ବସନ୍ତ ନାୟକଙ୍କର ବୋଲି ଜଣାପଡ଼ିଲା। ବସନ୍ତଙ୍କର କାନ ପାଖରେ ଏକ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା। ଏଥିରୁ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲେ ଲୋକେ। ଖବର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଗଲା। ବସନ୍ତଙ୍କୁ କାହିଁକି ଏବଂ କିଏ ହତ୍ୟା କଲା ତା’ର ରହସ୍ୟ ଖୋଜା ଚାଲିଲା।

ଖବର ବସନ୍ତଙ୍କ ଘରେ ପହଞ୍ଚିଲା। ତାଙ୍କ ଘର ଲୋକଙ୍କ କହିବା ଅନୁସାରେ ବଡିହି ଗାଁର ପିଣ୍ଟୁ ଦାସ ନାମକ ଜଣେ ଯୁବକ ତାଙ୍କ ମଟର ସାଇକେଲରେ ବସନ୍ତଙ୍କୁ ନେଇ ରାଜନଗର ଯାଇଥିଲେ। ତାପରେ ପିଣ୍ଟୁ ଘରକୁ ଚାଲି ଆସିଥିବା ବେଳେ ବସନ୍ତ ଘରକୁ ଆସି ନଥିଲେ। ପିଣ୍ଟୁଙ୍କ ମଟର ସାଇକେଲ ଓ ବସନ୍ତଙ୍କ ମୃତ ଦେହ ଗୋଟିଏ ସ୍ଥାନରୁ ମିଳିବାରୁ ଘଟଣା ପଛରେ ପିଣ୍ଟୁଙ୍କ ହାତ ଥିବା ସନ୍ଦେହ ଦୃଢ଼ିଭୂତ ହେବାରେ ଲାଗିଛି।

ଅନ୍ୟ ପକ୍ଷରେ ନିକଟସ୍ଥ ରତନପୁର ଗାଁର ଧୁକୁଡି ବାଇ ନାମକ ଜଣେ ଯୁବକଙ୍କ ସହିତ ଗତ ୧୭ ତାରିଖରେ ବସନ୍ତଙ୍କର ଝଘଡ଼ା ଲାଗିଥିଲା। ଧୁକୁଡି ବସନ୍ତଙ୍କୁ ରାସ୍ତାରୁ ହଟାଇ ଦେବାକୁ ଧମକ ଦେଇଥିଲା। ଏହାପରେ ଧୁକୁଡିର ବାପା ଅକ୍ଷୟ ବାଇ ବସନ୍ତଙ୍କ ଘରକୁ ଆସି ଗତ ୧୮ ତାରିଖରେ ଧମକ ଦେଇଥିଲେ। ଏହାପଛରେ ପ୍ରେମ ସମ୍ପର୍କ ଥିବା କୁହାଯାଉଛି।

ଧୁକୁଡି ବାଇ ଓ ବସନ୍ତ ନାୟକ ରତନପୁର ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଥିଲା। ଫଳରେ ଯୁବତୀଙ୍କୁ ତାଙ୍କ ପରିବାରଲୋକ କଲିକତାରେ ରହୁଥିବା ଜଣେ ସମ୍ପର୍କିୟଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ବସନ୍ତଙ୍କ ହତ୍ୟା ପଛରେ ଧୁକୁଡି ବାଇ ଓ ତାଙ୍କ ବାପାଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ବସନ୍ତଙ୍କ ବାପା ଜଗବନ୍ଧୁ ନାୟକ। ଅଭିଯୋଗ ପାଇବା ପରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ବସନ୍ତଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ଡାକ୍ତରଖାନକୁ ପଠାଇଛି  ପୋଲିସ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି କି ବସନ୍ତଙ୍କୁ ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯାଇ ଏହି ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ତେବେ ତଦନ୍ତ ଆରମ୍ଭ ହୋଇଥିବାରୁ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିନାହିଁ।

ଧୁକୁଡି ବାଇ ଫେରାର ହୋଇ ଯାଇଛି। ଧୁକୁଡ଼ିର ବାପା ଅକ୍ଷୟ ବାଇ ଓ ବସନ୍ତଙ୍କୁ ବାଇକରେ ନେଇ ରାଜନଗର ଯାଇଥିବା ପିଣ୍ଟୁ ଦାସଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ପୋଲିସ।

LEAVE A REPLY

Please enter your comment!
Please enter your name here