ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତ ଶାହଙ୍କୁ ଦୃଢ଼ ଜବାବ ଦେଇଛି ବିଜେଡି। ତୈଳ ଦର ୧୨୦ ଟଙ୍କା ଛୁଇଁଲେ ଅଛେଦିନ୍ ଆସିବ କି ବୋଲି ବିଜେଡି ପ୍ରଶ୍ନ କରିଛି।

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ପୁରୀରୁ ବିଜେଡି ସରକାରକୁ ହମଲା କରିବା ପରେ ଆଜି ବିଜେଡି ଏହାର ଜବାବ ଦେଇଛି। ଅମିତ ଶାହ ଏବଂ ବିଜେପି ଦେଶବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି।

ଅମିତ ଶାହ କହିଥିଲେ ଯେ ଓଡ଼ିଶାକୁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି। ହେଲେ ଏହା ଠିକ୍‌ରେ ଖର୍ଚ୍ଚ ହୋଇପାରୁନି।

ଏହାର ଜବାବରେ ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ କହିଛନ୍ତି,”ଶାହଙ୍କ ଏହି ମନ୍ତବ୍ୟ କଟା ଘା’ରେ ଚୂନ ସଦୃଶ। କେନ୍ଦ୍ର ସରକାର ୮ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି ଏବଂ ୩୩ଟି ଯୋଜନାରେ କେନ୍ଦ୍ରୀୟ ସହାୟତା ହ୍ରାସ କରି ରାଜ୍ୟ ଉପରେ ଆର୍ଥିକ ବୋଝ ଜବରଦସ୍ତି ଲଦି ଦେଇଛନ୍ତି। କେନ୍ଦ୍ରରୁ ଓଡ଼ିଶାକୁ ଅର୍ଥ ପଠାଇବା କଥା ଶାହା କହିଲେ ମନେ ହୁଏ, ଯେମିତି ପ୍ରତି ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ବିଜେପି ପୂର୍ବ ଘୋଷିତ ଭାବରେ ପଠାଇ ସାରିଛି।”

୨୦୧୪ରେ ବିଜେପି ସରକାର ଗଠନ କରିବା ପୂର୍ବରୁ ଅଛେଦିନର ସ୍ବପ୍ନ ଦେଖାଇଥିଲା ଦେଶବାସୀଙ୍କୁ। ହେଲେ ଶାସନର ସାଢ଼େ ୪ ବର୍ଷ ପରେ ପେଟ୍ରୋଲ ଦର ପ୍ରତି ଲିଟର ୯୦ ଟଙ୍କା ଛୁଇଁଲାଣି। ବିଜେପି ତୈଳ ଦର ପ୍ରତି ଲିଟର ୧୨୦ ଟଙ୍କାରେ ପହଞ୍ଚାଇ ଓଡ଼ିଶାରେ ମିଶନ ୧୨୦ ସଫଳ କରିବା ଭଳି ଜଣାପଡ଼ୁଛି ବୋଲି ବିଜେଡି ଆକ୍ଷେପ କରିଛି।

ଶାହ କହିଥିଲେ ଯେ ବିଜେପି ସରକାରକୁ ଆସିଲେ ୫ ବର୍ଷରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟରେ ପରିଣତ କରିବ। ଏହାକୁ ବିଜେଡି ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛି। ବିଜେଡି କହିଛି ଯେ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ୧୫ବର୍ଷର ଶାସନକାଳ ମଧ୍ୟରେ ବିଜେପି କୌଣସି ପରିବର୍ତ୍ତନ ଆଣିପାରି ନାହିଁ। କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ଭ୍ରମିତ କରିଆସୁଛି। କେନ୍ଦ୍ରର ଆୟୁଷ୍ମାନ ଯୋଜନା ଅପେକ୍ଷା ରାଜ୍ୟର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ବହୁତ ଭଲ ବୋଲି କହିଛି ବିଜେଡି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାର ସାମିଲ ହୋଇଥିଲା ବେଳେ ଆୟୁଷ୍ମାନ ଯୋଜନାରେ ୯ ଲକ୍ଷ ପରିବାର ଓ ପାଖାପାଖି ୫୦ଲକ୍ଷ ଲୋକ ବାଦ୍‍ ପଡ଼ିଯାଇଥାନ୍ତେ। କେନ୍ଦ୍ର ସରକାର ଏହି ୫୦ ଲକ୍ଷ ବାଦ୍‍ ପଡୁଥିବା ଓଡ଼ିଆଙ୍କୁ ଆୟୁଷ୍ମାନ ଯୋଜନାରେ ଅର୍ନ୍ତଭୁକ୍ତ ନକରିବାରୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। କେବଳ ଏହି ୫୦ଲକ୍ଷ ବ୍ୟକ୍ତିଙ୍କୁ ନୁହେଁ, ଏଥିରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସାମିଲ କରାଯାଇଛି।

ଶାହ ପୁରୀ ଆସି ରାଜନୀତିକ ଉଦବୋଧନ ଦେଇଛନ୍ତି। ଏହାର କୌଣସି ପ୍ରଭାବ ପଡ଼ିନାହିଁ ବୋଲି ବିଜେଡି ସାଧାରଣ ସମ୍ପାଦକ ସଂଜୟ କୁମାର ଦାସବର୍ମା ଏବଂ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Comment