ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣ ମାରିବାର ଦିନକ ପରେ ଆଜି ଅମିତ ଶାହ ପୁରୀ ଆସି ଟାର୍ଗେଟ କରିଛନ୍ତି।

“ଓଡ଼ିଶାର ମା’ ଓ ଭଉଣୀଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବ। ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାବାସୀଙ୍କ ସମର୍ଥନରେ ହିଁ ଏହା ସମ୍ଭବ ହେବ”, କହିଛନ୍ତି ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ।

ପୁରୀଠାରେ ଚାଲିଥିବା ଜାତୀୟ ମହିଳା ଅଧିବେଶନରେ ଯୋଗ ଦେଇଛନ୍ତି ଅମିତ ଶାହ। ଅଧିବେଶନରେ ମହିଳା କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ୨୦୧୯ରେ ଓଡ଼ିଶାବାସୀ ଭିନ୍ନ ପ୍ରକାରର ନିର୍ବାଚନ ଦେଖିବେ ବୋଲି କହିଛନ୍ତି ଶାହ।

ବିଜେଡିକୁ ଟାର୍ଗେଟ

ପୁରୀରେ ଦୁଇ ଦିନ ଧରି ଚାଲିବ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଅଧିବେଶନ। ଏହାକୁ ଉଦଘାଟନ କରିବା ପରେ ଅମିତ ଶାହ ସିଧା ବିଜେଡି ଉପରେ ବର୍ଷିଛନ୍ତି। ୨୦୧୯ରେ ନବୀନଙ୍କ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର କ୍ଷମତାରୁ ଯିବା ନିଶ୍ଚିତ। ଏହାକୁ କେହି ରୋକି ପାରିବେ ନାହିଁ। ବିଜେଡି ଓଡ଼ିଶାରେ ଶାସନ କରିବାର ଅଧିକାର ହରାଇଛି ବୋଲି କହିଛନ୍ତି ଶାହ।

“ବିଜେଡି ଲଗାତାର ଓଡ଼ିଶାରେ ଶାସନ କରି ଆସୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଛନ୍ତି। ହେଲେ ଓଡ଼ିଶାରେ ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ଏଣୁ ନବୀନ ବାବୁଙ୍କର ଶାସନ ଗାଦିରେ ବସିବାର ଅଧିକାର ନାହିଁ”, କହିଛନ୍ତି ଅମିତ ଶାହ।

ଓଡ଼ିଶାରୁ ଗରିବୀ ହଟିନି

ଖଣିଜ ପଦାର୍ଥ ଏବଂ ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରପୁର ହୋଇଥିଲେ ମଧ୍ୟ ଏହାକୁ ଠିକ୍ ଢଙ୍ଗରେ ବ୍ୟବହାର କରାଯାଉନି। ଏଠାକାର ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଫଳରେ ଓଡ଼ିଶାରୁ ଗରିବୀ ହଟୁନି। ନରେନ୍ଦ୍ର ମୋଦିଙ୍କ ସରକାର ଅନେକ ଗରିବ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାକୁ କେନ୍ଦ୍ର ସରକାର ଅନୁଦାନ ଦେଉଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ପହଞ୍ଚିପାରୁନି। ସେହିପରି ଚାଷୀମାନେ ମଧ୍ୟ ଉଚିତ ମୂଲ୍ୟ ପାଉ ନାହାନ୍ତି ବୋଲି କହିଛନ୍ତି ଶାହ। ମିଲରମାନଙ୍କ ସହ ଓଡ଼ିଶା ସରକାର ଅସାଧୁ ମେଣ୍ଟ କରୁଥିବାରୁ ଚାଷୀମାନେ ସେମାନଙ୍କ ଫସଲ ବିକ୍ରି କରିପାରୁ ନାହାନ୍ତି। ଓଡ଼ିଶାବାସୀ ନବୀନ ବାବୁଙ୍କ ସରକାରଙ୍କୁ ବହୁତ ସୁଯୋଗ ଦେଲେ। ଆଗକୁ ଆଉ ଦେବେନି ବୋଲି କହିଛନ୍ତି ଶାହ।

ମୋଦିଙ୍କ ଲୋକପ୍ରିୟତାକୁ ଡରୁଛନ୍ତି ରାଜ୍ୟ ସରକାର

ଗରୀବ ଶ୍ରେଣୀର ରୋଗୀମାନଙ୍କ ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଓଡ଼ିଶା ଏହାକୁ ଗ୍ରହଣ କରିପାରୁ ନାହିଁ। ଏହି ଯୋଜନା ଲାଗୁ କଲେ ଓଡ଼ିଶାରେ କାଳେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବ ସେଥିପାଇଁ ରାଜ୍ୟ ସରକାର ଡରିଲେ। ସେଥିପାଇଁ ଓଡ଼ିଶାର ଗରିବ ରୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କଲେ ବୋଲି ମୋଦି ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି।

କଂଗ୍ରେସକୁ ବି ଛାଡ଼ିଲେନି

ଅମିତ ଶାହ ଆଜି ବିଜେଡିକୁ ଟାର୍ଗେଟ କରିବା କଂଗ୍ରେସକୁ ବି ବାଣ ମାରିଛନ୍ତି। ମୋଦି ମେକ ଇନ୍ ଇଣ୍ଡିଆ କରୁଥିବା ବେଳେ କଂଗ୍ରେସ ବ୍ରେକ ଇନ ଇଣ୍ଡିଆ କରୁଛି। ଦେଶକୁ ଆଗକୁ ନେବା ପାଇଁ ମୋଦି ଚିନ୍ତା କରୁଥିବା ବେଳେ କଂଗ୍ରେସ ପଛକୁ ଟାଣୁଛି। ମୋଦିଙ୍କ ବିରୋଧରେ କଂଗ୍ରେସ ସମତେ ପୂରା ବିରୋଧୀ ଦଳ ଏକାଠି ହେଉଛନ୍ତି। ହେଲେ କିଛି ଲାଭ ହେବନି।

Comment