ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ପୁରୀ – ଜଗନ୍ନାଥ ସେନାର ଲଙ୍କାକାଣ୍ଡ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରରେ ବ୍ୟାପକ ଭଙ୍ଗାରୁଜା।
ଶ୍ରୀମନ୍ଦିରରେ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା। ଯାହାକୁ ପ୍ରଥମ ଦିନରୁ ହିଁ ବିରୋଧ କରାଯାଇଥିଲା। ଧାଡ଼ି ଦର୍ଶନକୁ ବିରୋଧ କରିବାସହ ୩ ତାରିଖ ଦିନ ଜଗନ୍ନାଥ ସେନା ପକ୍ଷରୁ ୯ ଦଫା ଦାବିରେ ପୁରୀ ୧୨ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଛି।
ବୁଧବାର ସକାଳେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ତାଙ୍କ ମୋଚି ସାହିସ୍ଥିତ ବାସଭବନରୁ ଉଠାଇ ନେଇଥିଲା ପୁରୀ ପୋଲିସ। ଏହାପରେ ତାଳବଣିଆ ଥାନାରେ ପ୍ରିୟଦର୍ଶନଙ୍କୁ ଅଟକ ରଖାଯାଇଛି।
ଅନ୍ୟପକ୍ଷରେ ଧାଡ଼ି ଦର୍ଶନକୁ ଘୋର ବିରୋଧ କରି ସେନା ଅହିଂସାପୂର୍ଣ୍ଣ ଭାବେ ଡାକରା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ହିଂସାର ରୂପ ନେଇଥିବା ଦେଖିବାକୁ ମିଳିଛି। ଶତାଧିକ ଲୋକ ସିଂହଦ୍ୱାରଠାରୁ ଶୋଭାଯାତ୍ରାରେ ବାହାରି ହିଂସା ପ୍ରଦର୍ଶନ କରିଛନ୍ତି।
ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଟ ଏବଂ ଭିତରର ବ୍ୟାରିକେଟକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି ଆନ୍ଦୋଳନକାରୀ। ଏହାଛଡ଼ା ସିଂହଦ୍ୱାର ସମ୍ମୁଖରେ ଥିବା ୪ଟି ମାଗଣା ଜୋତାଷ୍ଟାଣ୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ସେହିଭଳି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରକୁ ଟେକା ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଜଗନ୍ନାଥ ସେନାର ଆନ୍ଦୋଳନକାରୀ। ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ରହିଥିବା ଅନେକ ଫୁଲଦାନୀକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଏମାନେ।
ଏହାବ୍ୟତୀତ ଶ୍ରୀମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ପଶି ଏମାନେ ଭଙ୍ଗାରୁଜା କରିଛନ୍ତି। ଏହାସତ୍ତ୍ୱେ ଆନ୍ଦୋଳନକାରୀଙ୍କର କ୍ରୋଧ ଶାନ୍ତ ହୋଇନାହିଁ। ମରୁଚିକୋଟ ଛକ ଓ ବଡ଼ଦାଣ୍ଡରେ ରହିଥିବା ବିଭିନ୍ନ ବ୍ୟାରିକେଟକୁ ଭାଙ୍ଗି ଦେଇଛନ୍ତି ଜଗନ୍ନାଥ ସେନା।
ଟାଉନ୍ ଥାନା ନିକଟରେ ଟାୟାର ଜାଳି କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ବନ୍ଦ ଡାକରା ଫଳରେ ପୁରୀ ସହରର ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। ପୋଲିସ କାର୍ଯ୍ୟାଳୟରେ ସମ୍ମୁଖରେ ଏସବୁ ଭଙ୍ଗାରୁଜା ଚାଲିଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି।