ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ବି ଓଡ଼ିଶାରେ ଲୋକପ୍ରିୟ ନେତା। ଦ୍ୱିତୀୟରେ ଧର୍ମେନ୍ଦ୍ର ପ୍ରଧାନ।

୨୦୧୯ରେ ଓଡ଼ିଶାରେ ଉଡ଼ିବ ନବୀନଙ୍କ ଜଲୱା। ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ୫୯ ପ୍ରତିଶତ ଲୋକ ନବୀନଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏମିତି କିଛି ଆକଳନ କରିଛି ‘ଇଣ୍ଡିଆ ଟୁଡେ’।

ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୬ ମାସ ବାକି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଅଙ୍କକଷା ଜୋର୍ ଧରିଛି। ବିଜେଡିଠାରୁ କ୍ଷମତା ଛଡ଼ାଇ ଆଣିବା ପାଇଁ ବିଜେପି ଜୋରଦାର ଅଭିଯାନ ଆରମ୍ଭ କରିଛି। ଏପଟେ କଂଗ୍ରେସ ବି ପଛରେ ପଡ଼ିନି। ବିଜେଡି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାକୁ ଅସ୍ତ୍ର କରି ଭୋଟରଙ୍କ ନିକଟତର ହେଉଛି।

ବିଜେଡି-ବିଜେପି-କଂଗ୍ରେସର ରଣନୀତିକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ରହିଥିବା ବେଳେ ୨୦୧୯ରେ ଓଡ଼ିଶାରେ କ’ଣ ସ୍ଥିତି ରହିବ ସେନେଇ ଇଣ୍ଡିଆ ଟୁଡେ – ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିଲା ଆଗୁଆ ସର୍ଭେ।

ଏହି ସର୍ଭେରୁ ସୂଚନା ମିଳିଛି ଯେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଇନି। ତାଙ୍କୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ୫୯ ପ୍ରତିଶତ ଲୋକ। ନବୀନଙ୍କ ପଛରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କୁ ପସନ୍ଦ କରିଛନ୍ତି।

ଏହି ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ୪୪ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସନ୍ତୁଷ୍ଟ ଅଛନ୍ତି। ୧୯ ପ୍ରତିଶତ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ପାନୀୟ ଜଳ, ଚାଷ ଜମିକୁ ଜଳସେଚନ, ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗ ମୁଖ୍ୟ ଚାଲେଞ୍ଜ ହୋଇ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

କମିନି ମୋଦିଙ୍କ ଲୋକପ୍ରିୟତା

ଓଡ଼ିଶାବାସୀ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ମଧ୍ୟ ମତ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଭୋଟର ଦେଖିବାକୁ ଚାହୁଁଥିବା ସର୍ଭେରୁ ଜଣାପଡ଼ିଛି। ୫୪ ପ୍ରତିଶତ ଲୋକ ମୋଦିଙ୍କ ସପକ୍ଷରେ ମତ ଦେଇଥିବା ବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ୨୧ ପ୍ରତିଶତ ଲୋକ ମତ ଦେଇଛନ୍ତି।

୨୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୨୦୧୯ ପାଇଁ ସର୍ଭେ କରାଯାଇଥିଲା। ଟେଲିଫୋନ ଜରିଆରେ ୮ ହଜାର ୨୩୨ ଜଣଙ୍କର ମତାମତ ନିଆଯାଇଥିଲା।

ଏହି ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ବଳବତ୍ତର ରହିଛି। ହେଲେ ମୋଦି ବି ପଛରେ ପଡ଼ି ନାହାନ୍ତି। ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାବାସୀ ଦେଖିବାକୁ ଚାହୁଁଛନ୍ତି।

ରାଫେଲ ଦୁର୍ନୀତିର ପ୍ରଭାବ ନାହିଁ

କଂଗ୍ରେସ ରାଫେଲ ଡିଲ୍‌ ଦୁର୍ନୀତିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି। ୨୦୧୯ରେ ମୋଦିଙ୍କୁ ଗାଦିଚ୍ୟୁତ କରିବା ଲାଗି କଂଗ୍ରେସ ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛି। ସମସ୍ତ ରାଜ୍ୟରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ରାଜ୍ୟର ୭୬ ପ୍ରତିଶତ ଲୋକ ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ସଚେତନ ନଥିବା ସର୍ଭେରୁ ସ୍ପଷ୍ଟ ହୋଇଛି।

କେବଳ ଓଡ଼ିଶା ନୁହେଁ, ବିହାର ଏବଂ ଝାଡ଼ଖଣ୍ଡ ନିର୍ବାଚନକୁ ନେଇ ଇଣ୍ଡିଆ ଟୁଡେ – ପଲିଟିକାଲ ଏକ୍ସଚେଞ୍ଜ ପକ୍ଷରୁ ସର୍ଭେ କରାଯାଇଛି।

Comment