ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ଜଣେ ସାମ୍ବାଦିକଙ୍କୁ ଶନିବାର ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଛକରେ ଶନିବାର ଦିନ ଜଣେ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।

ଏହି ଘଟଣାଟି ସାରା ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣରେ ସାମ୍ବାଦିକ ରାଧାକୃଷ୍ଣ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହି ଆକ୍ରମଣରେ ତାଙ୍କ ଡାହାଣ ହାତର ଚାରିଟି ଆଙ୍ଗୁଳି ଓ ଜଙ୍ଘରେ ଜୋର୍‌ରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ସୁଧାର ଆସିଛି।

ରାଧାକୃଷ୍ଣ କହିବାନୁସାରେ, ଶନିବାର ସକାଳେ ବ୍ଲକ୍ ଛକ ନିକଟରେ ଥିବା ହକରଙ୍କୁ ସେ ପେପର ଦେବା ପାଇଁ ଆସିଥିଲେ। ସେତିକି ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ।

ଏବେ ଏହି ଘଟଣାର ତଦନ୍ତ ବାଲେଶ୍ୱର ପୋଲିସ କରୁଛି। ପୂର୍ବ ଶତ୍ରୁତା ଯୋଗୁଁ ଏହି ଆକ୍ରମଣ କରାଯାଇଥିବ ବୋଲି ସନ୍ଦେହ କରୁଛି ବାଲେଶ୍ୱର ପୋଲିସ।

Comment