ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

“ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦିଆଯିବ। କିନ୍ତୁ ଏଯାଏଁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି କେନ୍ଦ୍ର ସରକାର। ବିଜେପି ଏକ ଫମ୍ପା ମାଠିଆ। ଫମ୍ପା ମାଠିଆର ଶବ୍ଦ ବେଶୀ”।

ଏହା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ। ଭୁବନେଶ୍ୱର ଝରଣା ବସ୍ତିରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରି ନବୀନ ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିଛନ୍ତି।

ନବୀନ ଆହୁରି କହିଛନ୍ତି ଯେ ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ। କିଏ ପ୍ରତିଶ୍ରୁତି ପୂରଣ କରୁଛି ଏବଂ କିଏ ପୂରଣ କରୁନି ତାହା ଲୋକ ଭଲଭାବେ ଜାଣିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ଅନେକ ଗରିବ ହିତାଧିକାର ବାଦ୍ ପଡ଼ିଲେ। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ପ୍ରଣୟନ କରିଛନ୍ତି। ସେହିପରି ଗରିବ ଲୋକଙ୍କ ପାଇଁ ଆମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ଆରମ୍ଭ କରିଛୁ।”

ରାଜ୍ୟ ସରକାରଙ୍କ ସଫଳ ଯୋଜନା ଲୋକଙ୍କୁ ଅବଗତ କରିବା ପାଇଁ ବିଜେଡି ଆଜିଠାରୁ ପଦଯାତ୍ରା ଆରମ୍ଭ କରିଛି। ନଭେମ୍ବର ୧୧ ତାରିଖ ଯାଏଁ ଚାଲିବ ଏହି ପଦଯାତ୍ରା। ଜନସମ୍ପର୍କ ପଦଯାତ୍ରା ଆରମ୍ଭରୁ ନବୀନ ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିବା ପରେ ରାଜନୀତି ଜୋର୍ ଧରିଛି। ବିଜେପି ନବୀନଙ୍କୁ ଜବାବ ଦେଇଛି।

ବିଜେପି ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ରାଜନୈତିକ ଫାଇଦା ନେବା ପାଇଁ ନବୀନ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଏଥିରେ କୌଣସି ଆନ୍ତରିକତା ନାହିଁ। ନବୀନ ବାବୁ ଭଲଭାବେ ଜାଣିଛନ୍ତି ଯେ ଓଡ଼ିଶା ସ୍ୱତନ୍ତ୍ର ପାହ୍ୟା ମାନ୍ୟତା କ୍ୟାଟେଗୋରୀରେ ସାମିଲ ହୋଇପାରିବ ନାହିଁ। ନବୀନବାବୁ ଯାହା କୁହନ୍ତି ତାହା କରନ୍ତି ନାହିଁ। ଏକଥା ସମସ୍ତେ ଜାଣିଛନ୍ତି।”

Comment