ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଷ୍ଟାର ସାଇନା ଏବଂ କାଶ୍ୟପ ଡିସେମ୍ବର ୧୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଖେଳାଳି ସାଇନା ଏବଂ କାଶ୍ୟପଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଚାଲିଥିଲା ହାଇପ୍ରୋଫାଇଲ ରୋମାନ୍ସ। ହେଲେ ସେମାନେ ଏବେ ଗର୍ଲଫ୍ରେଣ୍ଡ – ବୟଫ୍ରେଣ୍ଡରୁ ସ୍ୱାମୀ- ସ୍ତ୍ରୀ ହେବାକୁ ଯାଉଛନ୍ତି। କାରଣ ସେମାନଙ୍କର ପ୍ରେମ ଏବେ ବିବାହରେ ପରିଣତ ହେବାକୁ ଯାଉଛି।

ଭାରତୀୟ ମହିଳା ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ୱାଲ ଓ ପୁରୁଷ ଖେଳାଳି ପାରୁପଲ୍ଲୀ କାଶ୍ୟପ ଚଳିତବର୍ଷର ଶେଷ ଆଡ଼କୁ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଏହି ହାଇପ୍ରୋଫାଇଲ ବିବାହ ଡିସେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କେବଳ ୧୦୦ ଜଣ ଅତିଥି ଯୋଗଦେବେ ବୋଲି ଯୋଜନା କରାଯାଇଛି। ଏହାପରେ ଡିସେମ୍ବର ୨୧ ତାରିଖରେ ଏକ ବଡ଼ ଭୋଜିର ଆୟୋଜନ ମଧ୍ୟ କରାଯିବ।

ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି,”ଉଭୟଙ୍କ ପରିବାର ବିବାହ ପାଇଁ ଯୋଜନା କରୁଥିବା ବେଳେ ଏବେ ସେମାନେ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି“।

ଉଭୟେ ୨୦୦୫ରେ କୋଚ୍‌ ପୁଲ୍ଲେଲା ଗୋପିଚାନ୍ଦଙ୍କ ନିକଟରେ ପ୍ରଶିକ୍ଷଣ ଆରମ୍ଭ କରିବା ବେଳେ ପରସ୍ପରକୁ ଭେଟିଥିଲେ। ଏହାପରେ ଦୁଇ ହାଇଦ୍ରାବାଦ ଖେଳାଳିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ଉଭୟ ଏହାକୁ ଲୁଚାଇ ରଖିଥିଲେ। ଏପରି କି ସେମାନଙ୍କର ସାଥି ଖେଳାଳି କିଡାମ୍ବି ଶ୍ରୀକାନ୍ତ, ଏଚ୍‌.ଏସ୍‌ ପ୍ରଣୟ ଓ ଗୁରୁସାଇଦତ୍ତ ମଧ୍ୟ ଏସମ୍ପର୍କ ବିଷୟରେ ଅବଗତ ନ ଥିଲେ।

ଯଦି କୌଣସି ସାଥି ଖେଳାଳି ସେମାନଙ୍କ ପ୍ରେମ ସମ୍ପର୍କରେ ପ୍ରଶ୍ନ କରୁଥିଲେ, ଉଭୟେ  ତାକୁ ଖଣ୍ଡନ କରୁଥିଲେ। ତେବେ ଚଳିତ ବର୍ଷ ହୋଇଥିବା କ୍ରିଡ଼ାବିତଙ୍କ ବିବାହ ତାଲିକାରେ କାଶ୍ୟପ-ସାଇନା ସାମିଲ ହେବାକୁ ଯାଉଛନ୍ତି।

ଏ ପର୍ଯ୍ୟନ୍ତ ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଓ କ୍ରିକେଟର ଦୀନେଶ କାର୍ତ୍ତିକ, କ୍ରିକେଟର ଈଶାନ୍ତ ଶର୍ମା ଓ ପ୍ରତିମା ସିଂ, ରେସଲର ଗୀତା ଫୋଗତ ଓ ପାୱନ କୁମାର ଏବଂ ସାକ୍ଷୀ ମଲିକ ଓ ସତ୍ୟବର୍ତ୍ତ କାଦିଆନ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି।

ସାଇନା ୨୦ ମେଜର ଟାଇଟଲ ସହ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ଓ ବିଶ୍ୱ ଚାମ୍ପିୟନସିପ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ କାଶ୍ୟପ ବିଶ୍ୱ ସ୍ତରରେ ଷଷ୍ଠ ସ୍ଥାନ ଅଧିକାର କରିବାପରେ ଦୀର୍ଘ ଦିନ ହେଲା ସ୍ୱାସ୍ଥ୍ୟ(ଆହତ) ସମସ୍ୟାରେ ଛନ୍ଧି ହୋଇଥିଲେ। ସେଥିପାଇଁ ସେ ତାଙ୍କ କ୍ୟାରିୟରରେ ଆଶାନୁଯାୟୀ ସଫଳତା ପାଇ ପାରି ନ ଥିଲେ।

Comment