ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା, କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ପ୍ରତ ଅପମାନସୂଚକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ସାମ୍ବାଦିକ ଅଭିଜିତ ଆୟାର।

ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ନେଇ ଗତ ତିନି ଦିନ ହେଲା ଉଠୁଛି ପଡ଼ୁଛି ବିଧାନସଭା। ଅଭିଜିତଙ୍କ ଗିରଫ ଦାବିରେ ଶାସକ ବିଜେଡି ସଭ୍ୟ ଗତ ୧୭ ତାରିଖରେ ଗୃହ ହୁଲୁସ୍ତୁଲ୍ କରିଥିବା ବେଳେ ଆଜି ସବୁ ଦଳର ବିଧାୟକ ଏକାଠି ହୋଇଛନ୍ତି। କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଶା ବିଧାୟକମାନଙ୍କୁ ବିଦ୍ରୁପ କରିଥିବା ଅଭିଜିତଙ୍କୁ ସମନ କରିବାକୁ ଦାବି କରିଛନ୍ତି ବିଧାୟକମାନେ।

ଅଡ଼ୁଆରେ ପଡ଼ିଛନ୍ତି ଅଭିଜିତ। ପ୍ରଥମେ ବିଶ୍ୱ ଏତିହ୍ୟ କୋଣାର୍କ ମନ୍ଦିରର କାରୁକଳାକୁ ଅଶ୍ଲୀଳ କହିବା ପରେ ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଶା ସମ୍ପର୍କରେ ଦେଇଥିଲେ ନକରାତ୍ମକ ଟିପ୍ପଣୀ। ଓଡ଼ିଶାକୁ ବଙ୍ଗଳୀମାନେ ଆବିଷ୍କାର କରିଥିବା କହିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଧାନସଭାରେ ହୋ-ହଲ୍ଲା ହୋଇଥିଲା। ଅଭିଜିତଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏହାପରେ ଅଭିଜିତ ଓଡ଼ିଶାର ବିଧାୟକମାନଙ୍କୁ ଛାଡ଼ି ନଥିଲେ। ବିଧାୟକମାନେ ‘ବୋକା’ ବୋଲି କହିଥିଲେ ଅଭିଜିତ। ଏହାକୁ ନେଇ ଝଡ଼ ଉଠିଥିଲା ବିଧାନସଭାରେ।

ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭାରେ ଆଗତ ହୋଇଥିଲା ସ୍ୱାଧିକାର ଭଙ୍ଗ ନୋଟିସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ବିଧାନସଭାରେ ଆଣିବା ପରେ ଏହାକୁ ସମର୍ଥନ ଜଣାଇଥିଲେ ବିଜେଡି ଏବଂ ବିଜେପି ସଭ୍ୟ। କୋଣାର୍କ, ଓଡ଼ିଆ ଜାତି ଓ ଜଗନ୍ନାଥଙ୍କ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଅଭିଜିତଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ ସବୁ ଦଳର ସଭ୍ୟ।

ଏହାକୁ ଗ୍ରହଣ କରିଥିଲେ ବାଚସ୍ପତି। ଏହାଛଡ଼ା ଅଭିଜିତ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ ବାବଦରେ ତଦନ୍ତ କରିବା ପାଇଁ ଗଠନ ହୋଇଛି ଗୃହ କମିଟି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ୬ ଜଣ ସଦସ୍ୟ ଏଥିରେ ଅଛନ୍ତି।

ଏହି କମିଟିରେ ଅଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା। ପରବର୍ତ୍ତୀ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

“ଅଭିଜିତ ଆୟାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶାର ଜନସାଧାରଣଙ୍କ ଭାବାବଗେକୁ ଆଘାତ ଦେଇଛି। ଓଡ଼ିଆ ଭାଷାକୁ ସେ ଅପମାନିତ କରିଛନ୍ତି। ଗୃହରେ ହାଜର ହେବା ପାଇଁ ତାଙ୍କୁ ସମନ କରାଯାଉ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଚାର କରିବା ଉଚିତ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ଅଭିଜିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧାୟକ ଅରୁଣ ସାହୁ ଏବଂ ମନ୍ତ୍ରୀ ପ୍ରତାପ ଜେନା ଦାବି କରିଛନ୍ତି।

ଗତ ୧୬ ତାରିଖରେ ଅଭିଜିତ ବିବାଦୀୟ ଟୁଇଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାକୁ ବଙ୍ଗାଳୀମାନେ ଆବିଷ୍କାର କରିଥିଲେ। ଏହାକୁ ‘ଓରିଶାଳା’ କୁହାଯାଉଥିଲା। ପରେ ଏହା ଓଡ଼ିଶା ନାଁରେ ନାମିତ ହେଲା।

ଏହାସହ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ଅଭିଜିତ। ସେ କହିଥିଲେ ଯେ ଜଗନ୍ନାଥ ମନ୍ଦିରକୁ ଗଙ୍ଗବଂଶୀୟ ରାଜା ନିର୍ମାଣ କରିଥିଲେ।

LEAVE A REPLY

Please enter your comment!
Please enter your name here