ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦ
  • ଜୋର ଧରିଲା ଓକିଲଙ୍କ ଆନ୍ଦୋଳନ
  • ମଙ୍ଗଳବାର ସରକାରୀ ଅଫିସ ସମ୍ମୁଖରେ ଧାରଣା

କଟକରେ ପୋଲିସ-ଓକିଲଙ୍କ ଭିତରେ ଦେଖାଦେଇଥିବା ବିବାଦ ସମାଧାନ ହେବାର ନାଁ ଧରୁନି। ଏହି ଘଟଣା ଦିନକୁ ଦିନ ଜଟିଳ ହେଉଛି। କଟକ ନୂଆ ବଜାରରେ ଓକିଲଙ୍କୁ ମାଡ଼ ମାରିଥିବା ପୋଲିସର ଗିରଫ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତେଜିଛି।

ମଙ୍ଗଳବାରଠାରୁ ଓକିଲମାନେ  କଟକର ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ଧାରଣା ଦେବା ସହ ଗୁରୁବାର ନବୀନ ନିବାସ ଘେରାଉ କରିବେ ଆଇନଜୀବୀ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ। ଆଜି ଏନେଇ ହାଇକୋର୍ଟ ବାର୍ ଆସୋସିଏସନ ବୈଠକରେ ନିଷ୍ପତ୍ତି ହୋଇଛି।

ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି, “ଆଇନଜୀବୀମାନେ ଯେଉଁ ଆନ୍ଦୋଳନ ଚଳାଇଛନ୍ତି ତାହା ଜାରି ରହିବ। ଅଭିଯୁକ୍ତ ପୋଲିସ ଗିରଫ ନହେବା ଯାଏଁ ଆନ୍ଦୋଳନ ଜୋରଦାର ହେବ।”

ଏହାସହ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ଆଇନଜୀବୀମାନେ ଦାବି କରିଛନ୍ତି।

ଅଗଷ୍ଟ ୨୮ ତାରିଖର ଘଟଣା। ଜଣେ ଆଇନଜୀବୀଙ୍କୁ କଟକ ନୂଆ ବଜାର ଓଭରବ୍ରିଜ ନିକଟରେ ଜନୈକ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନ ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଥିଲା। ଏହି ଘଟଣାରେ କଟକ ଡିସିପି ଅଖିଳେଶ୍ୱର ସିଂହ ଦୁଇ ଜଣ କନଷ୍ଟେବଳ ଏବଂ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here