ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଐତିହ୍ୟ କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ସାମ୍ବାଦିକ ଅଭିଜିତ ଆୟାର ମିତ୍ର। ଅଭିଜିତଙ୍କ ମନ୍ତବ୍ୟକୁ ବିଧାନସଭାରେ କଡ଼ା ଭାଷାରେ ସମାଲୋଚନା କରିଥିବା ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଅଭିଜିତଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି।

ଅଭିଜିତ ଆୟାରଙ୍କ ମନ୍ତବ୍ୟ ସମ୍ପର୍କରେ ଆପଣ କ’ଣ କହିବେ?

ଅଭିଜିତ ଆୟାର ଓଡ଼ିଶାର ଭାସ୍କର୍ଯ୍ୟ, କୋଣାର୍କ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ତାର ଇତିହାସ ଏବଂ  ଐତିହ୍ୟକୁ ନିନ୍ଦା କଲେ। ଓଡ଼ିଆ ଜାତିର ଆରାଧ୍ୟ  ଦେବତା ପ୍ରଭୁ ଜଗନ୍ନାଥ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ କହିଲେ। ଓଡ଼ିଶା ବିଧାନସଭାକୁ ବୋକା ଏବଂ ବୁଦୁମାନଙ୍କ ଜାଗା କହିଲେ। ଓଡ଼ିଶା ରାଜ୍ୟ ବଙ୍ଗଳାରୁ ସୃଷ୍ଟି ହୋଇଛି ବୋଲି  ବିଭ୍ରାନ୍ତିକର ତଥ୍ୟ ରଖିଲେ। ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି ଅଭିଜିତ। ବିଧାନସଭାରେ ଦଳମତ ନିର୍ବିଶେଷରେ ଅଭିଜିତଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସମସ୍ତେ। ତାଙ୍କ ବିରୋଧରେ ଏକ ସଙ୍କଳ୍ପ ପାରିତ ହୋଇଛି। ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଗୃହ କମିଟି ଗଠନ କରାଯାଇଛି। ତାଙ୍କୁ କଡ଼ା ଭାଷାରେ ନିନ୍ଦା କରାଯିବା ଦରକାର ଏବଂ ସେ ଶାସ୍ତି ପାଇବା ଦରକାର।

ସ୍ୱାଧୀକାର ଭଙ୍ଗ ନୋଟିସର ଆଧାର କ’ଣ ରହିଛି?

ବିଧାନସଭାରେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଧାୟକମାନେ ଆଲୋଚନା କରି ପାରିବାର ଅଧିକାର ରହିଛି। ଅଭିଜିତଙ୍କ ସମ୍ପର୍କରେ ଆଲୋଚନା କରାଯିବାରୁ ସେ ବିଧାୟକମାନଙ୍କୁ ବୋକା ଓ ବୁଦୁ କହି ସମାଲୋଚନା କରିଥିଲେ। ବିଧାୟକମାନଙ୍କ ସମ୍ପର୍କରେ ସେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ତାହା ସ୍ୱାଧିକାର ଭଙ୍ଗ କରୁଛି।  ବିଧାୟକମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ସ୍ୱାଧିକାର ଭଙ୍ଗ ନୋଟିସ ଆଗତ କରାଯାଇଛି।

୨୦୧୭ରେ ମଧ୍ୟ ଅଭିଜିତ ଓଡ଼ିଶା ସମ୍ପର୍କରେ ନକରାତ୍ମକ ଟିପ୍ପଣୀ ଦେଇଥିଲେ। ଆପଣମାନେ କାହିଁକି ସେତେବେଳେ କିଛି ପଦକ୍ଷେପ ନେଇ ନଥିଲେ?

୨୦୧୭ରେ ସେ ଯାହା କହିଥିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ନଥିଲା କି କାହା ନଜରକୁ ଆସି ନଥିଲା। କିନ୍ତୁ ଏବେ ସେ ଯାହା କହିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହେଲା ଏବଂ ସମସ୍ତଙ୍କ ନଜରକୁ ଆସିଲା। ଏଣୁ ତା’ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ଓଡ଼ିଶାର ସବୁ ବର୍ଗର ଲୋକଙ୍କୁ ଗାଳି ଦେଇଥିବାରୁ ଏହା ଏକ ଗୁରୁତର ଅପରାଧ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥିପାଇଁ ଦାୟୀ କି?

ଯେଉଁ ବ୍ୟକ୍ତି ୨୦୧୭ ମସିହାରୁ ଏଭଳି ମନ୍ତବ୍ୟ ଦେଇଛନ୍ତି ତାଙ୍କୁ ଆତିଥ୍ୟ ପ୍ରଦାନ କରିବା ଏବଂ ଆକାଶମାର୍ଗରେ ବୁଲେଇବା ଠିକ୍ ନୁହେଁ। ବାରମ୍ବାର ଅଭିଜିତ ଓଡ଼ିଶାକୁ ତାତ୍ସଲ୍ୟ କରୁଛନ୍ତି। ସେ ନିଜକୁ ଏକମାତ୍ର ପଣ୍ଡିତ ଭାବିଛନ୍ତି। ଅଭିଜିତ ସୁସ୍ଥ ମସ୍ତିଷ୍କରେ ବିକୃତ ମାନସିକତା ଭଳି ବିଭ୍ରାନ୍ତ କରି ଚାଲିଛନ୍ତି।

ଅଭିଜିତ କହିଛନ୍ତି ଯେ ରାମ ମନ୍ଦିରରେ ଏଭଳି କାରୁକାର୍ଯ୍ୟ ରହିବ ନାହିଁ। ସେ ଏମିତି କହିବାର ମାନେ କ’ଣ?

ରାମମନ୍ଦିରର ପରିକଳ୍ପନା ହେଉଛି ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଭାରତୀୟ ଜନତା ପାର୍ଟିର। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେ ଭାରତୀୟ ଜନତା ପାର୍ଟିର ସଭ୍ୟ କିମ୍ବା  ଆରଏସଏସର କ୍ୟାଡର ହୋଇଥିବେ।

ଅଭିଜିତ ସାମ୍ପ୍ରଦାୟିକ ମନୋଭାବ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଏ ସମ୍ପର୍କରେ କ’ଣ ମତ ଦେବେ?

ସେ କେଉଁ ଇତିହାସ ପଢିଛନ୍ତି, ମୁଁ ଜାଣିନି। କିନ୍ତୁ ସେ ଇତିହାସ ନପଢ଼ିଲା ଭଳି ଲାଗୁଛି। ସେ ନିଜକୁ ବିଜ୍ଞ ବୋଲି ଭାବୁଛନ୍ତି। ଅଳ୍ପ ବିଦ୍ୟା ଭୟଙ୍କରୀ ଶବ୍ଦ ତାଙ୍କ ପାଇଁ ପ୍ରଯୁଜ୍ୟ।

 ଅଭିଜିତଙ୍କ ବାନ୍ଧବୀ କହିଛନ୍ତି ଯେ ଓଡ଼ିଶାରେ ବାକ୍‌ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଉନି?

ସ୍ୱାଧୀନତାର ଅର୍ଥକୁ କଦର୍ଥ କରିବା ଉଚିତ ନୁହେଁ। ବାକ୍ ସ୍ୱାଧୀନତା ମାନେ ନୁହେଁ ଯେ ଅନ୍ୟର ଭାବନାକୁ କ୍ଷତି ପହଞ୍ଚାଇବା ବା ତାତ୍ସଲ୍ୟ କରିବା। ଏସବୁ ମାନହାନୀ ସୂଚକ କଥା।

ଅଭିଜିତଙ୍କ ବିରୋଧରେ ଗୃହ କମିଟି ଗଠନ କରାଯାଇଛି ଏବଂ ଆପଣ ଏହାର ସଦସ୍ୟ। କ’ଣ କାର୍ଯ୍ୟନୁଷ୍ଠାନ ନିଆଯିବ?

ସୋସିଆଲ ମିଡିଆରେ ସେ ଯାହା ଟିପ୍ପଣୀ ଦେଇଛନ୍ତି ଏବଂ ବିଭିନ୍ନ ଗଣମାଧ୍ୟମରେ ଯାହା ଖବର ପ୍ରକାଶ ପାଇଛି ତାକୁ ତର୍ଜମା କରାଯିବ। ତାଙ୍କୁ ସମନ କରାଯିବ। ତାଙ୍କର ବୟାନ ରେକର୍ଡ ମଧ୍ୟ କରାଯିବ। ପୋଲିସ କେତେବାଟ ତଦନ୍ତ କରିଛି ତାକୁ ବି ଅନୁଧ୍ୟାନ କରାଯିବ। ବିଭିନ୍ନ ଦିଗକୁ ନେଇ ତର୍ଜମା କରାଯିବା ପରେ ପରର୍ତ୍ତୀ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରିପୋର୍ଟ ଉପସ୍ଥାପନ କରାଯିବ।

ବୈଜୟନ୍ତ ପଣ୍ଡା ଅଭିଜିତ ଆୟାର ମିତ୍ରଙ୍କୁ ନିନ୍ଦା କରିଛନ୍ତି। ଏହା ଉପରେ କ’ଣ କହିବେ?

ସେ ମନ୍ତବ୍ୟର ମାନେ କିଛି ନାହିଁ। ୨୦୧୭ରୁ ଅଭିଜିତ ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଆସୁଛନ୍ତି। ତାଙ୍କୁ ଆତିଥ୍ୟ ଦେବା ଠିକ୍ ନୁହେଁ। ଓଡ଼ିଶାର ଐତିହ୍ୟ, ବିଧାନସଭା ଉପରେ ନକରାତ୍ମକ ଟିପ୍ପଣୀ ଦେଇଥିବା ଅଭିଜିତଙ୍କୁ ଯଦି ସେ କ୍ଷମା ମାଗିବାକୁ କହିଥାନ୍ତେ ତାହାଲେ କିଛି ଲାଭ ହୋଇଥାନ୍ତି। କାମରେ କରି ଦେଖାଇବା ଉଚିତ। କଥା କହିଲେ କିଛି ଲାଭ ନାହିଁ।

ଅଭିଜିତଙ୍କ ବିରୋଧରେ କ’ଣ କାର୍ଯ୍ୟନୁଷ୍ଠାନ ନେବା ଉଚିତ୍?

ପୋଲିସ ଆଇନଗତ ଦିଗକୁ ନେଇ ତଦନ୍ତ କରୁଛି। ବିଧାନସଭାର ଗୃହ କମିଟି ବିଭିନ୍ନ ଦିଗକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିବ। ଅଭିଜିତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଦାବି କରିବୁ।

ସାକ୍ଷାତକାର: ମୋନାଲିସା ମିଶ୍ର

Comment