ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସରକାର ବୁଧବାର ଦିନ ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସି ଥିବା ଯୋଗୁଁ କର୍ତ୍ତବ୍ୟରେ ଅବହେଳା ହେଉଥିବାରୁ ବୁଧବାର ଅଗ୍ନିଶମ କର୍ମଚାରୀମାନଙ୍କୁ ମହଙ୍ଗା ପଡ଼ିଛି। କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟ ସରକାର ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ମୟୁରଭଞ୍ଜ ଚିତ୍ରଡ଼ା ଫାୟାର ଷ୍ଟେସନ, ଦଶପଲ୍ଲା ଓ ବାଲିଆପାଳର ୨ ଜଣ ଲେଖାଏଁ କର୍ମଚାରୀଙ୍କୁ କେନ୍ଦ୍ରୀୟ ରେଞ୍ଜ ଫାୟାର କାର୍ଯ୍ୟାଳୟ ନିଲମ୍ବିତ କରିଛି।
ଦୀର୍ଘ ତିନି ଦିନ ହେଲା ୬ ଦଫା ଦାବିକୁ ନେଇ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜରୁରୀକାଳୀନ ସେବାରେ ଅନେକ ବାଧା ସୃଷ୍ଟି ହୋଇଛି।
ଅଗ୍ନିଶମ କର୍ମଚାରୀଙ୍କୁ ପୋଲିସ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ନିୟମତି କରିବା, ସଂଘକୁ ପଞ୍ଜୀକରଣ କରିବା, ତୁରନ୍ତ ପେନ୍ସନ୍ ପ୍ରଦାନ ଏବଂ ଆଠ ଘଣ୍ଟା ଡ୍ୟୁଟି କରିବା ଦାବିରେ କର୍ମଚାରୀମାନେ ଏବେ ସୁଦ୍ଧା ମଧ୍ୟ ଆନ୍ଦୋଳନକୁ ଜାରି ରଖିଛନ୍ତି।
ଇତିମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଡାକୋଇ ଗ୍ରାମର ଗୋଟିଏ ଶିଶୁ କୂଅରେ ପଡ଼ି ପ୍ରାଣ ହରାଇଥିବା ବେଳେ ଦଶପଲ୍ଲା ଶ୍ରୀରାମପୁର ଗାଁରେ ୫ଟି ଘରେ ନିଆଁ ଲାଗି ଯାଇଥିଲା। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତାରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା।
ଏ ନେଇ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟକୁ ଲୋକମାନେ ଫୋନ୍ କରିଥିଲେ ସୁଦ୍ଧା ସମସ୍ତେ ନିଜ ଜିଦ୍ରେ ଅଟଳ ରହିଥିଲେ ଏବଂ କେହି ଆସି ନ ଥିଲେ। ସେଥିପାଇଁ ବୁଧବାର ୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

















