ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିରେ ଖେଳିଛି ବାରହା ଆତଙ୍କ। ସେଠାକାର ଲୋକେ ଭୟଭୀତ।

ମାଲକାନଗିରି ସହରରେ ଜଙ୍ଗଲୀ ବାରହାର ଆତଙ୍କ ଯୋଗୁଁ ଲୋକେ ଭୟଭୀତ ଅଛନ୍ତି। ବୁଧବାର ସକାଳୁ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ସହରରେ ପଶି ଆସିଥିଲା। ଏବିଷୟରେ ସୂଚନା ପାଇବା ପରେ ବନବିଭାଗୀୟ କର୍ମଚାରୀମାନେ ବାରହାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦେଇଛନ୍ତି।

ମାଲକାନଗିରି ମୁନିସିପାଲଟି ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗ୍ରାମରେ ହଠାତ୍ ଏକ ଜଙ୍ଗଲି ବାରହା ପଶି ଆସିଥିଲା। ଗ୍ରାମବାସୀମାନେ ଭୟଭୀତ ହୋଇ ଧାଁ ଦୌଡ଼ କରିଥିଲେ। ଏହି ସମୟରେ ସେଠାକାର ବାସିନ୍ଦା ସୁନାଧର ନାୟକଙ୍କ ପୁଅ ମୁନା ନାୟକଙ୍କୁ ବାରହା ଆକ୍ରମଣ କରିଥିଲା।

ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲା। ଏହାପରେ ଗ୍ରାମବାସୀ ମୁନାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗ୍ରାମବାସୀ ବାରହାକୁ ଘୌଡ଼ାଇବା ସମୟରେ ଜଣକ ଘରେ ପଶିଯାଇଥିଲା। ତା’ପରେ ଗ୍ରାମବାସୀମାନେ ବନବିଭାଗକୁ ସୂଚନା ଦେଇଥିଲେ।

ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଜନ୍ତା ଓ ଜାଲ ବିଛାଇ ବାରହାକୁ କାବୁ କରିବାରେ ସଫଳ ହୋଇଥିଲେ। ବାରହାକୁ ଆଣିବା ପରେ ପ୍ରାଣୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଦ୍ଧାର ହୋଇଥିବା ବାରହାଟିର ଓଜନ ପ୍ରାୟ ୨୫୦ କେଜିରୁ ୩୦୦କେଜି ହେବ।

ତା’ର ବୟସ ପ୍ରାୟ ୧୨ରୁ ୧୫ବର୍ଷ ବୋଲି ବନବିଭାଗ ସୁତ୍ରରୁ ଜଣାପଡିଛି। ଆହତ ମୁନାକୁ ବନ ବିଭାଗର ନିୟମ ଅନୁଯାୟୀ, ଚିକିତ୍ସା ଖର୍ଚ୍ଚ ଓ କ୍ଷତିପୂରଣ ମିଳିବ ବୋଲି ରେଞ୍ଜ ଅଧିକାରୀ ବାସୁଦେବ ନାୟକ ସୂଚନା ଦେଇଛନ୍ତି।

Comment