ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟସିଟିରେ ଅଟୋଚାଳକଙ୍କ ଦୌରାତ୍ମ୍ୟ ସମ୍ପର୍କରେ ସାଧାରଣ ଲୋକେ କ’ଣ କହୁଛନ୍ତି?

ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିଚାଲିଛି ଅଟୋବାଲାଙ୍କ ରାଜୁତି। ସେମାନଙ୍କର ଦୌରାତ୍ମ୍ୟ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଟୋଚାଳକଙ୍କ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରୁନାହାନ୍ତି। ସେମାନେ ତାଙ୍କ ମନ ଇଚ୍ଛା ଏଣେତେଣେ ଅଟୋ ପାର୍କିଂ କରୁଛନ୍ତି।

ଏହାଛଡ଼ା ତୈଳ ଦର ବୃଦ୍ଧି ପାଇବା ହେତୁ ସେମାନେ ତାଙ୍କ ମନ ମୁତାବକ ମଧ୍ୟ ଟଙ୍କା ବଢ଼ାଉଛନ୍ତି। ଏଥିପାଇଁ ସାଧାରଣ ଲୋକଟିଏ ହନ୍ତସନ୍ତ ହେବାସହ ଅନେକ ଅସୁବିଧାର ସାମ୍ନା କରୁଛି। ଖାସ୍ ସେଥିପାଇଁ ଅଟୋବାଲାଙ୍କ ଏଭଳି ଦୌରାତ୍ମ୍ୟକୁ ସାଧାରଣ ଲୋକେ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଝିଅଙ୍କ ପାଇଁ ସୁରକ୍ଷିତ ନୁହେଁ – ବିନୋନା ଦାସ

ଅଟୋରେ ଯିବା ଆମପାଇଁ ବହୁତ ବିପଜ୍ଜନକ ହୋଇପଡ଼ୁଛି। କାରଣ ଅଟୋବାଲା ଆବଶ୍ୟକତାଠାରୁ ଅଧିକ ଯାତ୍ରୀକୁ ବସାଉଛନ୍ତି। ନେଉଛନ୍ତି ଯାହା ଆମପାଇଁ ବହୁତ ସମସ୍ୟା ସୃଷ୍ଟି କରୁଛି। ଆମ ଭଳି ଝିଅମାନେ ବହୁତ ଅସୁରକ୍ଷିତ ମନେ କରୁଛୁ।

ମଦ୍ୟପଙ୍କ ପାଇଁ କଡ଼ା ନିୟମ ଲାଗୁ କରିବା ଦରକାର – ଦିୟା ସେନ

ଅଟୋରେ ଯାତ୍ରା କରୁଥିବା ସମୟରେ ଅନେକ ସମସ୍ୟା ଉପୁଜିଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି, ବେଳେବେଳେ ଯାତ୍ରୀମାନେ ମଦ୍ୟପାନ କରି ଅଟୋରେ ଯାତ୍ରା କରିଥାନ୍ତି। ସେଥିପାଇଁ ତାଙ୍କ ସହ ବସିଥିବା ସାଧାରଣ ଲୋକଟିଏ ନିଜକୁ ଅସୁରକ୍ଷିତ ମନେ କରିଥାଏ। ବିଶେଷକରି ମହିଳାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାଛଡ଼ା କେବେକେବେ ଦେଖିବାକୁ ମିଳେ, ଅଟୋଚାଳକ ନିଜେ ମଦ୍ୟପାନ କରି ଗାଡ଼ି ଚଲାଇଥାନ୍ତି।

ସେମାନଙ୍କ ଭିତରେ ମାନବିକତାର ଅଭାବ ରହିଛି – ଶ୍ୱେତା

ସାଧାରଣତଃ ଦେଖିବାକୁ ଗଲେ ଅଟୋବାଲାଙ୍କ ବ୍ୟବହାର ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏକ ଟଙ୍କା, ଦି ଟଙ୍କା ପାଇଁ ଯୁକ୍ତି କରିବାକୁ ପଛାନ୍ତିନାହିଁ। ଏହାଛଡ଼ା ଅଟୋଚାଳକମାନେ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳିଗୁଲଜ କରିବାକୁ ପଛାନ୍ତିନାହିଁ।

ଅଟୋବାଲାଙ୍କ ଉପରେ ଭରଷା କରିବା ଅନୁଚିତ୍ – ସୋନାଲି ତରାଇ

ମୁଁ ନିଜେ ବହୁତ ସମସ୍ୟାର ସମ୍ମଖୀନ ହୋଇଛି। ଅଟୋଚାଳକମାନେ ଆଗପଛ ନ ଦେଖି ଗାଡ଼ିକୁ ବୁଲାଇଥାନ୍ତି। ମନ ଇଛା ବ୍ରେକ୍ ମଧ୍ୟ ମାରନ୍ତି। ଯାହାଫଳରେ ପଛରେ ଆସୁଥିବା ଅନ୍ୟଚାଳକଙ୍କ ପାଇଁ ସମସ୍ୟା ଉପୁଜିଥାଏ। ରାତି ୯ଟା ପରେ ଅଟୋବାଲାଙ୍କ ଉପରେ ଭରଷା କରିବା ଉଚିତ୍ ନୁହେଁ। ମହିଳାମାନଙ୍କ ପାଇଁ ପିଙ୍କ୍ ଅଟୋର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏବେ ଏହାକୁ ବନ୍ଦ କରାଦିଆଯାଇଛି ।

ମନଇଚ୍ଛା ନେଉଛନ୍ତି ଭଡ଼ା – ସୋନାଲି ପଟ୍ଟନାୟକ

ରାଜ୍ୟ ସରକାର ଅଟୋ ଭଡ଼ା ପାଇଁ ଏକ ନିର୍ଦ୍ଧାରିତ ମୂଲ୍ୟ ଧାର୍ଯ୍ୟ କରିବା ଉଚିତ୍। କାରଣ ଅଟୋଚାଳକ ତାଙ୍କ ମନ ମୁତାବକ ଟଙ୍କା ନେବାସହ ଦିନକୁ ଦିନ ଟଙ୍କାକୁ ବଢ଼ାଉଛନ୍ତି। ଯାହାପାଇଁ ଲୋକମାନେ ଅସୁବିଧାର ସାମ୍ନା କରୁଛନ୍ତି।

ନିୟମର ଉଲ୍ଲଘଂନ କରୁଛନ୍ତି – ଅନୁରୁପ୍ସା

ଅଟୋଚାଳକମାନେ ବେପରୁଆ ଭାବରେ ଅଟୋ ଚଲାଉଛନ୍ତି। କୌଣସି ନିୟମକୁ ମାନୁ ନାହାନ୍ତି। ଏହାବ୍ୟତୀତ ନିୟମର ଉଲ୍ଲଘଂନ ମଧ୍ୟ କରୁଛନ୍ତି। ସେମାନଙ୍କର ବ୍ୟବହାର ସନ୍ତୋଷଜନକ ନୁହେଁ।

ମନଇଚ୍ଛା ଯାତ୍ରୀ ବସାଉଛନ୍ତି – ପ୍ରିୟଙ୍କା

ନିଜର ବ୍ୟବସାୟ ବଢ଼ାଇବା ଲୋଭରେ ସେମାନେ ମନଇଚ୍ଛା ଅଧିକ ଯାତ୍ରୀ ବସାଉଛନ୍ତି। ଏହାଛଡ଼ା ଟଙ୍କା ବି ତାଙ୍କ ହିସାବରେ ବଢ଼ାଇଥାନ୍ତି।

Comment